Home Mining ଅଧା ଲୁହାପଥର ରାଜ୍ୟରେ ବ୍ୟବହାର ହେଉନି

ଅଧା ଲୁହାପଥର ରାଜ୍ୟରେ ବ୍ୟବହାର ହେଉନି

ଭୁବନେଶ୍ୱର : ବିଗତ ଚାରିବର୍ଷ ମଧ୍ୟରେ ରାଜ୍ୟରୁ ଯେତିକି ଲୁହାପଥର ଉତ୍ତୋଳନ ହେଉଛି ତାହାର ଅଧା ବି ରାଜ୍ୟ ଭିତରେ ବ୍ୟବହାର ହେଉନାହିଁ । ଅନ୍ୟ ରାଜ୍ୟରେ ଏହାର ବ୍ୟବହାର କମି କମି ଚାଲିଥିବାବେଳେ ରପ୍ତାନି ପରିମାଣ କିନ୍ତୁ ବୃଦ୍ଧି ପାଉଛି ।

ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ବିଜେପି ବିଧାୟକ ମୋହନ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୭-୧୮ ମସିହାରେ ରାଜ୍ୟରେ ଯେତିକି ଲୁହାପଥର ଉତ୍ତୋଳନ ହୋଇଥିଲା ତାହାର ୪୪.୪୬୫ ପ୍ରତିଶତ ରାଜ୍ୟ ଭିତରେ ବ୍ୟବହାର ହୋଇଥିବାବେଳେ ଅନ୍ୟ ରାଜ୍ୟରେ ଏହାର ୫୨.୧୬୦ ପ୍ରତିଶତ ବ୍ୟବହାର ହୋଇଥିଲା । ସେହିଭଳି ରାଜ୍ୟରୁ ୩.୩୭୪ ପ୍ରତିଶତ ଲୁହାପଥର ରପ୍ତାନି ହୋଇଥିଲା । ତେବେ ଏହା ପରଠାରୁ ଲଗାତାର ଭାବେ ରାଜ୍ୟ ଭିତରେ ଉତ୍ପାଦିତ ଲୁହାପଥରର ବ୍ୟବହାର କମିବାରେ ଲାଗିଛି ।

୨୦୨୦-୨୧ ବର୍ଷରେ ଉତ୍ତୋଳିତ ମୋଟ୍‍ ଲୁହାପଥର ମଧ୍ୟରୁ ୪୦.୧୬୭ ପ୍ରତିଶତ ବ୍ୟବହାର ହୋଇଥିବାବେଳେ ରାଜ୍ୟ ବାହାରେ ୩୯.୧୪୯ ପ୍ରତିଶତ ବ୍ୟବହାର ହୋଇଥିଲା । ତେବେ ଏହିବର୍ଷ ମୋଟ୍‍ ଲୁହାପଥରର ୨୦ ପ୍ରତିଶତରୁ ଅଧିକ ରପ୍ତାନି ହୋଇଥିଲା । ୨୦୧୯-୨୦ ଓ ୨୦୨୦-୨୧ ବର୍ଷରେ ଉତ୍ତୋଳନ ହେଉଥିବା ଲୁହାପଥର ମଧ୍ୟରୁ ରପ୍ତାନି ପରିମାଣ ବୃଦ୍ଧିପାଇବା ସହିତ ଗୋଟିଏ ବର୍ଷରେ ଏହା ପାଖାପାଖି ଦୁଇଗୁଣ ହୋଇ ଯାଇଛି ।

ତେବେ ଆଗାମୀ ୨୦୨୪-୨୫ ସୁଦ୍ଧା ରାଜ୍ୟରୁ କେତେ ଲୁହାପଥର ଉତ୍ତୋଳନ ହେବ ଏବଂ ଏହାର କେତେ ପରିମାଣ ରାଜ୍ୟ ଭିତରେ, କେତେ ପରିମାଣ ରାଜ୍ୟ ବାହାରେ ଓ କେତେ ପରିମାଣ ରପ୍ତାନି କରାଯିବ ସେ ସଂକ୍ରାନ୍ତରେ ବର୍ତ୍ତମାନ ସୁଦ୍ଧା କୌଣସି ଆକଳନ ହୋଇନାହିଁ । ସେହିଭଳି ଗୋଟିଏ ନିୟୁତ ଟନ୍‍ ଲୁହାପଥର ଉତ୍ତୋଳନରେ କେତେ ସଂଖ୍ୟକ କର୍ମଚାରୀ ନିଯୁକ୍ତି ହୋଇଥାନ୍ତି ଏବଂ ଏକ ନିୟୁତ ଟନ୍‍ ଇସ୍ପାତ ଉତ୍ପାଦନରେ କେତେ ସଂଖ୍ୟକ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ପାଇଥାନ୍ତି ତାହାର ଆକଳନ ପାଇଁ ଆଇନ୍‍ରେ କୌଣସି ବ୍ୟବସ୍ଥା ନାହିଁ । (ତଥ୍ୟ)

LEAVE A REPLY

Please enter your comment!
Please enter your name here