Home Judiciary ଅଫିସ ଅଫ୍‍ ପ୍ରଫିଟ୍‍ ବିବାଦ

ଅଫିସ ଅଫ୍‍ ପ୍ରଫିଟ୍‍ ବିବାଦ

ଭୁବନେଶ୍ୱର : ଓଡିଶାର ସମସ୍ତ ଜିଲ୍ଲାପାଇଁ ଥିବା ଯୋଜନା କମିଟିର ଅଧ୍ୟକ୍ଷ ମନ୍ତ୍ରୀ କିମ୍ବା ବିଧାୟକ ରହିଛନ୍ତି । ୧୭ଜଣ ମନ୍ତ୍ରୀ ଓ ୧୨ଜଣ ବିଧାୟକଙ୍କୁ ଏହି ଦାୟିତ୍ୱ ରଖାଯାଇଛି । ତେବେ ବିଧାୟକମାନେ ଗ୍ରହଣ କରିଥିବା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦବୀ ‘ଅଫିସ ଅଫ୍‍ ପ୍ରଫିଟ୍‍’ ଭିତରେ ଆସୁଛି କି ନାହିଁ ସେଥିଘେନି ଏବେ ଆଇନ୍‍ଗତ ବିବାଦ ଛିଡାହୋଇଛି ।

ଗତବର୍ଷ ଅଗଷ୍ଟ ମାସରେ ରାଜ୍ୟ ସରକାର ୧୭ଜଣ ମନ୍ତ୍ରୀଙ୍କୁ ୧୮ଟି ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଦାୟିତ୍ୱ ଦେଇଥିଲେ । ଏମାନଙ୍କ ମଧ୍ୟରେ ଅନ୍ୟତମ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଦୁଇଟି ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଦାୟିତ୍ୱରେ ଥିବାବେଳେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ରଘୁନନ୍ଦନ ଦାସ, ପ୍ରତାପ ଜେନା, ସମୀର ରଞ୍ଜନ ଦାଶ, ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି, ଜଗନ୍ନାଥ ସାରକା, ପଦ୍ମିନୀ ଦିଆନ, ନବ କିଶୋର ଦାସ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅଶୋକ ଚନ୍ଦ୍ର ପଣ୍ଡା, ଦିବ୍ୟ ଶଙ୍କର ମିଶ୍ର, ଟୁକୁନି ସାହୁ, ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂହ ଓ ପଦ୍ମନାଭ ବେହେରା ଅନ୍ୟ ୧୬ଟି ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଅଛନ୍ତି ।

ଗତବର୍ଷ ରାଜ୍ୟ ସରକାର ବିଧାୟକ ଅନନ୍ତ ଦାସ, ରଘୁରାମ ପାଡାଲ, ରାଜେନ୍ଦ୍ର ଢୋଲକିଆ, ଶାରଦା ପ୍ରସାଦ ନାୟକ, ବ୍ୟୋମକେଶ ରାୟ, ପ୍ରମୋଦ କୁମାର ମଲିକ, ପ୍ରଶାନ୍ତ କୁମାର ଜଗଦେବ, ସତ୍ୟ ନାରାୟଣ ପ୍ରଧାନ, ଦେବେଶ ଆଚାର୍ଯ୍ୟ, ପ୍ରଶାନ୍ତ କୁମାର ମୁଦୁଲି, ଶ୍ରୀକାନ୍ତ ସାହୁ ଓ ମହିଧର ରଣାଙ୍କୁ ୧୨ଟି ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ଏହି ବିଧାୟକମାନେ ନିଜ ନିଜ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଅଛନ୍ତି । ତେବେ ନିକଟରେ ସରକାର ବିଧାୟକ ଶ୍ରୀ ଜଗଦେବଙ୍କୁ ଖୋରଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରୁ ଅବ୍ୟାହତ ଦେଇଛନ୍ତି ।

