Home Mining ଅତ୍ୟାଧୁନିକ ଖଣିଜ ପ୍ରୟୋଗଶାଳା ଉଦ୍‌ଘାଟିତ

ଅତ୍ୟାଧୁନିକ ଖଣିଜ ପ୍ରୟୋଗଶାଳା ଉଦ୍‌ଘାଟିତ

ଭୁବନେଶ୍ୱର : ରାଜ୍ୟରେ ଉପଲବ୍ଧ ସମସ୍ତ ଖଣିଜ ପଦାର୍ଥର ପୁଙ୍ଖାନୁପୁଙ୍ଖ ସର୍ବେକ୍ଷଣ ଓ ତତ୍‌ସଲଗ୍ନ ନିଲାମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱରସ୍ଥିତ ଭୂତତ୍ତ୍ୱ ନିର୍ଦ୍ଦେଶାଳୟରେ ପ୍ରତିଷ୍ଠା ହୋଇଥିବା ଏକ ଅତ୍ୟାଧୁନିକ ଓ ବୈଷୟିକ ଏକ୍ସ.ଆର୍‌.ଡି ଏବଂ ଏକ୍ସ.ଆର୍‌.ଏଫ୍‌ ପ୍ରୟୋଗଶାଳାକୁ ଇସ୍ପାତ ଓ ଖଣି, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଆଜି ଉଦ୍‌ଘାଟନ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ଏହି ପ୍ରୟୋଗଶାଳା ରାଜ୍ୟ ପାଇଁ ବରଦାନ ସଦୃଶ । ଆଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରି ଆମର ବିପୁଳ ଖଣିଜ ଦ୍ରବ୍ୟର ଚିହ୍ନଟ ସହ ସଠିକ ମାନ ଆକଳନ କରିବାରେ ଆମେ ଆଜି ସକ୍ଷମ ହୋଇପାରିଛୁ । ପ୍ରୟୋଗଶାଳାର ସଦ୍‌ବ୍ୟବହାର କରି ଖଣିଜ ପଦାର୍ଥର ଅନେ୍ୱଷଣକୁ ଆହୁରି ଆଗକୁ ନେଇଯିବା ପାଇଁ କାର୍ଯ୍ୟାଳୟର ଭୂତତ୍ତ୍ୱବିଦ୍‌ମାନଙ୍କୁ ସେ ପରାମର୍ଶ ଦେଇଛନ୍ତି ।

ପ୍ରକାଶଯୋଗ୍ୟ ଯେ ଓଡ଼ିଶା ପରି ଏକ ଖଣିଜସଂପଦ ସମୃଦ୍ଧ ରାଜ୍ୟରେ ଉପଲବ୍ଧ ବିଭିନ୍ନ ପ୍ରକାର ଖଣିଜ ପଦାର୍ଥର ବିପୁଳ ଭଣ୍ଡାର ମହଜୁଦ ରହିଛି । ଏହି ସବୁ ଖଣିଜ ଦ୍ରବ୍ୟର ଚିହ୍ନଟ ଓ ଅନେ୍ୱଷଣ ନିମନ୍ତେ ରାଜ୍ୟ ସରକାରଙ୍କ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ବ୍ୟାପକ କାର୍ଯ୍ୟ କରିଆସୁଛି । ଏହି କ୍ରମରେ କାର୍ଯ୍ୟାଳୟର ଭୂତତ୍ତ୍ୱବିଦ୍‌ମାନେ କ୍ଷେତ୍ର ପରିଦର୍ଶନ ସହ ସେଠାରେ ବୈଜ୍ଞାନିକ ଜ୍ଞାନକୌଶଳ ପ୍ରୟୋଗ ଜରିଆରେ ଖଣିଜ ପଦାର୍ଥର ମହଜୁଦ୍‌ର ପରିମାଣ ଅନୁସନ୍ଧାନ କରିବା ପରେ ବିସ୍ତୃତ ବିବରଣୀ ସରକାରଙ୍କୁ ପ୍ରଦାନ କରିଥାନ୍ତି ।

