Home News in Odia ଅନ୍ୟ ଦଳ ନେତାଙ୍କ ବିଜେଡିରେ ପତିଆରା

ଅନ୍ୟ ଦଳ ନେତାଙ୍କ ବିଜେଡିରେ ପତିଆରା

ଭୁବନେଶ୍ୱର : ଅନ୍ୟ ଦଳରୁ ଆସିଥିବା ନେତାମାନଙ୍କୁ ବିଜେଡି ଗୁରୁତ୍ୱ ପ୍ରଦାନ କରି ରାଜ୍ୟ ମନ୍ତ୍ରୀମଣ୍ଡଳ ସମେତ ବିଧାନସଭା, ଲୋକସଭା, ରାଜ୍ୟସଭା ଓ ଅନ୍ୟ ସରକାରୀ ସଂସ୍ଥାରେ ନିଯୁକ୍ତି ଦେଉଥିବାବେଳେ କଂଗ୍ରେସ ଓ ବିଜେପିରେ ଯୋଗ ଦେଉଥିବା ଭିନ୍ନଦଳର ନେତାମାନେ ବେଶିଦିନ ତିଷ୍ଠି ରହିପାରୁ ନାହାନ୍ତି । ଏଥିଯୋଗୁଁ କଂଗ୍ରେସ, ବିଜେପି ଆଦି ଦଳ ଛାଡି ବିଜେଡିରେ ସାମିଲ ହେବାପାଇଁ ନେତାମାନଙ୍କ ଧାଡି ଲାଗୁଛି ।

ରାଜ୍ୟ ମନ୍ତ୍ରୀମଣ୍ଡଳରେ ଥିବା ନବ କିଶୋର ଦାସ କଂଗ୍ରେସରୁ ଆସିଥିବାବେଳେ ରଘୁନନ୍ଦନ ଦାସ ଓ ତୁଷାରକାନ୍ତି ବେହେରା ବିଜେପି ଛାଡି ବିଜେଡି ଟିକଟରେ ବିଧାନସଭା ନିର୍ବାଚନ ଲଢି ରାଜ୍ୟ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଇଛନ୍ତି । ସେହିଭଳି ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ଏକଦା ଓଡିଶାର ସର୍ବେସର୍ବା ଥିବା ସୁଦାମ ମାରାଣ୍ଡି ମଧ୍ୟ ରାଜସ୍ୱ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଅଛନ୍ତି ।

ସରକାରୀ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ପୂର୍ବରୁ ରାଜ୍ୟ ଯୁବ କଂଗ୍ରେସର ସଭାପତି ଥିଲେ । କଂଗ୍ରେସର ଟାଣୁଆ ନେତା ପିନାକୀ ମିଶ୍ର, ଚନ୍ଦ୍ରଶେଖର ସାହୁ ଓ ବିଜେପିର ଟାଣୁଆ ନେତା ମହେଶ ସାହୁ ଏବେ ବିଜେଡିର ଲୋକସଭା ସଦସ୍ୟ । ସେହଭଳି ସିପିଏମ୍‍ର ଛାମୁଆ ନେତା ସୁବାସ ସିଂହ ବିଜେଡିର ଗୁରତ୍ୱପୂର୍ଣ୍ଣ ପଦ ପଦବୀରେ ରହିବା ସହିତ ଏବେ ରାଜ୍ୟସଭା ସାଂସଦ ଅଛନ୍ତି ।

ଏକଦା ରାଜ୍ୟ ବିଜେପି ଉପସଭାପତି ଥିବା ରାଜକିଶୋର ଦାସ ଏବେ ବିଜେଡି ବିଧାୟକ । ସେହିଭଳି ଅତୀତରେ କଂଗ୍ରେସ ସାଂସଦ ଓ ବିଜେପିର ରାଜ୍ୟ ଉପସଭାପତି ତଥା ଆମ ଓଡିଶା ଦଳର ପ୍ରତିଷ୍ଠାତା ଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ଏବେ ବିଜେଡି ବିଧାୟକ । କଂଗ୍ରେସର ଟାଣୁଆ ନେତା ତଥା ଏକଥା ବିରୋଧିଦଳ ନେତା ଥିବା ଭୂପିନ୍ଦର ସିଂହ ଓ ବିଜେପିର ଆଗଧାଡିର ନେତା ଥିବା ଅରବିନ୍ଦ ଢାଲିଙ୍କୁ ବିଜେଡି ବିଧାୟକ କରିଛି । ଏମାନଙ୍କ ଛଡା ଅନ୍ୟ ଦଳରୁ ଆସିଥିବା ରୀତା ସାହୁ, ଜ୍ୟୋତିନ୍ଦ୍ରନାଥ ମିତ୍ର, ବିକ୍ରମ କୁମାର ପଣ୍ଡା ମଧ୍ୟ ବିଜେଡି ବିଧାୟକ ଭାବେ ସମ୍ମାନର ସହ କାମ କରୁଛନ୍ତି ।

