Home Judiciary ବର୍ଦ୍ଧିତ ଦରମା ଦେବାକୁ ନିର୍ଦ୍ଦେଶ

ବର୍ଦ୍ଧିତ ଦରମା ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ବିଧି ବ୍ୟବସ୍ଥା ମୁତାବକ ନିଜ ହକ୍‍ ପାଇବାପାଇଁ ପ୍ରାୟ ୧୧ବର୍ଷର ଲଢେଇ ପରେ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ନିର୍ଦ୍ଦେଶକ ପାହ୍ୟାର ଜଣେ ବରିଷ୍ଠ ଅଧିକାରୀଙ୍କୁ ଶେଷରେ ଓଡିଶା ସରକାର ଉଚ୍ଚ ପାହ୍ୟାର ବେତନ ପ୍ରଦାନ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ମାମଲାର ବିବରଣୀରୁ ପ୍ରକାଶ ଯେ ଓଡିଶା ସରକାରଙ୍କ ଅର୍ଥନୀତି ଓ ପରିସଂଖ୍ୟାନ ସଂସ୍ଥାର ନିର୍ଦ୍ଦେଶକ ପଦବୀ ନିୟମିତ ଭାବେ ପୂରଣ ନକରି ଏହି ସଂସ୍ଥାର ବରିଷ୍ଠ ଯୁଗ୍ମ ନିର୍ଦ୍ଦେଶକ ଦୁଃଶାସନ ବେହେରାଙ୍କୁ ୨୦୧୩ ଫେବୃଆରୀ ପହିଲାରୁ ୨୦୧୮ ମାର୍ଚ୍ଚ ୩୦ତାରିଖ ପର୍ଯ୍ୟନ୍ତ ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବେ ରଖାଯାଇଥିଲା । ଏହାପରେ ଶ୍ରୀ ବେହେରା ପଦୋନ୍ନତି ପାଇ ୨୦୧୯ ମସିହାରେ ସରକାରୀ ଚାକିରିରୁ ଅବସରଗ୍ରହଣ କରିଥିଲେ ।

ପୂର୍ବରୁ ଅର୍ଥନୀତି ଓ ପରିସଂଖ୍ୟାନ ସଂସ୍ଥାର ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବେ ଯେଉଁମାନେ ଅବସ୍ଥାପିତ ହେଉଥିଲେ ସେମାନଙ୍କୁ ସର୍ଭିସ୍‍ କୋଡ୍‍ ଓ ଅର୍ଥ ବିଭାଗର ବିଧି ବ୍ୟବସ୍ଥା ମୁତାବକ ନିର୍ଦ୍ଦେଶକ ପାହ୍ୟାର ବେତନ ଓ ଗ୍ରେଡ୍‍ ପେ ଆଦି ଦିଆଯାଉଥିଲା । କିନ୍ତୁ ଶ୍ରୀ ବେହେରାଙ୍କ କ୍ଷେତ୍ରରେ ବ୍ୟତିକ୍ରମ ହେବାରୁ ସେ ବାରମ୍ବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାପରେ କିଛି ସୁଫଳ ନମିଳିବାରୁ ବାଧ୍ୟହୋଇ ଆଇନ୍‍ ଅଦାଲତର ଦ୍ୱାରସ୍ଥ ହୋଇଥିଲେ ।

ଓଡିଶା ହାଇକୋର୍ଟର ଅନ୍ୟତମ ବିଚାରପତି ବିରଜା ପ୍ରସନ୍ନ ଶତପଥୀ ଏହି ମାମଲାଟିର ବିସ୍ତୃତ ଶୁଣାଣି କରି ବିଧି ବ୍ୟବସ୍ଥା ମୁତାବକ ଅବସରପ୍ରାପ୍ତ ନିର୍ଦ୍ଦେଶକ ଶ୍ରୀ ବେହେରାଙ୍କୁ ସେ ଭାରପ୍ରାପ୍ତ ନିର୍ଦ୍ଦେଶକ ପଦବୀରେ ଯେତେଦିନ ରହିଛନ୍ତି ସେତେ ଦିନ ଲାଗି ନିର୍ଦ୍ଦେଶକ ପାହ୍ୟାର ବେତନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ଅଭିଜ୍ଞ ଆଇନ୍‍ଜୀବୀ ପ୍ରହଲାଦ କୁମାର ସିଂହ ଓ ଅମୀୟ କୁମାର ଛାଟୋଇ ଏହି ମାମଲା ପରିଚାଳନା କରୁଥିଲେ ।

