Home Judiciary ଅଦାଲତି ଛାଟ ପାଇଁ ଠିକା ଯନ୍ତ୍ରୀ ନିୟମିତ ହେଲେ

ଅଦାଲତି ଛାଟ ପାଇଁ ଠିକା ଯନ୍ତ୍ରୀ ନିୟମିତ ହେଲେ

ଭୁବନେଶ୍ୱର : ଅମଲାତାନ୍ତ୍ରିକ କାରସାଦି ଯୋଗୁଁ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହୋଇଥିବା ଅନୁସୂଚିତ ଜନଜାତି ବର୍ଗର ୬୧ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ଆଇନ୍‍ ଅଦାଲତର ନିର୍ଦ୍ଦେଶ ଯୋଗୁଁ ସରକାର ପ୍ରଥମେ ଠିକା ନିଯୁକ୍ତି ଦେବାପରେ ଏବେ ସେମାନଙ୍କ ଚାକିରି ନିୟମିତ କରି ପିଛିଲା ତାରିଖରୁ ବାକିଆ ଦରମା ଦେବାକୁ ବାଧ୍ୟ ହୋଇଛନ୍ତି ।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୨-୧୩ ମସିହାରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡିଥିବା କନିଷ୍ଠ ଯନ୍ତ୍ରୀ ପଦବୀ ସବୁ ପୂରଣ କରିବାପାଇଁ ମୁଖ୍ୟଯନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା ପ୍ୟାନେଲ କମିଟି ନାନ ସୁପାରିଶ୍‍ କରିବାକୁ ବିଭିନ୍ନ ବିଭାଗକୁ କୁହାଯାଇଥିଲା । ତଦନୁଯାୟୀ ଜଳସମ୍ପଦ ବିଭାଗ ବିଭିନ୍ନ ବର୍ଗର ଯେତେ ପ୍ରାର୍ଥୀଙ୍କ ନାମ ମାଗିଥିଲା ତାହା ମଧ୍ୟରେ ଅନୁସୂଚିତ ଜନଜାତି ବର୍ଗର ୧୨୮ଟି ଆସନ ଥିଲା । ତେବେ ଏହି ବର୍ଗର ପର୍ଯ୍ୟାପ୍ତ ସଂଖ୍ୟକ ତାଲିକାଭୁକ୍ତ ପ୍ରାର୍ଥୀ ନଥିବାରୁ ପ୍ୟାନେଲରେ ଅନ୍ୟ ବର୍ଗଙ୍କ ପାଇଁ ଅଧିକ ନାମ ଯାଇଥିବାବେଳେ ଏହି ବର୍ଗପାଇଁ କମ୍‍ ନାମ ପଠାଯାଇଥିଲା ।

ଏହା ସତ୍ୱେ ବି ଅନୁସୂଚିତ ବର୍ଗର ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ ଜଳସମ୍ପଦ ବିଭାଗ ଟାଳଟୂଳ ନୀତି ଅବଲମ୍ବନ କରିବାରୁ ୬୧ଜଣ ପ୍ରାର୍ଥୀ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହୋଇ ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଥିଲେ । ଶେଷରେ ଏହି ବଞ୍ଚିତ ପ୍ରାର୍ଥୀମାନଙ୍କ ପକ୍ଷରୁ ସ୍ୟାଟ୍‍ର ପୂର୍ବତନ ସରକାରୀ ଓକିଲ ପ୍ରହଲାଦ କୁମାର ସିଂହଙ୍କ ମାଧ୍ୟମରେ ମାମଲା ରୁଜୁ ହୋଇଥିଲା ଏବଂ ଦୀର୍ଘ ଲଢେଇ ପରେ ଏମାନଙ୍କୁ ନିଯୁକ୍ତି ଦିଆନଯିବା ଘଟଣାକୁ ଅଦାଲତ ନାପସନ୍ଦ କରିବା ସହ ତୁରନ୍ତ ନିଯୁକ୍ତି ଦେବା ଏବଂ ଅନ୍ୟ ବର୍ଗର ପ୍ରାର୍ଥୀମାନେ ଯେବେଠାରୁ ଚାକିରି ସୁବିଧାମାନ ପାଇଛନ୍ତି ସେବେଠାରୁ ଏମାନଙ୍କ ବରିଷ୍ଠତା ହିସାବ କରିବାକୁ ମଧ୍ୟ କହିଥିଲେ ।