ସମ୍ବିଧାନର ୨୪୩ ଧାରା ଅନୁଯାୟୀ ପ୍ରତି ଜିଲ୍ଲାରେ ଯୋଜନା କମିଟି ରଖିବାଲାଗି ବ୍ୟବସ୍ଥା ଅଛି । ଏହି କମିଟି ପାଇଁ ରାଜ୍ୟ ସରକାର ୪ରୁ ୫ଜଣଙ୍କୁ ମନୋନିତ କରିପାରିବେ । କମିଟିରେ ୨୫ଜଣ ପର୍ଯ୍ୟନ୍ତ ସଦସ୍ୟ ରହିପାରିବେ । ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଅର୍ଥନୀତି ବିଶାରଦ, ସହର ଯୋଜନା ବିଶେଷଜ୍ଞ ଆଦିଙ୍କୁ ଜିଲ୍ଲା ଯୋଜନା କମିଟିରେ ମଧ୍ୟ ରଖାଯାଇ ପାରିବ ।

ଓଡିଶା ସରକାର ଆଇନ୍‍ରେ ସଂଶୋଧନ ଆଣି ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ମନ୍ତ୍ରୀ ଓ ବିଧାୟକଙ୍କୁ ନିଯୁକ୍ତି ଦେଉଛନ୍ତି । ତେବେ ସମ୍ବିଧାନର ୧୦୨ ଓ ୧୯୧ ଧାରା ଅନୁଯାୟୀ ସାଂସଦ ଓ ବିଧାୟକମାନେ ଅଫିସ ଅଫ୍‍ ପ୍ରଫିଟ ଥିବା ପଦବୀରେ ରହିପାରିବେ ନାହିଁ । ଓଡିଶାରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଥିବା ବ୍ୟକ୍ତିମାନେ ମନ୍ତ୍ରୀ ଓ ବିଧାୟକଭାବେ ସେମାନଙ୍କ ଦରମା ଓ ଭତ୍ତା ନେଉଛନ୍ତି । ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ସେମାନେ ଦରମା, ଭତ୍ତା ଆଦି ନେଉନଥିବାରୁ ଏହି ପଦବୀକୁ ଅଫିସ୍‍ ଅଫ୍‍ ପ୍ରଫିଟ୍‍ ବୋଲି କୁହାଯାଇ ପାରିବନାହିଁ ବୋଲି ଗୋଟିଏ ମହଲ ମତବ୍ୟକ୍ତ କରୁଥିବାବେଳେ ଆଉ କେତେକ ଭିନ୍ନମତ ପୋଷଣ କରୁଛନ୍ତି ।

ଅତୀତରେ ପଶ୍ଚିମବଙ୍ଗ, ତେଲେଙ୍ଗାନା ଓ ପଞ୍ଜାବରେ ବିଧାୟକଙ୍କୁ ଦିଆଯାଇଥିବା ଲାଭଦାୟକ ପଦ ପଦବୀରେ ନିଯୁକ୍ତିକୁ ସମ୍ପୃକ୍ତ ରାଜ୍ୟର ହାଇକୋର୍ଟ ନାକଚ କରିବାର ନଜିର ରହିଛି । ଆସାମ ପାଇଁ ପ୍ରଣୟନ କରାଯାଇଥିବା ସଂସଦୀୟ ସଚିବ ଆଇନ୍‍କୁ ମଧ୍ୟ ଆଇନ୍‍ ଅଦାଲତ ଖାରଜ କରିଛନ୍ତି । ଗତ ଥର ଦିଲ୍ଲୀ ବିଧାନସଭାର ୨୦ଜଣ ବିଧାୟକ ଲାଭଜନକ ଅନ୍ୟ ପଦବୀରେ ଥିବା ଦର୍ଶାଇ ସେମାନଙ୍କ ସଦସ୍ୟ ପଦ ରଦ୍ଦ କରିବାପାଇଁ ନିର୍ବାଚନ କମିଶନ ମଧ୍ୟ ସୁପାରିଶ୍‍ କରିଥିଲେ । ଲୋକ ପ୍ରତିନିଧି ଆଇନରେ ମଧ୍ୟ ଲାଭଦାୟକ ପଦବୀ ଗ୍ରହଣ କରୁଥିବା ସାଂସଦ ଓ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଲାଗି ବ୍ୟବସ୍ଥା ଥିବା ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶର ଜଣେ ସାଂସଦ ହଇରାଣ ହୋଇଥିଲେ । (ତଥ୍ୟ)