ଏହି ରିପୋର୍ଟ ଆଧାରରେ ଖଣିଜ ପଦାର୍ଥ ଉତ୍ତୋଳନ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଲାମ ପ୍ରକି୍ରୟା ହୋଇଥାଏ । ଏସବୁ ଖଣିଜ ପଦାର୍ଥର ଚିହ୍ନଟୀକରଣ ଓ ଅନେ୍ୱଷଣ ପ୍ରକି୍ରୟାକୁ ଅଧିକ ସୁଗମ ଓ ସଠିକ୍‌ କରିବା ଉଦ୍ଦେଶ୍ୟରେ ୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଏକ୍ସ.ଆର୍‌.ଡି ଏବଂ ଏକ୍ସ.ଆର୍‌.ଏଫ୍‌ ପ୍ରୟୋଗଶାଳା ସ୍ଥାପନ କରାଯାଇଛି । ଏହା ଦ୍ୱାରା ଖୁବ୍‌ କମ୍‌ ସମୟରେ ଖଣିଜ ପଦାର୍ଥର ସଠିକ୍‌ ଚିହ୍ନଟ ଓ ମାନ ନିରୁପଣ ହୋଇପାରିବ । ଏହି ଯନ୍ତ୍ର ଦ୍ୱାରା ପରୀକ୍ଷଣର ଫଳାଫଳ ଅନ୍ତର୍ଜାତୀୟ ସ୍ତରର ଅନୁଷ୍ଠାନମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇଥିବାରୁ ଏହାର ଫଳାଫଳ ଉପରେ ପରବର୍ତ୍ତୀ ପଦକ୍ଷେପ ଯଥା ଗଚ୍ଛିତ ସଂପଦର ଆକଳନ ଓ ଉତ୍ତୋଳନ ନିର୍ଭର କରିଥାଏ ।

ଏହି ପ୍ରୟୋଗଶାଳାର ସ୍ଥାପନ ପରେ ଆମ ରାଜ୍ୟର ଖଣିଜ ପଦାର୍ଥ ଅନୁସନ୍ଧାନ କାର୍ଯ୍ୟ ଫଳପ୍ରଦ ହୋଇପାରିବ । ଅଦ୍ୟାବଧି କମ୍‌ ମାତ୍ରାରେ ଉପଲବ୍ଧ ଧାତୁ ଯଥା ନିକେଲ, କୋବାଲଟ୍‌, ପ୍ଲାଟିନମ୍‌, ସୁନା, ଟିନ୍‌ ଯାହାର ମାନ ନିରୁପଣ କଷ୍ଟସାଧ୍ୟ ଥିଲା, ତାହା ସହଜରେ ସମ୍ଭବ ହୋଇପାରିବ । ସଠିକ୍‌ ମାନ ନିରୁପଣ ଯୋଗୁଁ ଖଣିଜ ପଦାର୍ଥରୁ ସରକାରଙ୍କ ରାଜସ୍ୱ ବଢ଼ିବାରେ ସହାୟକ ହେବ । ଏହି ପ୍ରୟୋଗଶାଳା ଦ୍ୱାରା ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ସହିତ ବିଭିନ୍ନ ଖଣି ସମ୍ବନ୍ଧୀୟ ଶିଳ୍ପ ସଂସ୍ଥା, ଶିକ୍ଷାର୍ଥୀ ଏବଂ ଗବେଷକମାନେ ଉପକୃତ ହୋଇପାରିବେ ।

ଏହି ଉଦ୍‌ଘାଟନ ଉତ୍ସବରେ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ଶାସନ ସଚିବ ଦେଓରଞ୍ଜନ ସିଂ, ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ, ଖଣି ନିର୍ଦ୍ଦେଶକ ଦେବୀଦତ୍ତ ବିଶ୍ୱାଳ, ଭୂତତ୍ତ୍ୱ ନିର୍ଦ୍ଦେଶକ ମନୋରଞ୍ଜନ ପଣ୍ଡା, ଅତିରିକ୍ତ ନିର୍ଦ୍ଦେଶକ ମନୋରଞ୍ଜନ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ ।