Home General ଅନ୍‍ଲାଇନରେ ଶିଶୁଙ୍କୁ ସହାୟତା

ଅନ୍‍ଲାଇନରେ ଶିଶୁଙ୍କୁ ସହାୟତା

ଭୁବନେଶ୍ୱର : ସହାୟତା ଚାହୁଁଥିବା ଶିଶୁ ଓ ସେମାନଙ୍କ ଅଭିଭାବକଙ୍କୁ ଅନ୍‍ଲାଇନ୍‍ ମାଧ୍ୟମରେ ସମସ୍ତ ପ୍ରକାର ପରାମର୍ଶ ଓ ସହଯୋଗ ଲାଗି ସ୍ୱେଚ୍ଛାସେବୀ ସଂସ୍ଥା ପିପୁଲ୍‍ସ କଲଚରାଲ ସେଣ୍ଟର (ପିକକ) ଆରମ୍ଭ କରିଛି ଅନ୍‍ଲାଇନ୍‍ ସହାୟତା ବ୍ୟବସ୍ଥା । ଏଥିପାଇଁ ପିକକ୍‍ ପକ୍ଷରୁ ୱେବସାଇଟ୍‍ www.pecuchelpline.com ଓ pecuc.counselling2020@gmail.com ସହିତ ହ୍ୱାଟସ ଅପ୍‍ ନମ୍ବର ୭୮୪୯୦୧୦୦୨୧ ଏବଂ ଲ୍ୟାଣ୍ଡଲାଇନ୍‍ ନମ୍ବର ୦୬୭୪-୨୩୫୨୨୭୮ ଜାରି କରାଯାଇଛି ।

ଆୟୋଜିତ ଏକ ଭର୍ଚୁଆଲ କର୍ମଶାଳାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ଏହି ୱେବସାଇଟ୍‍କୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ଶ୍ରମତୀ ପ୍ରଧାନ ସୁରକ୍ଷିତ ଓ ଗୁଣାତ୍ମକ ଶିକ୍ଷା ସମ୍ପର୍କରେ ଏକ ଆଲୋଚନାଚକ୍ରର ମଧ୍ୟ ଉଦ୍‍ଘାଟନ କରିଥିଲେ । ପିକ୍‍କର ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହିତ ସାରା ଓଡିଶା ଓ ଓଡିଶା ବାହାର ଶିଶୁମାନେ ଏହାଦ୍ୱାରା ସହାୟତା ପାଇପାରିବେ ବୋଲି ସେ କହିଛନ୍ତି ।

ପିକକର ଅଧ୍ୟକ୍ଷା ମିନାକ୍ଷୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଅନ୍‍ଲାଇନ୍‍ ସହାୟତା ସଂକ୍ରାନ୍ତରେ ସୂଚନା ଦେଇଥିଲେ । ଏହା ମାଧ୍ୟମରେ କୈଶୋର ସମସ୍ୟା, କ୍ୟାରିଅର କାଉନସେଲିଂ ଓ ବିଭିନ୍ନ କୌଶଳ ଶିକ୍ଷା ମଧ୍ୟ ଯୋଗାଇ ଦିଆଯିବ । ପିକକ ଓ ଶିକ୍ଷା ସନ୍ଧାନ ପକ୍ଷରୁ କେନ୍ଦୁଝର ଓ ମୟୁରଭଞ୍ଜର ୫୦ଟି ଗ୍ରାମରେ ଗତ ତିନିବର୍ଷ ଧରି ଶିଶୁ ଅଧିକାର ଅଭିଯାନ ଚାଲିବା ନେଇ ଶ୍ରୀମତୀ ମହାନ୍ତି ସୂଚନା ଦେଇଥିଲେ ।

