Home General ଅନ୍‌ଲାଇନ୍‌ ବିମ୍‌ସ ସେବା ଲୋକାର୍ପିତ

ଅନ୍‌ଲାଇନ୍‌ ବିମ୍‌ସ ସେବା ଲୋକାର୍ପିତ

ଭୁବନେଶ୍ୱର : ବାଣିଜ୍ୟ ଓ ପରିବହନ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଅନ୍ତର୍ଦେଶୀୟ ଜଳପଥରେ ପରିଚାଳିତ ସମସ୍ତ ବୋଟ୍‌ ପଂଜୀକରଣ ଓ ନବୀକରଣର ଅନ୍‌ଲାଇନ୍‌ ବ୍ୟବସ୍ଥା ବୋଟ୍‌ ଇନ୍‌ଫରମେସନ୍‌ ଆଣ୍ଡ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍‌ (ବିମ୍‌ସ)(Boat Information and Management System (BIMS)ର ଲୋକାର୍ପଣ
କରିଛନ୍ତି ।

ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ବେହେରା ଏହି ବ୍ୟବସ୍ଥାର ଶୁଭାରମ୍ଭ କରି କହିଛନ୍ତି ରାଜ୍ୟର ଅନ୍ତର୍ଦେଶୀୟ ଜଳପଥରେ ନିରାପଦ ଯାତ୍ରା ନିମନ୍ତେ ରାଜ୍ୟ ସରକାର ଓଡ଼ିଶା ବୋଟ୍‌ ରୁଲସ୍‌-୨୦୦୪ ପ୍ରଣୟନ କରିଛନ୍ତି । ଏହି ଅନୁଯାୟୀ ବର୍ତ୍ତମାନ ମାନୁଆଲ୍‌ ପଦ୍ଧତିରେ ବୋଟ୍‌ ପଂଜୀକରଣ କାର୍ଯ୍ୟ ସଂପାଦନ ହେଉଛି ।

ମାନୁଆଲ୍‌ ପଦ୍ଧତି ଦ୍ୱାରା ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଅନ୍‌ଲାଇନ୍‌ ପଦ୍ଧତି ‘ବିମସ୍‌’ ଦ୍ୱାରା ମାଲିକମାନେ ନିଜ ଘରେ ରହି ସେମାନଙ୍କର ବୋଟଗୁଡ଼ିକର ପଂଜୀକରଣ, ନବୀକରଣ, ଲାଇସେନ୍ସ ଆଦି ସେବା ସହଜରେ ଅନ୍‌ଲାଇନ୍‌ରେ ପାଇପାରିବେ ।

ବୋଟ ପଂଜୀକରଣ ଓ ନବୀକରଣ ପ୍ରକ୍ରିୟାର ସମସ୍ତ ସୂଚନା ସେମାନେ ନିଜ ମୋବାଇଲ୍‌ରେ ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଥିଲେ । ଆଜି ସେ ଜଣଙ୍କୁ ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌ ପ୍ରଦାନ କରିଥିଲେ ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ କହିଲେ ଯେ ରାଜ୍ୟ ସରକାରଙ୍କ ୫-‘ଟି’ ପ୍ରକି୍ରୟା କ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଏନ୍‌ଏସ୍‌ଆଇସିଙ୍କ ସହଯୋଗରେ ବିକଶିତ କରାଯାଇଛି । ବିମସ୍‌ ଦ୍ୱାରା ବୋଟର ସମସ୍ତ ତଥ୍ୟ ଗୋଟିଏ ବ୍ୟବସ୍ଥାରେ ଏକତି୍ରତ କରାଯାଇପାରିବ । ଏହା ଦ୍ୱାରା ଯେକୌଣସି ବୋଟ୍‌ର ତଥ୍ୟ ସରକାରୀ କର୍ମଚାରୀ ଓ ସାଧାରଣ ଜନତା ସହଜରେ ପାଇପାରିବେ । ଏହାକୁ ଜିଲ୍ଲା ଅଧିକାରୀମାନେ ବ୍ୟବହାର କରି ବ୍ୟବସ୍ଥାର ଉନ୍ନତି କରିପାରିବେ ।

ଏହି ଆପ୍ଲିକେସନ୍‌ ଦ୍ୱାରା ବୋଟର ପଂଜୀକରଣ ଓ ନବୀକରଣର ବୈଧତା ସରିବା ପୂର୍ବରୁ ବୋଟ୍‌ ମାଲିକମାନଙ୍କୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସତର୍କ କରାଯାଇପାରିବ । ବନ୍ଦର ଓ ଅନ୍ତର୍ଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶାଳୟ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି ଅନ୍‌ଲାଇନ୍‌ ସେବାକୁ ଭବିଷ୍ୟତରେ ଅଧିକ ସଂପ୍ରସାରିତ କରାଯିବ ବୋଲି ସେ ସୂଚନା ଦେଇଥିଲେ ।

କାର୍ଯ୍ୟକ୍ରମରେ ବିଭାଗର ଅତିରିକ୍ତ ଶାସନ ସଚିବ ଲକ୍ଷ୍ମୀଧର ବେହେରା, ନିର୍ଦ୍ଦେଶକ, ବନ୍ଦର ଓ ଅନ୍ତର୍ଦେଶୀୟ ଜଳପଥ ପରିବହନ, ପଦ୍ମଲୋଚନ ରାଉଳ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ମନମୋହନ ବାରିକ, ବିଭାଗୀୟ ଯୁଗ୍ମ ଶାସନ ସଚିବ ଦେବଦତ୍ତା ଜେନା, ଏନ୍‌ଏସ୍‌ଆଇସିର କର୍ମକର୍ତ୍ତା ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।