ଏଠାରେ ଉଲ୍ଲେଖନୀୟ ଯେ ଅନ୍ୟ ବର୍ଗର ପ୍ରାର୍ଥୀମାନେ ୨୦୧୪ ମସିହାରେ କନିଷ୍ଠ ଯନ୍ତ୍ରୀଭାବେ ଠିକା ନିଯୁକ୍ତି ପାଇଥିବାବେଳେ ଅଦାଲତଙ୍କ ରାୟ ପରେ ୨୦୧୯ରେ ଏହି ବଞ୍ଚିତ ଏସ୍‍ଟି ପ୍ରାର୍ଥୀମାନେ ନିଯୁକ୍ତି ପାଇଲେ । ତେବେ ଅନ୍ୟ ବର୍ଗର ପ୍ରାର୍ଥୀମାନେ ୬ବର୍ଷ ପରେ ଅର୍ଥାତ୍‍ ୨୦୨୦ରେ ନିୟମିତ ହୋଇ ସାରିଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ପୁଣି ଏମାନଙ୍କୁ ନିୟମିତ କରିବାରେ ସମୟ ଗଡା ଯାଉଥିଲା ।

ଏ ସଂକ୍ରାନ୍ତରେ ବଞ୍ଚିତ ପ୍ରାର୍ଥୀମାନଙ୍କ ପକ୍ଷରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଆବେଦନ କରାଯିବା ସହ ଓକିଲ ନୋଟିସ୍‍ ମଧ୍ୟ ପଠାଯାଇଥିଲା । ଏ ଘଟଣା ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ନଜରକୁ ଅଣାଯିବା ପରେ ତୁରନ୍ତ ଏମାନଙ୍କ କାଗଜପତ୍ର ତନଖି କରି ନିୟମିତ କରିବାକୁ ଜଳସମ୍ପଦ ବିଭାଗ ବିଭାଗୀୟ ସର୍ବୋଚ୍ଚଯନ୍ତ୍ରୀଙ୍କୁ ଗତ ମାସରେ ନିର୍ଦ୍ଦେଶ ଦେଇଥିଲେ ।

ଏହାର ଅନୁପାଳନ କରି ଏବେ ଏହି ବଞ୍ଚିତ ଏସ୍‍ଟି ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୨୭ଜଣଙ୍କୁ ନିୟମିତ କରାଯାଇଛି ଏବଂ ସେମାନେ ନିୟମିତ କର୍ମଚାରୀଭାବେ ୨୦୨୦ ମାର୍ଚ୍ଚ ମାସରୁ ପିଛିଲା ଦରମା ପାଇବେ ଓ ଅନୁରୂପ ଭାବେ ସେମାନଙ୍କ ବରିଷ୍ଠତା ନିର୍ଦ୍ଧାରଣ କରାଯିବ ବୋଲି ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ବଜେଟ୍‍ରେ ଅର୍ଥ ବ୍ୟବସ୍ଥା ହେବାପରେ ସେମାନଙ୍କୁ ପିଛିଲା ଦରମା ଦିଆଯିବ ।

ତେବେ ଏସ୍‍ଟି ବର୍ଗର ଅନ୍ୟ ଯେଉଁ ଠିକା ଯନ୍ତ୍ରୀମାନଙ୍କୁ ନିୟମିତ କରାଯାଇନାହିଁ ସେମାନଙ୍କୁ ବି କାହିଁକି ତୁରନ୍ତ ନିୟମିତ କରାନଯିବ ସେ ସଂକ୍ରାନ୍ତରେ ସେମାନଙ୍କ ଓକିଲ ଆଇନ୍‍ଗତ ପ୍ରଶ୍ନ ଉଠାଇବା ସହିତ ଆବଶ୍ୟକ ପଡିଲେ ଏ ସଂକ୍ରାନ୍ତରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ରୁଜୁ କରଯିବ ବୋଲି ସୂଚାଇଛନ୍ତି । (ତଥ୍ୟ)