Home General ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳିତ

ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳିତ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟରେ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳିତ ହୋଇଯାଇଛି । ଏହା ସହ ମଇ ୪ ରୁ ଚାଲିଥିବା ୧୫ ଦିନିଆ ଗ୍ରୀଷ୍ମକାଳୀନ ସଉରା ଚିତ୍ରକଳା (ଇଡ଼ିତାଲ୍‌) ଶିବିର ମଧ୍ୟ ଉଦଯାପିତ ହୋଇଯାଇଛି ।

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନ(ଏସସିଏସଟିଆରଟିଆଇ) ପରିସରରେ ଥିବା ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରୀଷ୍ମକାଳୀନ ସଉରା ଚିତ୍ରକଳା (ଇଡ଼ିତାଲ୍‌) ଶିବିରର ଆୟୋଜନ କରାଯାଇଥିଲା । ଏହି ଅନ୍ତର୍ଜାତୀୟ ଦିବସ ପାଳନ ସମାରୋହରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ରୂପାରୋଶନ ସାହୁ, ଏସ୍‌ସିଏସଟିଆରଟିଆଇର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ, ଉପନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ରଥ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ସବିତା ଆଚାର୍ଯ୍ୟ ବିବିଧ ସଂଗ୍ରହାଳୟ ସମ୍ପର୍କରେ ସୂଚନା ଦେବା ସହିତ ଜାତୀୟ ଶିକ୍ଷା ନୀତି ୨୦୨୦ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ପିଲାମାନେ ଭବିଷ୍ୟତରେ ଏହି ଶିକ୍ଷାନୀତି ବଳରେ କର୍ମକ୍ଷେତ୍ରରେ ସଫଳତା ପାଇପାରିବେ ବୋଲି ସେ ସୂଚନା ଦେଇଥିଲେ । ବିଭାଗୀୟ କମିଶନର୍‌ ତଥା ଶାସନ ସଚିବ ଶ୍ରୀମତୀ ରୂପାରୋଶନ ସାହୁ ଜନଜାତିଙ୍କ ଉତ୍କର୍ଷ କଳା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ସହ ଏହାର ଉତ୍କର୍ଷକୁ ଜନମାନସରେ ବିଶେଷ କରି ଉତ୍ତରପିଢି ନିକଟରେ ପହଞ୍ଚାଇବା ପାଇଁ ଏହା ଏକ ପ୍ଲାଟଫର୍ମ ଯୋଗାଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ଏସ୍‌ସିଏସଟିଆରଟିଆଇ ନିର୍ଦ୍ଦେଶକ ଶ୍ରୀ ତ୍ରିପାଠୀ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସର ମହ‰ ସମ୍ପର୍କରେ ନିଜ ମତ ଦେବା ସହ ଚଳିତ ବର୍ଷର ଶୀର୍ଷକ ‘ଶିକ୍ଷା ଓ ଗବେଷଣା ପାଇଁ ସଂଗ୍ରହାଳୟ’ର ଉଦ୍ଦେଶ୍ୟ ପ୍ରତିପାଦିତ କରିଥିଲେ ।

କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରଛାତ୍ରୀ ନିଜ ନିଜର ଅନୁଭୂତି ବଖାଣିବା ସହ ଜନଜାତି ସଂସ୍କୃତି ବିଷୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିବାରୁ ଖୁସି ବ୍ୟକ୍ତ କରିଥିଲେ । ଭୁବନେଶ୍ୱରର ପ୍ରାୟ ୧୪ ଟି ବିଦ୍ୟାଳୟରୁ ୩୩ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବି.କେ. କଲେଜ ଅଫ୍‌ ଆର୍ଟ୍ସର ବରିଷ୍ଠ ଅଧ୍ୟାପକ ଶ୍ରୀ ଚନ୍ଦ୍ରଶେଖର ସେଠୀ, ସଉରା ଚିତ୍ରଶିଳ୍ପୀ ଶ୍ରୀ ଜୁନେସ୍‌ ଗମାଙ୍ଗ ଓ ଶ୍ରୀ ରବିନାଥ ଶବର ଛାତ୍ରଛାତ୍ରୀଙ୍କୁ ଇଡ଼ିତାଲ୍‌ ବିଷୟରେ ଶିକ୍ଷାଦାନ ଦେଇଥିଲେ । ଏହି ଅବସରରେ ସମସ୍ତ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିବାବେଳେ ଚିତ୍ରକଳା କୁଇଜ୍‌ ରେ ବିଜୟୀ ୬ ଜଣଙ୍କୁ ସମ୍ମାନୀତ କରାଯାଇଥିଲା ।

ଆଜିର କାର୍ଯ୍ୟକ୍ରମରେ ସଂଗ୍ରହଳାୟର ସହ ନିର୍ଦ୍ଦେଶକ ଡ଼ ସଂଘମିତ୍ରା ସେଠୀ ଧନ୍ୟବାଦ ଅର୍ପଣ କରିବା ସମତେ ଏସ୍‌ସିଏସଟିଆରଟିଆଇର ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।