କର୍ମଶାଳାରେ ଯୋଗଦେଇ ଓସେପାର ଯୁଗ୍ମ ନିର୍ଦ୍ଦେଶକ ବିଶ୍ୱନାଥ ତରାଇ କୋଭିଡ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶିକ୍ଷାଦାନ ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ସଂକ୍ରାନ୍ତରେ ସୂଚନା ଦେଇଥିଲେ । ବିଶେଷକରି ଛାତ୍ରଛାତ୍ରୀଙ୍କ ପାଇଁ ରେଡିଓ ପାଠଶାଳା ଓ ଶିକ୍ଷାଦର୍ପଣ ଭଳି କାର୍ଯ୍ୟକ୍ରମ ଜାରି ରହିଥିବାବେଳେ ବିଦ୍ୟାଳୟଗୁଡିକ ପ୍ରସ୍ତୁତ ଥିବା କହିଥିଲେ । ନୀତି ଆୟୋଗରେ ଶିଶୁ ଅଧିକାର ସୁରକ୍ଷା ଷ୍ଟାଣ୍ଡିଂକମିଟିର ସଦସ୍ୟ ଥିବା ସଞ୍ଜୟ ମିଶ୍ର ପିକକ ଦ୍ୱାରା ଆରମ୍ଭ କରାଯାଇଥିବା ହେଲ୍ପଲାଇନ୍‍କୁ ପ୍ରଶଂସା କରିଥିବାବେଳେ ସମସ୍ତ ଶିଶୁ କିଭଳି ଶିକ୍ଷାଲାଭ କରିବେ ସେଥିପାଇଁ ମିଳିମିଶି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

ମହିଳା ଓ ଶିଶୁ ବିକାଶ ବିଭାଗର ପରାମର୍ଶଦାତା ମଧୁମିତା ଦାସ ଆଦ୍ୟ ଶୈଶବରେ ପିଲାଙ୍କ ଯତ୍ନ ଓ ପାଠପଢା ନେଇ ସରକାର ଗ୍ରହଣ କରିଥିବା ବିଭିନ୍ନ ଯୋଜନା ସଂକ୍ରାନ୍ତରେ ସୂଚନା ଦେଇଥିଲେ । ପିକକର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଏହି ଅବସରରେ କହିଥିଲେ ଯେ ଅନ୍‍ଲାଇନ୍‍ ହେଲ୍ପଲାଇନ୍‍ ହେଉଛି ଏକ ନୂତନ କାର୍ଯ୍ୟକ୍ରମ । ଏହାର ସଫଳତା ପାଇଁ ସମସ୍ତଙ୍କ ସହଯୋଗ ଲୋଡା । ପିଲାଙ୍କ ଉପରେ ହେଉଥିବା ହିଂସା ରୋକିବାକୁ ସମସ୍ତେ ସହଯୋଗ କରିବା ଆବଶ୍ୟକ । ବିଭିନ୍ନ ବିଭାଗର ସହାୟତାରେ ହେଲ୍ପଲାଇନ୍‍ ଜରିଆରେ ପିଲାଙ୍କୁ ସହାୟତା ଯୋଗାଯାଇ ପାରିବ ।

ବର୍ତ୍ତମାନ ସୁଦ୍ଧା ପିକକ ପ୍ରାୟ ୩୫ହଜାର ପିଲାଙ୍କୁ ବିଭିନ୍ନ ଶ୍ରମ କ୍ଷେତ୍ରରୁ ଉଦ୍ଧାର କରି ବିଦ୍ୟାଳୟକୁ ପଠାଇଥିବା ସେ ସୂଚନା ଦେଇଥିଲେ । ଶିଶୁଶ୍ରମ ଉଚ୍ଛେଦ ପାଇଁ ନିରାପଦ ଓ ଗୁଣାତ୍ମକ ଶିକ୍ଷା ଏକ ଜରୁରୀ ଆବଶ୍ୟକତା ବୋଲି ସେ କହିଥିଲେ । ଶେଷରେ ପିକକର କୋଷାଧ୍ୟକ୍ଷା ଶ୍ରମତୀ ରତ୍ନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।