Home General ଅଧା ଅଙ୍ଗନବାଡି କେନ୍ଦ୍ରରେ ନାହିଁ ଶୌଚାଳୟ

ଅଧା ଅଙ୍ଗନବାଡି କେନ୍ଦ୍ରରେ ନାହିଁ ଶୌଚାଳୟ

ଭୁବନେଶ୍ୱର : କୁନି କୁନି ପିଲାଙ୍କ ଶିକ୍ଷାଦାନ ଠାରୁ ଆରମ୍ଭ କରି ପୁଷ୍ଟିସାଧନ ପାଇଁ ଅଙ୍ଗନବାଡି ପ୍ରମୁଖ ସ୍ଥାନ ହୋଇଥିବାବେଳେ ଅଧାରୁ ଅଧିକ ଅଙ୍ଗନବାଡିରେ କିନ୍ତୁ ଶୌଚାଳୟ ନାହିଁ । ସେହିଭଳି ସଂଖ୍ୟାଧିକ ଅଙ୍ଗନବାଡି କେନ୍ଦ୍ର ପାଇଁ ବିଜୁଳି ସାତସପନ ପାଲଟିଛି ।

ସରକାରୀ ସୂଚନା ଅନୁଯାୟୀ ରାଜ୍ୟରେ ଏବେ ୭୪,୦୯୬ଟି ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟ କରୁଛି । ତେବେ ଏଥି ମଧ୍ୟରୁ ମାତ୍ର ୩୧,୪୨୬ଟି ଅଙ୍ଗନବାଡି କେନ୍ଦ୍ରରେ ଶୌଚାଳୟ ସୁବିଧା ରହିଛି । ବହୁ ସ୍ଥାନରେ ଅଙ୍ଗନବାଡି କେନ୍ଦ୍ର ପ୍ରତିଷ୍ଠା ହୋଇଥିବାବେଳେ ଏଥିପାଇଁ ଶୌଚାଳୟ ପ୍ରତିଷ୍ଠା ହୋଇନାହିଁ ।

ରାଜ୍ୟର ସର୍ବାଧିକ ୫୧୬୧ ଅଙ୍ଗନବାଡି କେନ୍ଦ୍ର ଗଞ୍ଜାମ ଜିଲ୍ଲାରେ ଥିବାବେଳେ ଏଥି ମଧ୍ୟରୁ ୩୪୬୧ରେ ଶୌଚାଳୟ ବ୍ୟବସ୍ଥା ରହିଛି । ତେବେ ଦ୍ୱିତୀୟ ସର୍ବାଧିକ ଅର୍ଥାତ୍‍ ୫୧୩୫ଟି ଅଙ୍ଗନବାଡି କେନ୍ଦ୍ର ମୟୁରଭଞ୍ଜରେ ଥିବାବେଳେ ସେଠାରେ ୩୧୭୦ କେନ୍ଦ୍ରରେ ଶୌଚାଳୟ ସୁବିଧା ଅଛି । ସୁବର୍ଣ୍ଣପୁର ଜିଲ୍ଲାରେ ଥିବା ୧୫୫୬ଟି ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ମାତ୍ର ୩୫୫ଟିରେ ଶୌଚାଳଚୟ ସୁବିଧା ଥିବାବେଳେ ଅନୁଗୁଳ ଜିଲ୍ଲାରେ ୧୬୮୪ କେନ୍ଦ୍ର ମଧ୍ୟରୁ ୩୮୪ଟିରେ ଏହି ସୁବିଧା ରହିଛି । ଭଦ୍ରକ ଜିଲ୍ଲାରେ ଏପର୍ଯ୍ୟନ୍ତ ହଜାରେଟି ଅଙ୍ଗନବାଡି କେନ୍ଦ୍ରରେ ଶୌଚାଳୟ ସୁବିଧା ହୋଇପାରି ନାହିଁ ।

ଅଧାରୁ ଅଧିକ ଅଙ୍ଗନବାଡି କେନ୍ଦ୍ରରେ ଶୌଚାଳୟ ସୁବିଧା ନଥିବାବେଳେ ଏବେ ବି ରାଜ୍ୟର ୧୦ହଜାର ଅଙ୍ଗନବାଡି କେନ୍ଦ୍ରକୁ ବିଜୁଳି ସଂଯୋଗ ହୋଇପାରି ନାହିଁ । ସୁନ୍ଦରଗଡ ଜିଲ୍ଲାର ସର୍ବାଧିକ ୧୭୪୧ ଅଙ୍ଗନବାଡି କେନ୍ଦ୍ରକୁ ବିଜୁଳି ସୁବିଧା ଥିବାବେଳେ ନବରଙ୍ଗପୁରର ୧୨୬୭ ଓ ବାଲେଶ୍ୱର ଜିଲ୍ଲାରେ ୧୨୪୧ କେନ୍ଦ୍ରରେ ବିଜୁଳି ସଂଯୋଗ ରହିଛି । ଅନ୍ୟ ସମସ୍ତ ଜିଲ୍ଲାରେ ଏହି ସଂଖ୍ୟା ଦୁଇ ଓ ତିନି ଅଙ୍କରେ ସୀମିତ । ଗଞ୍ଜାମ ଜିଲ୍ଲାରେ ୭୬୦ଟି କେନ୍ଦ୍ରକୁ ବିଜୁଳି ଯାଇଥିବାବେଳେ ମୟୁରଭଞ୍ଜର ୧୮୬ଟି କେନ୍ଦ୍ରରେ ବିଜୁଳି ସୁବିଧା ରହିଛି ।

ଏବେ ବି ହଜାର ହଜାର ଅଙ୍ଗନବାଡି କେନ୍ଦ୍ରକୁ ବିଜୁଳି ସଂଯୋଗ ନଥିବାରୁ ଖରାଦିନେ ଛୋଟ ଛୋଟ ପିଲାଏ ଗରମ ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି । ସେହିଭଳି ବର୍ଷାଦିନେ ମେଘ ଉଠାଇଲେ ଅଙ୍ଗନବାଡି ଘର ଅନ୍ଧକାରମୟ ହୋଇ ଉଠୁଛି । ତେବେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ୪୪୩୩ ଅଙ୍ଗନବାଡି କେନ୍ଦ୍ରରେ ବିଜୁଳି ସଂଯୋଗ ଲାଗି ଅର୍ଥ ପ୍ରଦାନ ସହିତ ଏ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

ଅଙ୍ଗନବାଡି ଆଖପାଖରେ କିନ୍ତୁ ପିଲାଙ୍କ ପାଇଁ ପାନୀୟଜଳ ଉପଲବ୍ଧ ଅଛି । ସମସ୍ତ ଅଙ୍ଗନବାଡି କେନ୍ଦ୍ରର ୨୦୦ ମିଟର ଦୂରତା ମଧ୍ୟରେ ପାନୀୟଜଳ ଉତ୍ସ ରହିଥିବା ସରକାରୀ ଭାବେ ଦର୍ଶାଯାଇଛି । ରାଜ୍ୟ ସରକାର ଏବେ ଅଙ୍ଗନବାଡିରେ ପିଲାଙ୍କ ଯତ୍ନ ଓ ପୁଷ୍ଟିକର ଖାଦ୍ୟ ଯୋଗାଣ ଉପରେ ଗୁରୁତ୍ୱ ଦେଉଥିବାରୁ ତୁରନ୍ତ ସମସ୍ତ ଅଙ୍ଗନବାଡିକେନ୍ଦ୍ରରେ ଶୌଚାଳୟ ସୁବିଧା ସହିତ ବିଦ୍ୟୁତ୍‍ ସଂଯୋଗ ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)