Home General ଅଦିନିଆ ବର୍ଷା ଯୋଗୁଁ ପନି ପରିବା ଦର ବୃଦ୍ଧି

ଅଦିନିଆ ବର୍ଷା ଯୋଗୁଁ ପନି ପରିବା ଦର ବୃଦ୍ଧି

ଭୁବନେଶ୍ୱର : ଆସନ୍ତା ୩ ତାରିଖରୁ ରାଜ୍ୟରେ ବର୍ଷା ହେବାନେଇ ପାଣିପାଗ ବିଭାଗ ପୂର୍ବସୂଚନା ଦେବାପରେ ପନିପରିବା ଦର ପୁଣିଥରେ ଆକାଶଛୁଆଁ ହେବ ବୋଲି ଉଭୟ ଚାଷୀ ଓ ବ୍ୟବସାୟୀମାନେ ଆଶଙ୍କା ପ୍ରକାଶ କଲେଣି । ଗତ ଅଦିନିଆ ବର୍ଷା ପନିପରିବା ଉଜୁଡି ଯାଇଥିବାବେଳେ ଯାହା କିଛି ବଞ୍ଚି ଯାଇଛି ତାକୁ ଆଗାମୀ ବର୍ଷା ନେଇଯିବ ଓ ଏହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ଉପରେ ପଡିବ ।

ରାଜ୍ୟରେ ଏବେ ଶୀତ ଦିନିଆ ପନିପରିବା ଚାଷ ଓ ଅମଳ ଋତୁ । ତେବେ ବାରମ୍ବାର ଅଦିନିଆ ବର୍ଷା ଯୋଗୁଁ ବଜାରରେ ଏବେ ବି ଫୁଲ କୋବି ଗୋଟିକୁ ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଥିବାବେଳେ ବିଲାତି ବାଇଗଣ କିଲୋ ୩୦ରୁ ୩୫ ଟଙ୍କା, ବିନ୍‍ କିଲୋ ୪୦ରୁ ୬୦ଟଙ୍କା, ବାଇଗଣ କିଲୋ ୫୦ରୁ ୬୦ଟଙ୍କା, ବନ୍ଧାକୋବି ଗୋଟାକୁ ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଛି ।

ଚାଷୀଙ୍କ କହିବା କଥା ଯେ ଯଦି ପୂର୍ବରୁ ଦୁଇ ଦୁଇଥର ଅଦିନିଆ ବର୍ଷା ହୋଇନଥାନ୍ତା ତେବେ ଏବର୍ଷ ଯେଉଁ ମାତ୍ରାରେ ଶୀତଦିନିଆ ପନିପରିବା ଚାଷ ହୋଇଥିଲା ବଜାର ଦର ଢେର କମ୍‍ ରହିଥାନ୍ତା । ଏପରିକି ଫୁଲକୋକି ଗୋଟିକୁ ୫ରୁ ୧୦ ଟଙ୍କା ଦରରେ ରାଜଧାନୀ ବଜାରରେ ମିଳିଥାନ୍ତା । ଅନୁରୂପ ଭାବେ ବିଲାତି କିଲୋ ୧୦ ଟଙ୍କାରେ ବିକ୍ରି ହୋଇଥାନ୍ତା । ହେଲେ ପନିପରିବା ଠିକ୍‍ ଫୁଲ ଧରିବା ବେଳକୁ ଅଦିନିଆ ବର୍ଷା ସବୁକିଛି ଉଜାଡି ଦେଲା ।

ବର୍ଷାରେ ଉଜୁଡି ଯାଇଥିବା ପନିପରିବା ଯୋଗୁଁ ବ୍ୟାପକ କ୍ଷତି ସହିଥିବା ଚାଷୀମାନେ ପୁଣିଥରେ ମୁଣ୍ଡ ଟେକି ଛିଡା ହେବାପାଇଁ ପନି ପରିବା ଚାରା ଲଗାଇଥିଲେ । ହେଲେ ୱେଷ୍ଟର୍ଣ୍ଣ ଡିଷ୍ଟ୍ରବାନ୍ସର ପ୍ରଭାବରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶା ସମେତ ଉପକୂଳ ଓଡିଶାର କେତେକ ସ୍ଥାନରେ ଆସନ୍ତା ତିନି ତାରିଖରୁ ବର୍ଷା ହେବାର ପୂର୍ବ ସୂଚନା ମିଳିଥିବାରୁ ପରିବା ଚାଷୀମାନେ ମୁଣ୍ଡରେ ହାତଦେଇ ବସିଗଲେଣି ।

