Home Judiciary ଅପରାଧିକ ମାମଲା ଫଇସଲା ନଗଣ୍ୟ

ଅପରାଧିକ ମାମଲା ଫଇସଲା ନଗଣ୍ୟ

ଅପରାଧିକ ଘଟଣା ତୁଳାନରେ ମାମଲା ଫଇସଲା ହାର ଅତି ନଗଣ୍ୟ ରହୁଥିବା ଅପରାଧ ବୃଦ୍ଧିର ଅନ୍ୟତମ କାରଣ ହେଉଛି । ସଦ୍ୟ ପ୍ରକାଶିତ ଜାତୀୟ କ୍ରାଇମ୍‍ ରେକର୍ଡ ବ୍ୟୁରୋ ରିପୋର୍ଟ ବିଶ୍ଳେଷଣରୁ ଏହା ଜଣାପଡ଼ିଛି ।

ଗତ ସେପ୍ଟେମ୍ବର ମାସରେ ପ୍ରକାଶ ପାଇଥିବା ଏହି ରିପୋର୍ଟରେ ଯେଉଁ ପରିସଂଖ୍ୟାନ ସ୍ଥାନ ପାଇଛି ସେଥିରେ ୨୦୧୯ ବର୍ଷରେ ଓଡ଼ିଶାରେ ଗୋଟିଏ ହେଲେ ସାଇବର ଅପରାଧ, ପରିବେଶଗତ ମାମଲା, ରାଷ୍ଟ୍ରଦୋହ ଓ ବରିଷ୍ଠ ନାଗରିକଙ୍କ ପ୍ରତି ଘଟିଥିବା ଅପରାଧର ଗୋଟିଏ ହେଲେ ମାମଲା ଫଇସଲା ହୋଇନାହିଁ । ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପ୍ରତି ଘଟିଥିବା ଅପରାଧ ମାମଲାଗୁଡ଼ିକରୁ ବି ଉକ୍ତ ବର୍ଷରେ ୯୯.୯ ପ୍ରତିଶତ ଫଇସଲା ନ ହୋଇ ପଡ଼ିରହିଛି । ବର୍ଷ ବର୍ଷ ଧରି ଏଭଳି ଅବସ୍ଥା ଲାଗି ରହିବା ଫଳରେ ମାମଲା ସଂଖ୍ୟା ବୃଦ୍ଧି ପାଉଛି ।

୨୦୧୯ ପର୍ଯ୍ୟନ୍ତ ଓଡ଼ିଶାରେ ମହିଳାମାନଙ୍କ ପ୍ରତି ଘଟିଥିବା ଯେତେସଂଖ୍ୟକ ଅପରାଧିକ ମାମଲା ବିଚାର ପାଇଁ ରହିଥିଲା ସେଥିମଧ୍ୟରୁ ଏହି ବର୍ଷରେ ମାତ୍ର ୩.୫ ପ୍ରତିଶତ ମାମଲା ଫଇସଲା ହୋଇଥିବା ବେଳେ ଶିଶୁମାନଙ୍କ ପ୍ରତି ଘଟିଥିବା ଅପରାଧିକ ମାମଲାଗୁଡ଼ିକ ମଧ୍ୟରୁ ମାତ୍ର ୨.୩ ପ୍ରତିଶତ ଫଇସଲା ହୋଇଛି । ସେହିଭଳି ୨୦୧୯ରେ ଦୁର୍ନୀତି ନିବାରଣ ଆଇନ୍‍ ଆଧାରରେ ଯେତେ ମାମଲା ପ୍ରତୀକ୍ଷାରେ ଥିଲା ସେଥିରୁ ମାତ୍ର ୪.୬ ପ୍ରତିଶତ ଫଇସଲା ହୋଇଥିବା ବେଳେ ଅନ୍ୟାନ୍ୟ ଆର୍ଥିକ ଅପରାଧ ମାମଲାରୁ ୨.୮ ପ୍ରତିଶତ ଫଇସଲା ହୋଇଛି ।

ଭାରତୀୟ ପିଙ୍ଗଳ କୋଡ୍‍ର ବିଭିନ୍ନ ଦଫାରେ ୨୦୧୭ ସୁଦ୍ଧା ୫,୧୭,୭୦୯ ମାମଲା ଓଡ଼ିଶାରେ ବିଚାର ପ୍ରତୀକ୍ଷାରେ ଥିବା ବେଳେ ୨୦୧୯ ବେଳକୁ ଏହି ସଂଖ୍ୟା କମିବା ପରିବର୍ତ୍ତେ ବୃଦ୍ଧି ପାଇ ୬,୩୯,୪୦୫ରେ ପହଞ୍ଚିଥିଲା । ଏତେ ସଂଖ୍ୟକ ଆଇପିସି ମାମଲା ବିଚାରଧୀନ ଥିବା ବେଳେ ୨୦୧୯ ବର୍ଷରେ ଏଥିରୁ ମାତ୍ର ୧୬,୨୩୫ଟି ଫଇସଲା ହୋଇଥିଲା । ଅର୍ଥାତ୍‍ ବିଚାର ପ୍ରତୀକ୍ଷାରେ ଥିବା ମୋଟ୍‍ ମାମଲାର ମାତ୍ର ୨.୫ ପ୍ରତିଶତ ଏହି ବର୍ଷରେ ଫଇସଲା ହୋଇଥିବା ଏନ୍‍ସିଆର୍‍ବି ରିପୋର୍ଟରୁ ଜଣାଯାଇଛି ।

