Home Election ଅଧ୍ୟକ୍ଷ ପଦବୀ ଉପରେ ନଜର

ଅଧ୍ୟକ୍ଷ ପଦବୀ ଉପରେ ନଜର

ଭୁବନେଶ୍ୱର : ବ୍ୟାପକ ହିଂସାକାଣ୍ଡ ଓ ସରଗରମ ପରିସ୍ଥିତି ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦୁଇଟି ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ଆଉ ୩ଟି ପର୍ଯ୍ୟାୟ ବାକି ରହିଛି । ଏ ପରିସ୍ଥିତିରେ ଏବେ ସମସ୍ତଙ୍କ ନଜର ଭୋଟ ଗଣତି ଏବଂ ପରେ ପରେ ହେବାକୁ ଥିବା ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଉପରେ ।

ପ୍ରଥମ ପର୍ଯ୍ୟାୟ ତୁଳନାରେ ଦ୍ୱିତୀୟ ପର୍ଯ୍ୟାୟରେ ଅପେକ୍ଷାକୃତ କମ୍‍ ସଂଖ୍ୟକ ହିଂସାକାଣ୍ଡ ଘଟିଥିଲେ ବି ଏହାକୁ ନେଇ ଗାଁ ଗହଳରେ ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଛି । ରାଜ୍ୟ ନିର୍ବାଚନ କମିଶନ ଓ ପୋଲିସ ପ୍ରଶାସନ ଅନ୍ୟ ୩ଟି ପର୍ଯ୍ୟାୟର ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ଲକ୍ଷ୍ୟ ରଖିଥିଲେ ମଧ୍ୟ ସରପଞ୍ଚ ପଦବୀ ହାସଲ ପାଇଁ ବିଭିନ୍ନ ଦଳର ସମର୍ଥିତ ପ୍ରାର୍ଥୀମାନେ ଯେପରି ପ୍ରାଣମୂର୍ଚ୍ଛା ଲଢ଼ୁଛନ୍ତି ଏବଂ ପ୍ରମୁଖ ରାଜନୈତିକ ଦଳମାନେ ଏହାକୁ ମର୍ଯ୍ୟାଦାର ପ୍ରଶ୍ନ କରିଛନ୍ତି ସେଥିଯୋଗୁଁ ହିଂସାକାଣ୍ଡ ବ୍ୟାପକ ହେଉଛି ।

ଏଥର ନିର୍ବାଚନରେ ଗୋଟିଏ ବାକ୍ସରେ ଜଣେ ଜଣେ ଭୋଟର ଅନ୍ୟୂନ ୪ଟି କରି ବାଲାଟ ପକାଉଛନ୍ତି । ଅବଶ୍ୟ ୪ଟି ଯାକ ବାଲାଟ ପେପରର ରଙ୍ଗ ଭିନ୍ନ ଭିନ୍ନ ରହିଛି । ୱାର୍ଡମେମ୍ବର, ସରପଞ୍ଚ, ସମିତି ସଦସ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ପୃଥକ୍‍ ପୃଥକ୍‍ ବାଲାଟ ପେପର ବ୍ୟବହାର କରିବାକୁ ପଡୁଛି ଏବଂ ଏ ସମସ୍ତ ବାଲାଟ ପେପର ଗୋଟିଏ ଗୋଟିଏ ବାକ୍ସରେ ପକାଯାଉଛି ।

