Home Administration ଅନୁମୋଦନ ପରେ ମିଳୁନି ମଧୁବାବୁ ପେନ୍‍ସନ

ଅନୁମୋଦନ ପରେ ମିଳୁନି ମଧୁବାବୁ ପେନ୍‍ସନ

ଭୁବନେଶ୍ୱର : ବରିଷ୍ଠ ନାଗରିକମାନଙ୍କୁ ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ ସୁବିଧା ସୁଯୋଗ ଯୋଗାଇବାଲାଗି ପଦକ୍ଷେପ ଗ୍ରହଣ କରୁଥିବାବେଳେ ତଳ ସ୍ତରର କିଛି ଅଧିକାରୀଙ୍କ ଅବହେଳା ଯୋଗୁଁ ଯୋଜନାର ସୁଫଳ ଲୋକେ ପାଉ ନାହାନ୍ତି । ଅନ୍ୟ ଯୋଜନା ତ ଦୂରରକଥା ସରକାରୀ ଅନୁମୋଦନ ପରେ ବି ବୁଢା ବୁଢୀମାନଙ୍କୁ ଠିକଣା ସମୟରେ ଅଧିକାରୀମାନେ ମଧୁବାବୁ ପେନ୍‍ସନ ଦେଇପାରୁ ନାହାନ୍ତି ।

ଏଭଳି ଏକ ଘଟଣା ଦୃଷ୍ଟିକୁ ଆସିଛି କେନ୍ଦୁଝର ଜିଲ୍ଲାରୁ । ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଅର୍ନ୍ତଗତ ଜୁଙ୍ଗା ଓ ଧୁରୁଡିଆମ୍ବା ପଞ୍ଚାୟତର ୬ଜଣ ମଧୁବାବୁ ପେନ୍‍ସନ ଯୋଜନାରେ ସାମିଲ ହୋଇଥିଲେ । ଧୁରୁଡିଆମ୍ବା ପଞ୍ଚାୟତର ତିନି ଜଣ ପେନ୍‍ସନ ଅର୍ଥ ପାଇଥିବାବେଳେ ଜୁଙ୍ଗା ପଞ୍ଚାୟତର କିନ୍ତୁ ତିନି ଜଣ ପେନ୍‍ସନ ଅର୍ଥକୁ ଚାହିଁ ବସିଛନ୍ତି ।

ସୂଚନା ଯୋଗ୍ୟ ଯେ ଚଳିତବର୍ଷ ଜୁଲାଇ ମାସରୁ ଏହି ବ୍ୟକ୍ତିମାନଙ୍କ ସପକ୍ଷରେ ମଧୁବାବୁ ପେନ୍‍ସନ ମଞ୍ଜୁର ହୋଇଛି ଏବଂ ଉପଜିଲ୍ଲାପାଳ ସେହିମାସ ୨୬ ତାରିଖରେ ନିର୍ଦ୍ଦେଶନାମାରେ ଦସ୍ତଖତ କରିଛନ୍ତି । ତେବେ ସମାନ ନିର୍ଦ୍ଦେନାମାରେ ଗୋଟିଏ ପଞ୍ଚାୟତରୁ ତିନି ଜଣ ପେନ୍‍ସନ ପାଇଥିବାବେଳେ ଅନ୍ୟଗୋଟିଏ ପଞ୍ଚାୟତର ତିନି ଜଣ ବର୍ତ୍ତମାନ ସୁଦ୍ଧା ସାମାଜିକ ସୁରକ୍ଷା ଯୋଜନାରେ ପେନ୍‍ସନ ପାଇପାରି ନାହାନ୍ତି । ବର୍ତ୍ତମାନ ସୁଦ୍ଧା ଭତ୍ତା ପାଇପାରି ନଥିବା ବ୍ୟକ୍ତିମାନେ ହେଲେ ଜୁଙ୍ଗା ପଞ୍ଚାୟତ ଅର୍ନ୍ତଗତ ନିତ୍ୟାନନ୍ଦପୁର ଗ୍ରାମର ୬୨ବର୍ଷ ବୟସ୍କ ଦୁଃଖବନ୍ଧୁ ବାରିକ ଓ ପିତାମ୍ବର ଘଣା ଏବଂ ୬୭ବର୍ଷ ବୟସ୍କ ବଙ୍ଗାତି ଘଣା ।

ଉପଜିଲ୍ଲାପାଳଙ୍କ ଦସ୍ତଖତ ପରେ ସ୍ଥାନୀୟ ବ୍ଲକ ପ୍ରଶାସନ ଏହାକୁ କାର୍ଯ୍ୟକାରୀ କରିବା କଥା । ହେଲେ ବିଡିଓ କିମ୍ବା ଅନ୍ୟ କୌଣସି କର୍ମଚାରୀଙ୍କ ଖାମ ଖିଆଲି ଯୋଗୁଁ ନିର୍ଦ୍ଦେଶନାମାର ୪ମାସ ବିତିଥିଲେ ବି ଗରିବ ପରିବାରଗୁଡିକ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଏହା କେବଳ ଗୋଟିଏ ଉଦାହରଣ ମାତ୍ର । ରାଜ୍ୟର ଅଧିକାଂଶ ସ୍ଥାନରେ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ପାଇଁ ଆବେଦନ, ଅନୁଧ୍ୟାନ, ମଞ୍ଜୁରୀ ଓ ସହାୟତା ପ୍ରଦାନରେ ଢେର ବିଳମ୍ବ ହେବାରେ ଲାଗିଛି । ରାଜ୍ୟ ସରକାର ଏପରିକି ଖୋଦ୍‍ ମୁଖ୍ୟମନ୍ତ୍ରୀ ସାମାଜିକ ସୁରକ୍ଷା ଯୋଜନାରେ ସାମିଲକୁ ସର୍ବାଧିକ ଗୁରୁତ୍ୱ ଦେଉଥିବାବେଳେ କ୍ଷେତ୍ର ସ୍ତରର ଅଧିକାରୀମାନେ ଏହାକୁ ହେୟଜ୍ଞାନ କରୁଥିବାରୁ ଅନେକ କ୍ଷେତ୍ରରେ କିଛି ହିତାଧିକାରୀ ସାମାଜିକ ସୁରକ୍ଷା ସହାୟତା ପାଇବାପାଇଁ ବର୍ଷ ବର୍ଷ ଲାଗିଯାଉଛି । ତେଣୁ ତଳ ସ୍ତରରେ ଏହା କିଭଳି ତୁରନ୍ତ କାର୍ଯ୍ୟକାରୀ ହେବ ଏବଂ ଏଥିରେ ବିଳମ୍ବ କରୁଥିବା ଅଧିକାରୀମାନେ କିଭଳି ଦଣ୍ଡିତ ହେବେ ତାହା ଉପରେ ରାଜ୍ୟ ସରକାର ନଜର ରଖିବାକୁ ମତପ୍ରକାଶ ପାଉଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here