ସେମାନେ ଲଗାଇଥିବା ପନିପରିବା ବିଶେଷକରି ଫୁଲକୋବି, ବନ୍ଧାକୋବି, ବିନ୍‍, ଟମାଟୋ, ମୂଳା ଆଦି ନଷ୍ଟ ହେବା ସହିତ ଏଥିରେ ରୋଗପୋକ ମାଡିଯିବେ । ତେଣୁ ଅନେକ ଚାଷୀ ଏବେ ବର୍ଷା ପୂର୍ବରୁ ଯାହାକିଛି ବିଲରେ ଅଛି ତାକୁ ଅମଳ କରି ନେଇ ଆସିବାକୁ ଚିନ୍ତା କରୁଛନ୍ତି । ବର୍ଷା ଦାଉରୁ ଯେତିକି ହେଲେ ମିଳିଯିବ ବୋଲି ଭାବି ସେମାନେ ପନିପରିବାକୁ ଶାଗମାଛ ଦରରେ ବିକ୍ରି କରିବେ ବୋଲି କହିଲେଣି ।

ହେଲେ ବର୍ଷା ଛାଡିବାପରେ ପନିପରିବା ପୁଣିଥରେ ଆକାଶଛୁଆଁ ଦର ହୋଇଯିବ । ରାଜ୍ୟର ବ୍ୟବସାୟୀମାନେ ପନିପରିବା ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହୋଇପଡିବେ । ବର୍ତ୍ତମାନ ରାଜ୍ୟ ବାହାରୁ ଆସୁଥିବା ବିନ୍‍, ଗାଜର, ଟମାଟୋ, ବିଟ୍‍ ଆଦିର ଦର ସ୍ଥାନୀୟ ପନିପରିବା ଯୋଗୁଁ ନିୟନ୍ତ୍ରଣରେ ରହିଛି । ଯେତେବେଳେ ସ୍ଥାନୀୟ ପନିପରିବା ନମିଳିବ ସେତେବେଳେ ବ୍ୟବସାୟୀମାନେ ଚାହିଁଲେ ବି ଦରକୁ ରୋକିପାରିବେ ନାହିଁ ବୋଲି ମତ ଦେଉଛନ୍ତି ।

କେବଳ ପନିପରିବା ଚାଷୀ ନୁହଁନ୍ତି ଚଳିତ ବର୍ଷ ଅଦିନିଆ ବର୍ଷା ଯୋଗୁଁ ଧାନଚାଷୀମାନେ ମଧ୍ୟ ମୁଣ୍ଡରେ ହାତଦେଇ ବସିଛନ୍ତି । ବର୍ଷାମାଡରେ ଧାନ ନଷ୍ଟ ହେବା ଯୋଗୁଁ ଅମଳ ପରିମାଣ ହ୍ରାସ ପାଇବା ସହିତ ଧାନର ଗୁଣ ମାନ ହ୍ରାସ ପାଇଛି । ଧାନର ଏଭଳି ରଙ୍ଗ ବଦଳି ଯାଇଛି ଯେ ତାକୁ ବଜାରରେ ସହଜରେ ବିକ୍ରି କରିବା ମୁସ୍କିଲ । ସବୁଠାରୁ ଅଧିକ କ୍ଷତି ସହିତ ଧାନ ବିହନ କରିଥିବା ଚାଷୀମାନେ । ବର୍ତ୍ତମାନ ସୁଦ୍ଧା ବର୍ଷାମାଡରେ କ୍ଷତିଗ୍ରସ୍ତ ହୋଇଥିବା ଧାନର ଗୁଣମାନରେ କୌଣସି କୋହଳ ନେଇ ଘୋଷଣା ହୋଇନଥିବାରୁ ଚାଷୀମାନେ ଚଳିତବର୍ଷ ବ୍ୟାପକ କ୍ଷତି ସହିବା ଆଶଙ୍କାରେ ରହିଛନ୍ତି । (ତଥ୍ୟ)