Home Administration ଅନିଶ୍ଚିତତାରେ ମେକ୍‍ ଇନ୍‍ ଓଡିଶା କନକ୍ଲେଭ

ଅନିଶ୍ଚିତତାରେ ମେକ୍‍ ଇନ୍‍ ଓଡିଶା କନକ୍ଲେଭ

ଚଳିତବର୍ଷ ନଭେମ୍ବର ୩୦ ତାରିଖରେ ହେବାକୁ ଥିବା ମେକ୍‍ ଇନ୍‍ ଓଡିଶା କନକ୍ଲେଭ ପାଇଁ ଯୋଜନା ହୋଇଥିବାବେଳେ ଏବେ ତାହା ହେବ କି ନାହିଁ ବିଚାର ଚାଲିଛି । କରୋନା ମହାମାରୀ ପାଇଁ କନ୍‍କ୍ଲେଭ ଆୟୋଜନରେ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଦର୍ଶାଇଛନ୍ତି ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ।

ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ପ୍ରଶ୍ନର ଉତ୍ତରରେ ଶିଳ୍ପମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଶିଳ୍ପାୟନକୁ ପ୍ରୋତ୍ସାହିତ କରିବା ସକାଶେ ବିଗତ ୫ବର୍ଷ ମଧ୍ୟରେ ସବୁଦାୟ ୭୯ଟି ଶିଳ୍ପମେଳା ଆୟୋଜନ ହୋଇଛି । ଏଥି ମଧ୍ୟରୁ ଓଡିଶା ଭିତରେ ୨୪ଟି ଓ ଓଡିଶା ବାହାରେ ୫୫ଟି ଟି ମେଳା ଆୟୋଜନ ହୋଇଛି । ଓଡିଶା ଭିତରେ କରାଯାଇଥିବା ୨୪ଟି ଶିଳ୍ପମେଳା ମଧ୍ୟରୁ ୨୦୨୦-୨୧ ମସିହାରେ ୯ଟି ମେଳା କରୋନା ମହାମାରୀ ଯୋଗୁଁ ଭର୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ହୋଇଛି ।

ଓଡିଶା ଭିତରେ ଆୟୋଜିତ ସମସ୍ତ ମେଳା ଭୁବନେଶ୍ୱରରେ ହୋଇଛି । ଏଥି ମଧ୍ୟରୁ ୨୦୧୬-୧୭ ମସିହାରେ ୨ଟି, ୨୦୧୭-୧୮ ମସିହାରେ ୬ଟି, ୨୦୧୮-୧୯ ମସିହାରେ ୨ଟି, ୨୦୧୯-୨୦ ମସିହାରେ ୫ଟି ଓ ୨୦୨୦-୨୧ ବର୍ଷରେ ୯ଟି ଶିଳ୍ପମେଳା ଆୟୋଜନ ହୋଇଛି । ତେବେ ଚଳିତବର୍ଷ ଆୟୋଜିତ ସମସ୍ତ ୯ଟି ମେଳା ଜୁନ୍‍ରୁ ଅଗଷ୍ଟମାସ ମଧ୍ୟରେ ୱେବିନାରରେ କରାଯାଇଛି ।

ସେହିଭଳି ରାଜ୍ୟ ବାହାରେ ଆୟୋଜିତ ହୋଇଥିବା ଶିଳ୍ପମେଳାଗୁଡିକ ବିଭିନ୍ନ ଦେଶ ୟୁଏଇ, ଆମେରିକା, ତାଇୱାନ, ଜାପାନ, ଥାଇଲ୍ୟାଣ୍ଡ, ଜର୍ମାନୀ, ଇଟାଲୀ, ସାଉଦି ଆରବ, ଚୀନ୍‍, ସିଙ୍ଗାପୁର ସମେତ ଦେଶ ଭିତରେ ନୂଆଦିଲ୍ଲୀ, ହାଇଦ୍ରାବାଦ, ଚେନ୍ନାଇ, ନାଗପୁର, ଭାଇଜାଗ, ଅହମ୍ମଦାବାଦ, ମୁମ୍ବାଇ ଆଦିରେ ଅନୁଷ୍ଠିତ ହୋଇଛି । ୨୦୧୬-୧୭ ବର୍ଷରେ ରାଜ୍ୟ ବାହାରେ ୧୨ଟି ଶିଳ୍ପମେଳା ଆୟୋଜିତ ହୋଇଥିବାବେଳେ ୨୦୧୭-୧୮ରେ ୧୨ଟି, ୨୦୧୮-୧୯ ରେ ୧୩ଟି ଓ ୨୦୧୯-୨୦ ବର୍ଷରେ ୧୮ଟି ଶିଳ୍ପମେଳା ଆୟୋଜିତ ହୋଇଛି ।

ଏହିସବୁ ଶିଳ୍ପ ମେଳାରେ ବିଭିନ୍ନ ସଂସ୍ଥାମାନଙ୍କ ଦ୍ୱାରା ବର୍ତ୍ତମାନ ସୁଦ୍ଧା ୬,୨୬,୩୫୯.୫୩କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ୨୮୬ଟି ପ୍ରସ୍ତାବ ଦାଖଲ ହୋଇଥିଲା । ଏହି ପ୍ରସ୍ତାବ ମଧ୍ୟରୁ ୨୧୨ଟି ଏକକ ବାତାୟନ ପ୍ରଣାଳୀ ମାଧ୍ୟମରେ ୫,୨୮,୬୦୯ କୋଟି ଟଙ୍କାର ପୁଞ୍ଜିନିବେଶ ସହ ଅନୁମୋଦନ ହୋଇଛି । ଅନୁମୋଦିତ ପ୍ରସ୍ତାବ ମଧ୍ୟରୁ ୧୩ଟି ସ୍ଥାପନ ହୋଇ ଆଂଶିକ ତଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିବାବେଳେ ୧୦୪ଟି ସେମାନଙ୍କର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ଓ ଅନ୍ୟ ଗୁଡିକ ବିଭିନ୍ନ ପର୍ଯ୍ୟାୟରେ ଅଛନ୍ତି ।