ବିଭିନ୍ନ ସ୍ୱତନ୍ତ୍ର ଓ ଆଞ୍ଚଳିକ ଆଇନ୍‍ ଆଧାରରେ ୨୦୧୭ ସୁଦ୍ଧା ଓଡ଼ିଶାରେ ବିଚାର ପ୍ରତୀକ୍ଷାରେ ଥିଲା ୧,୩୦,୭୮୬ଟି ମାମଲା । ଏହା କମିବା ପରିବର୍ତ୍ତେ ୨୦୧୯ ବେଳକୁ ବଢ଼ି ବଢ଼ି ୧,୬୬,୩୭୬ରେ ପହଞ୍ଚିଥିଲା । ଏଥିରୁ ଗତବର୍ଷ ମାତ୍ର ୭୬୯୬ଟି ମାମଲା ଫଇସଲା ହୋଇଛି । ଏନ୍‍ସିଆର୍‍ବି ତଥ୍ୟ ଅନୁଯାୟୀ ବିଚାର ପ୍ରତୀକ୍ଷାରେ ଥିବା ମୋଟ୍‍ ଏସ୍‍ଏଲ୍‍ଏଲ୍‍ ଅପରାଧିକ ମାମଲାର ମାତ୍ର ୪.୬ ପ୍ରତିଶତ ୨୦୧୯ ବର୍ଷରେ ଫଇସଲା ହୋଇଛି ।

ମାମଲାର ଚାପ ବୃଦ୍ଧି ଦୃଷ୍ଟିରୁ ପ୍ରତିବର୍ଷ ଅଧିକରୁ ଅଧିକସଂଖ୍ୟକ କୋର୍ଟ କଚେରୀମାନ ଖୋଲା ଯାଉଛି । ଏହା ସହ ତାଳଦେଇ ନିମ୍ନ ଅଦାଲତଗୁଡ଼ିକରେ ବିଚାରପତି ନିଯୁକ୍ତି ବି ଚାଲୁଛି । ଅବଶ୍ୟ ରାଜ୍ୟର ଆଇନ୍‍ ଅଦାଲତଗୁଡ଼ିକ ପାଇଁ ଯେତେସଂଖ୍ୟକ ମଞ୍ଜୁରୀପ୍ରପ୍ତ ବିଚାରପତି ପଦବୀ ରହିଛି ସେଥିରୁ ଅନେକ ବର୍ଷ ବର୍ଷ ଧରି ଖାଲିପଡ଼ୁଛି । ଆଇନ୍‍ ଶୃଙ୍ଖଳା ରକ୍ଷା ଲାଗି ଥାନା ଫାଣ୍ଡି ସଂଖ୍ୟା ବୃଦ୍ଧି ସହ କନେଷ୍ଟବଳଠାରୁ ଡିଜି ପର୍ଯ୍ୟନ୍ତ ପୋଲିସ୍‍ ବିଭାଗରେ ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟା ବଢ଼ା ଚାଲିଥିବା ସତ୍ତେ୍ୱ ଏଥିରୁ ବି ହଜାର ହଜାର ପଦବୀ ଖାଲି ରହୁଛି । ତେଣେ ଏଥିସହ ତାଳେଦେଇ ବିଭିନ୍ନ କିସମର ଅପରାଧ ସଂଖ୍ୟା ଢେର୍‍ ବଢ଼ୁଥିବା ବେଳେ ମାମଲା ଫଇସଲାରେ ବିଳମ୍ବ ଏବଂ ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁ ସଂଖ୍ୟାଧିକ ଅପରାଧିକ ମାମଲାରେ ଅଭିଯୁକ୍ତମାନେ ଦୋଷମୁକ୍ତ ହେବା ଆଇନ୍‍ ଶୃଙ୍ଖଳା ବ୍ୟବସ୍ଥା ପ୍ରତି ବଡ଼ ପ୍ରଶ୍ନବାଚୀ ବୋଲି ଆଇନ୍‍ ବିଶାରଦମାନେ କହୁଛନ୍ତି ।