Home News in Odia ଅନାବଣ୍ଟିତ କ୍ୱାଟର୍ସ ଏବେ ପଡିଶାଙ୍କ ଦୁର୍ଦ୍ଦଶା

ଅନାବଣ୍ଟିତ କ୍ୱାଟର୍ସ ଏବେ ପଡିଶାଙ୍କ ଦୁର୍ଦ୍ଦଶା

216
0

ଭୁବନେଶ୍ୱର : ସରକାରୀ କ୍ୱାଟର୍ସ ଆବଣ୍ଟନରେ ବିଳମ୍ବ ଯୋଗୁଁ ରାଜଧାନୀର ବିଭିନ୍ନ ୟୁନିଟ୍‍ରେ ସରକାରୀ ଘରେ ଥିବା ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ଖାଲି ପଡିଥିବା ସରକାରୀ କ୍ୱାଟର୍ସ ନିକଟରେ ରହୁଥିବା ଲୋକେ ନିଇତି ନିଶାଡିଙ୍କ ଠାରୁ ଆରମ୍ଭ କରି ଚୋର ଓ ଅପରାଧିଙ୍କର ସାମ୍ନା କରୁଛନ୍ତି

ରାଜଧାନୀର ବିଭିନ୍ନ ୟୁନିଟ୍‍ରେ ଏବେ ଶତାଧିକ ସରକାରୀ କ୍ୱାଟର୍ସ ଖାଲି ପଡିଛି । ଅବସର ଗ୍ରହଣର ତିନିମାସ ପରେ ସରକାରୀ କ୍ୱାଟର୍ସ ରଖୁଥିବା ବ୍ୟକ୍ତିଙ୍କ ଘରଭଡାକୁ ସରକାର ବହୁଗୁଣିତ କରିବା ଏବଂ ଯେଉଁମାନେ ଘର ନଛାଡିବେ ସୋମନଙ୍କ ଗ୍ରାଚ୍ୟୁଟି ଉପରେ ରୋକ୍‍ ଘୋଷଣା ପରେ ଅଧିକାଂଶ କର୍ମଚାରୀ ଅବସର ପରେ ପରେ ତୁରନ୍ତ ଘର ଛାଡୁଛନ୍ତି । ଏପରିକି ଜଣେ ଜଣେ କର୍ମଚାରୀ ଅବସର ଗ୍ରହଣ କରିବାର ସପ୍ତାହକ ମଧ୍ୟରେ କ୍ୱାଟର୍ସ ଖାଲି କରିଦେଉଛନ୍ତି ।

ତେବେ ଖାଲି ପଡୁଥିବା କ୍ୱାଟର୍ସ ଗୁଡିକ ତୁରନ୍ତ ଆବଣ୍ଟନ ହୋଇପାରୁ ନାହିଁ । ଫଳରେ ଘର ଖାଲି ହେବା ପରେ ପରେ ଏଠାରେ ଚୋରଙ୍କ କାରବାର ଆରମ୍ଭ ହେଉଛି । ରାତିବେଳା କିଏ ଝରକା ନେଇ ପଳାଉଛି ତ ଆଉ କିଏ କବାଟ ତାଡି ନେଉଛି । ତେକେତ ସ୍ଥାନରେ ଚୋରମାନେ କାଚ ଝରକାକୁ ଭାଙ୍ଗି ଆଲୁମିନିୟମ ଫ୍ରେମ, ଛାତରୁ ଆଜବେଷ୍ଟସ ଓ ଚଟାଣରେ ଲାଗିଥିବା ଟାଇଲକୁ ବି ତାଡି ନେଉଛନ୍ତି । ବିଜୁଳି ଓ ପାଣି ସଂଯୋଗ କଟିଗଲା ପରେ ଏହି ସରକାରୀ କ୍ୱାଟର୍ସଗୁଡିକୁ ଜଗିବାକୁ କେହି ନଥିବାରୁ ଚୋରମାନେ ପ୍ରତିଯୋଗିତା ଭିତ୍ତିରେ ବିଭିନ୍ନ ସାମଗ୍ରୀ ଲୁଟି ନେଉଛନ୍ତି ।

ମାସ ମାସ ଏପରିକି କେତେକ କ୍ଷେତ୍ରରେ ବର୍ଷାଧିକକାଳ ଧରି ସରକାରୀ କ୍ୱାଟର୍ସ ଗୁଡିକ ଏଭଳି ଅବସ୍ଥାରେ ପଡିବା ଯୋଗୁଁ ସଞ୍ଜ ହେଲେ ସେଠାରେ ନିଶାଡି ଓ ଅପରାଧିଙ୍କ ଭିଡ ଜମୁଛି । ଅନ୍ଧାର ଓ ନିଛାଟିଆ ଘରର ସୁଯୋଗ ନେଇ ନାନା ପ୍ରକାର ନିଶା ସେବନ ସହିତ ନିଶା ବେପାର ବି ସେଠାରେ ବେଧଡକଭାବେ ଚାଲୁଛି । ଅନେକ ପାଖ ପଡିଶା ଭୟରେ ଅଭିଯୋଗ କରୁନଥିବାବେଳେ ଯିଏ ଅଭିଯୋଗ କରୁଛି ତାକୁ ଏହି ନିଶାଡିମାନେ ନାଲିଆଖି ଦେଖାଉଛନ୍ତି । ଫଳରେ ଅନେକ ସରକାରୀ କର୍ମଚାରୀ ଏବେ ଚୋର ତସ୍କରଙ୍କ ଭୟରେ କାଳ କାଟୁଛନ୍ତି ।

ସରକାରୀ କ୍ୱାଟର୍ସ ଆବଣ୍ଟନରେ ବିଳମ୍ବ ଯୋଗୁଁ ସରକାର ବି ପୁନଃ ମରାମତି ବାବଦରେ ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି । ନୂଆ କବାଟ, ଝରକା ଠାରୁ ଆରମ୍ଭକରି ଆଜବେଷ୍ଟସ, ଟାଇଲ ଓ ଇଟା ଆଦି ଲଗାଇବାକୁ ପଡୁଛି । ଏଥିପାଇଁ ମାସ ମାସ ସମୟ ଲାଗିଯାଉଛି । ରାଜଧାନୀର ପାୟତଃ ସବୁ ୟୁନିଟ୍‍ରେ ଏଭଳି ଅବସ୍ଥା ଲାଗି ରହିଥିବାବେଳେ ଅନେକ କର୍ମଚାରୀ ବି କ୍ୱାଟର୍ସ ଖଣ୍ଡେ ପାଇବାକୁ ଅପେକ୍ଷାକରି ରହିଛନ୍ତି । ତେଣୁ ଖାଲି ହେଉଥିବା ସରକାରୀ କ୍ୱାଟର୍ସଗୁଡିକୁ ତୁରନ୍ତ ଆବେଦନ କରି ଅପେକ୍ଷାରେ ଥିବା କର୍ମଚାରୀମାନଙ୍କୁ ହସ୍ତାନ୍ତର କରିବାକୁ ମତପ୍ରକାଶ ପାଉଛି ।

LEAVE A REPLY

Please enter your comment!
Please enter your name here