ନିର୍ବାଚନ ସହ ସଂପୃକ୍ତ ଅଧିକାରୀମାନେ କହୁଛନ୍ତି ଯେ ଆସନ୍ତା ୨୦, ୨୨ ଓ ୨୪ ତାରିଖରେ ହେବାକୁ ଥିବା ଅନ୍ୟ ୩ ପର୍ଯ୍ୟାୟର ଭୋଟ ଗ୍ରହଣ ପରେ ୨୬ରୁ ୨୮ ପର୍ଯ୍ୟନ୍ତ ୩ଦିନ ଧରି ବ୍ଲକ୍‍ସ୍ତରରେ ଭୋଟ ଗଣତି ଚାଲିବ । ଭୋଟ ବାକ୍ସରୁ ସିଲ୍‍ ଖୋଲିବା ପରେ ଭିନ୍ନ ଭିନ୍ନ ପଦବୀ ପାଇଁ ପଡିଥିବା ବାଲାଟ ପେପରଗୁଡିକୁ ଅଲଗା ଅଲଗା ବଣ୍ଡଲ୍‍ରେ ରଖାଯିବ ଏବଂ ସେଗୁଡିକର ଗଣନା ପାଇଁ ଏଥିଯୋଗୁଁ ଅଧିକ ସମୟ ଲାଗିବ । ତେଣୁ ଦିନକରେ ଭୋଟ ଗଣତି ସରିବା ସମ୍ଭବପର ନୁହେଁ । ଏଥିଲାଗି ନିର୍ବାଚନ କମିଶନ ୩ ଦିନ ଧରି ଭୋଟ ଗଣନା କାର୍ଯ୍ୟ ଜାରି ରଖିବେ ।

ଭୋଟ ଗଣତି ପରେ ଆଉ ୫ଟି ପଦବୀ ପାଇଁ ନିର୍ବାଚନ ହେବାକୁ ରହିଛି । ଜିଲ୍ଲା ପରିଷଦ ସଭାପତି ପଦବୀ ପାଇଁ ମାର୍ଚ୍ଚ ୧୩ ଓ ଉପସଭାପତି ପଦବୀ ପାଇଁ ମାର୍ଚ୍ଚ ୨୫ ତାରିଖରେ ନିର୍ବାଚନ ହେବ । ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ଲାଗି ମାର୍ଚ୍ଚ ୧୨ ଓ ଉପାଧ୍ୟକ୍ଷ ପଦବୀ ପାଇଁ ମାର୍ଚ୍ଚ ୧୫ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ନାଏବ ସରପଞ୍ଚ ପଦବୀ ପାଇଁ ମାର୍ଚ୍ଚ ୧୧ ତାରିଖରେ ନିର୍ବାଚନ ହେବ । ଏହି ନିର୍ବାଚନ ପରେ ପୃଥକ୍‍ ପୃଥକ୍‍ ଦିନରେ ଏହି ପଦବୀ ଲାଗି ବିଜିତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ।

ଏବେ ପଞ୍ଚାୟତ ଦଖଲ ପାଇଁ ସର୍ବାଧିକ ଗୁରୁତ୍ୱ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ଦେଉଥିବା ବେଳେ ଦଳୀୟ ଭିତ୍ତିରେ ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନ ହେଉଥିବାରୁ କେଉଁ ଦଳ କେତେ ଆସନ ଜିଲ୍ଲା ପରିଷଦରେ ଦଖଲ କରିବେ ତାହା ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ‘କର ବା ମର’ର ପ୍ରଶ୍ନ ହୋଇଛି । ବିଜେଡି ୩୦ଟି ଯାକ ଜିଲ୍ଲା ପରିଷଦ ସହିତ ୨୮୦ରୁ ଅଧିକ ପଞ୍ଚାୟତ ସମିତି ଦଖଲ ପାଇଁ ଲକ୍ଷ୍ୟ ରଖିଥିବା ବେଳେ ବିଜେପି ମଧ୍ୟ ସଂଖ୍ୟାଧିକ ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ଦଖଲ କରିବ ବୋଲି ଏହି ଦଳର ନେତାମାନେ ଦାବି କରୁଛନ୍ତି ।

ଅନ୍ୟପକ୍ଷରେ ଗତ ପଞ୍ଚାୟତ ନିର୍ବାଚନରେ ତୃତୀୟ ସ୍ଥାନକୁ ଖସି ଯାଇଥିବା କଂଗ୍ରେସ ଦଳ ଏଥର ତାହାର ସ୍ଥିତିରେ ସୁଧାର ଆଣିପାରିବ ବୋଲି ଦଳର ନେତାମାନେ ଆଶା ରଖିଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳର ପ୍ରଭାବ ପରେ ପରେ ହେବାକୁ ପୌର ନିର୍ବାଚନ ଉପରେ ପଡିବାକୁ ଥିବାରୁ ଏବେ ଏହାର ଢ଼େର ବଢ଼ି ଯାଇଛି । (ତଥ୍ୟ)