ହାଇକୋର୍ଟଙ୍କ ରାୟକୁ ବିଭିନ୍ନ ସ୍ତରରେ ତନଖି କରାଯିବାପରେ ରାଜ୍ୟ ସରକାର ନିଜ ଭୁଲ୍‍ ସମ୍ପର୍କରେ ସଚେତନ ହୋଇ ଏହି ଘଟଣାକୁ ଆଉ ଅଧିକ ଆଗେଇବାପାଇଁ ଉଚିତ୍‍ ମଣିନଥିଲେ । ଯେଉଁ ଅର୍ଥ ବିଭାଗ ଶ୍ରୀ ବେହେରାଙ୍କୁ ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବେ ନିର୍ଦ୍ଦେଶକ ପାହ୍ୟାର ବେତନ ଦୋବକୁ ମନାକରି ଦେଇଥିଲା ସେହି ବିଭାଗ ପୁଣି ଏବେ ଏହା ଦିଆଯିବା ସପକ୍ଷରେ ମତ ଦେଇଛି । ଏମିତିକି ଆଇନ୍‍ ବିଭାଗ ମଧ୍ୟ ଏ ସଂକ୍ରାନ୍ତରେ ଅନୁକୂଳ ମତାମତ ଦେଇଥିବା ଜଣେ ବରିଷ୍ଠ ଅଧିକାରୀ ସ୍ୱୀକାର କରିଛନ୍ତି ।

ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଅବସରପ୍ରାପ୍ତ ନିର୍ଦ୍ଦେଶକ ଶ୍ରୀ ବେହେରାଙ୍କୁ ସେ ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବେ କାମ କରିଥିବା ପ୍ରାୟ ୫ବର୍ଷ ସମୟର ବେତନ ନିର୍ଦ୍ଦେଶକଙ୍କ ପାଇଁ ଥିବା ଉଚ୍ଚ ହାରରେ ସ୍ଥିର କରି ପ୍ରଦାନ କରିବାକୁ ନିଷ୍ପତ୍ତି ନେବା ସହ ଏ ସଂକ୍ରାନ୍ତରେ ମଧ୍ୟ ବିଜ୍ଞପ୍ତି ପ୍ରକାଶ କରିଛି ।

ଏଭଳି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ଆବେଦନକାରୀ ଅବସରପ୍ରାପ୍ତ ଶ୍ରୀ ବେହେରାଙ୍କ ଆଇନ୍‍ ପରାମର୍ଶଦାତା ଶ୍ରୀ ସିଂହ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଅଭିଯୋଗ ଫଏସଲା ପ୍ରକ୍ରିୟାରେ ନକରାତ୍ମ ମନୋଭାବ ଯୋଗୁଁ ଅଯଥାରେ ବିଭିନ୍ନ ପାହ୍ୟାର ସରକାରୀ ଅଧିକାରୀମାନଙ୍କୁ ସରକାରଙ୍କ ବିରୁଦ୍ଧରେ ବହୁ ମାମଲା ରୁଜୁ କରିବାକୁ ପଡୁଛି । ଏଥିପାଇଁ ସୁପ୍ରିମ୍‍କୋର୍ଟ ପର୍ଯ୍ୟନ୍ତ ବିଭିନ୍ନ ଫୋରମରେ ରାଜ୍ୟ ସରକାର ମାମଲା ଲଢି ଅଯଥାରେ ରାଜକୋଷରୁ ବିପୁଳ ଅର୍ଥ ବରବାଦ କରିବା ସହ ସରକାରୀକଳର ବ୍ୟାପକ ସମୟ ମଧ୍ୟ ନଷ୍ଟ କରୁଛନ୍ତି । ସରକାରୀକଳ ରାଜ୍ୟ ସରକାରଙ୍କ ମାମଲା ନୀତିର ପୂର୍ଣ୍ଣ ଅନୁପାଳନ କଲେ ବହୁ ସମସ୍ୟାର ସହଜ ଓ ସରଳ ସମାଧାନ ହୋଇପାରନ୍ତା ବୋଲି ସେ ମତ ଦେଇଛନ୍ତି । (ତଥ୍ୟ)