ଅବଶ୍ୟ ବିଜେଡି ନେତ୍ରୀ କୁସୁମ ଟେଟେ ଓ ଜୟନ୍ତ ଷଡଙ୍ଗୀ ଏବଂ କଂଗ୍ରେସ ନେତା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବେ ବିଜେପି ବିଧାୟକ ଅଛନ୍ତି । ସେହିଭଳି ବିଜେପି ବିଧାୟକ ତାଲିକାରେ ପୂର୍ବତନ ବିଜେଡି ନେତା କେ.ନାରାୟଣ ରାଓ ଓ ସୁକାନ୍ତ ନାୟକଙ୍କ ନାମ ବି ରହିଛି ।

ତେବେ ଅତୀତରେ ଭିନ୍ନ ଦଳରୁ ବିଜେପିକୁ ଆସିଥିବା ହରିଶ୍ଚନ୍ଦ୍ର ବକ୍ସିପାତ୍ର, ଶରତ କୁମାର କର, ବେଦ ପ୍ରକାଶ ଅଗ୍ରୱାଲ, ରାମକୃଷ୍ଣ ପଟ୍ଟନାୟକ, ତାରା ପ୍ରସାଦ ବାହିନିପତି, ବ୍ରଜ କିଶୋର ତ୍ରିପାଠୀ, ଦାମୋଦର ରାଉତଙ୍କ ଭଳି ଟାଣୁଆ ନେତାମାନେ ଏହି ଦଳରେ ବେଶିଦିନ ତିଷ୍ଠିପାରି ନାହାନ୍ତି । କିନ୍ତୁ ଅନ୍ୟ ପକ୍ଷରେ ଭିନ୍ନ ଦଳରୁ ବିଜେଡିକୁ ଆସିଥିବା ସଂଗ୍ରାମ କେଶରୀ ପାଇକରାୟ, ସୁଲୋଚନା ଦାସ, ଚିନ୍ମୟ ସାହୁ ଆଦିଙ୍କୁ ବିଜେଡି ଗୁରୁତ୍ୱପୂର୍ଣ୍ଣ ସରକାରୀ ପଦବୀରେ ରଖିଛି ।

ମହିଳା କଂଗ୍ରେସ ରାଜ୍ୟ ସଭାନେତ୍ରୀ ଥିବା ସୁମିତ୍ରା ଜେନା ବିଜେଡିର ରାଜ୍ୟ ସାଧାରଣ ସମ୍ପାଦିକା ଭାବେ କାର୍ଯ୍ୟ କରୁଛନ୍ତି । ସିପିଆଇ, ସିପିଏମ୍‍, କଂଗ୍ରେସ, ବିଜେପି ଆଦି ଦଳରୁ ଯେଉଁ ନେତାମାନେ ବିଜେଡିକୁ ଆସିଛନ୍ତି ସେମାନଙ୍କୁ ଏଠି ଦଳର ସୁପ୍ରିମୋ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀ ଦେଇଥିବାବେଳେ କଂଗ୍ରେସ ଓ ବିଜେପିକୁ ଅନ୍ୟ ଦଳରୁ ଯାଇଥିବା ନେତାମାନେ କିନ୍ତୁ ଦଳ ଭିତରେ କୋଣଠେସା ହେଉଛନ୍ତି କିମ୍ବା ସତ୍ତା ହରାଉଛନ୍ତି । ଏ ପରିପ୍ରେକ୍ଷୀରେ ବିଜେଡି ଏବେ ଅନ୍ୟ ଦଳର ନେତାମାନଙ୍କ ପ୍ରଥମ ପସନ୍ଦ ହୋଇଛି । (ତଥ୍ୟ)