Home Administration ଅଧ୍ୟକ୍ଷ ପଦବୀ ପୂରଣ କେବେ

ଅଧ୍ୟକ୍ଷ ପଦବୀ ପୂରଣ କେବେ

ବ୍ୟବସ୍ଥାଗତ ତ୍ରୁଟି ଓ ଶିଥିଳତା ଯୋଗୁଁ ଦୀର୍ଘବର୍ଷ ଧରି ରାଜ୍ୟର ଅଧିକାଂଶ ସରକାରୀ ଡିଗ୍ରୀ କଲେଜ ଗୁଡିକରେ ଅଧ୍ୟକ୍ଷ ପଦବୀ ଖାଲି ପଡିଛି । ଏହାଛଡା ବିଭିନ୍ନ ବିଷୟର ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ବିଳମ୍ବିତ ହୋଇ ଚାଲିଛି ।

ଉଚ୍ଚଶିକ୍ଷା ବିଭାଗ ପଦବୀ ପୂରଣ ପାଇଁ ଲୋକସେବା ଆୟୋଗଙ୍କୁ ଦାୟିତ୍ୱ ଦେଇଥିବା କଥା ସରକାରଙ୍କ ପକ୍ଷରୁ ପ୍ରାୟ ପ୍ରତି ବିଧାନସଭା ଅଧିବେଶନ ସମୟରେ ବିଧାୟକମାନଙ୍କୁ ଦିଅଯାଉଥିବା ଉତ୍ତରରେ ଦର୍ଶାଯାଉଛି । ଏହା ସତ୍ୱେ ବି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁ ନାହିଁ । ଗତ ଫେବୃୟାରୀମାସ ବେଳକୁ ରାଜ୍ୟର ୫୦ଟି ସରକାରୀ କଲେଜରେ ଅଧ୍ୟକ୍ଷ ପଦବୀ ସବୁ ଖାଲି ରହିଥିଲା । ୨୦୧୫ ରୁ ୨୦୧୯ ବର୍ଷ ମଧ୍ୟରେ ବି ଅଧିକାଂଶ ସରକାରୀ ଡିଗ୍ରୀ କଲେଜରେ ସ୍ଥାୟୀ ଅଧ୍ୟକ୍ଷ ନଥିବାରୁ ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ଦ୍ୱାରା କାର୍ଯ୍ୟ ଚଳାଯାଉଥିଲା ।

ସବୁଠାରୁ ଉଦ୍‍ବେଗଜନକ ବିଷୟ ହେଉଛି ଯେ ରାଜ୍ୟରେ ଥିବା ୩୭ଟି ସ୍ୱୟଂଶାସିତ କଲେଜରୁ ଅଧିକାଂଶର ସ୍ୱୟଂଶାସିତ ମର୍ଯ୍ୟାଦା ଦୀର୍ଘଦିନ ତଳୁ ସରିଯାଇଛି । ନିୟମିତ ଅଧ୍ୟକ୍ଷ ସାଙ୍ଗକୁ ଅନ୍ୟାନ୍ୟ ଅଧ୍ୟାପକ ଓ ଅଣଶିକ୍ଷକ ପଦବୀ ସବୁ ଖାଲି ପଡିଥିବା ଯୋଗୁଁ ଏଗୁଡିକର ନବୀକରଣ ହୋଇପାରୁନାହିଁ । ଶିକ୍ଷାବିତ୍‍ମାନେ କହୁଛନ୍ତି ଯେ ବର୍ଷ ବର୍ଷ ଧରି ପଦବୀ ଖାଲି ରହିବାପରେ ବିଭାଗୀୟ କର୍ତ୍ତୃପକ୍ଷ ପଦବୀ ପୂରଣ ପାଇଁ ଲୋକସେବା ଆୟୋଗଙ୍କୁ ଚିଠି ଲେଖନ୍ତି । ଆୟୋଗ ନିଯୁକ୍ତି ପ୍ରକ୍ରିୟା ଚଳାଇବାପରେ ବରିଷ୍ଠତା ତାଲିକା ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ମାମଲା ସୃଷ୍ଟିହେବା ଏକ ପ୍ରଥାରେ ପଡିଯାଇଛି । ଫଳରେ ପ୍ରାର୍ଥୀ ଚୟନ ଓ ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ଘଟିଥାଏ ।

ରାଜ୍ୟର ସରକାରୀ କଲେଜଗୁଡିକ ପାଇଁ ୨୩୦୦ରୁ ଅଧିକ ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବୀ ଓ ବେସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡିକ ପାଇଁ ୬୩୦୦ରୁ ଅଧିକ ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବୀ ରହିଛି । ଏଥିରୁ ଏବେ ପ୍ରାୟ ୩ହଜାର ଅଧ୍ୟାପକ ପଦବୀ ଖାଲି । ତେବେ କାମ ଚଳାଇବାପାଇଁ ବହୁ କ୍ଷେତ୍ରରେ ଅତିଥି ଅଧ୍ୟାପକ ନିୟୋଜନ କରାଯାଉଛି । ବିଶେଷକରି ସରକାରୀ କଲେଜଗୁଡିକର ବିଜ୍ଞାନଶ୍ରେଣୀ ମାନଙ୍କରେ ଏଥିଯୋଗୁଁ ପାଠପଢା ଗୁରୁତର ଭାବେ ବ୍ୟାହତ ହେଉଛି ।

ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡିକରେ ବି ଅନୁରୂପ ସମସ୍ୟା ଲାଗି ରହିଛି । ସରକାରଙ୍କ ନିୟନ୍ତ୍ରଣରେ ଥିବା ବିଶ୍ୱବିଦ୍ୟାଳ ଗୁଡିକରେ ହଜାରେରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡିଛି । ବିଶ୍ୱବିଦ୍ୟାଳୟ ଓ କଲେଜଗୁଡିକରେ ମଧ୍ୟ ଅଣଶିକ୍ଷକ ପଦବୀ ବହୁ ସଂଖ୍ୟାରେ ପୂରଣ ନହୋଇ ଖାଲି ପଡିଛି । ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଓ ଯୁକ୍ତଦୁଇ ଶିକ୍ଷାନୁଷ୍ଠାନଗୁଡିକ ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ଦ୍ୱାରା ପରିଚାଳିତ ହେଉଛି ।

ସରକାରୀ ଯୁକ୍ତ ଦୁଇ ଶିକ୍ଷାନୁଷ୍ଠାନଗୁଡିକରେ ଅଧ୍ୟାପକ ମରୁଡି ଅତି ଉକ୍ରଟ ଅବସ୍ଥାରେ ଥିବାରୁ ବିଜ୍ଞାନ ଶିକ୍ଷା ବିଶେଷ ଭାବେ ବାଧାପ୍ରାପ୍ତ ହେଉଛି । ଏ ପରିପ୍ରେକ୍ଷୀରେ ଏବେ ମେଧାବୀ ଛାତ୍ରଛାତ୍ରୀମାନେ ନାମୀ ଦାମୀ ସରକାରୀ କଲେଜଗୁଡିକ ଉପରେ ଭରସା କରିନପାରି ଭଲ ଫଳାଫଳ ପ୍ରଦର୍ଶନ କରୁଛି ବୋଲି ବିଜ୍ଞାପନ ଛାପୁଥିବା ରେସିଡେନ୍ସିଆଲ କଲେଜ ମୁହାଁ ହେଉଛନ୍ତି । (ତଥ୍ୟ)