Home Finance ଅତିରିକ୍ତ ବଜେଟ୍‍ ପାଇଁ ପ୍ରସ୍ତୁତି ଆରମ୍ଭ

ଅତିରିକ୍ତ ବଜେଟ୍‍ ପାଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍‍ରେ ଭିତ୍ତିଭୂମି ସୃଷ୍ଟି, କୋଭିଡ ପ୍ୟାକେଜ ଏବଂ କେନ୍ଦ୍ରୀୟ ଯୋଜନାରୁ ଅଧିକ ଅର୍ଥ ଆଣିବା ଉପରେ ଫୋକସ ରହିବ ।

ରାଜ୍ୟ ସରକାର ପ୍ରଥମ ଅତିରିକ୍ତ ବଜେଟ୍‍ର ପ୍ରସ୍ତୁତିପର୍ବ ଆରମ୍ଭ କରିଛନ୍ତି । ରାଜ୍ୟ ଉନ୍ନୟନ କମିଶନର ପ୍ରଦୀପ ଜେନା ଏ ସଂକ୍ରାନ୍ତରେ ସମସ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶାବଳୀ ଜାରି କରିଥିବା ଜଣାଯାଇଛି । ରାଜସ୍ୱ ବ୍ୟୟକୁ ନିୟନ୍ତ୍ରିତ କରି ଉନ୍ନୟନ ବ୍ୟୟକୁ ବୃଦ୍ଧି କରିବାପାଇଁ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଥିବା ଜଣାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁସବୁ କୋଭିଡ ପ୍ୟାକେଜମାନ ଘୋଷଣା କରିଥିଲେ ତାହାକୁ କାର୍ଯ୍ୟକାରୀ କରିବା ସକାଶେ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ ରାଜ୍ୟମାନଙ୍କୁ ଅଧିକରୁ ଅଧିକ ପୁଞ୍ଜି ଖଟାଣ ଉପରେ ଗୁରୁତ୍ୱ ଆରୋପ କରୁଥିବାବେଳେ ଓଡିଶା ଏ କ୍ଷେତ୍ରରେ ସେତେଟା ଆଶାନୁରୂପ ଅଗ୍ରଗତି କରିପାରୁ ନାହିଁ । ଏହାକୁ ଦୃଷ୍ଟିରେ ରଖି ଅତିରିକ୍ତ ବଜେଟ୍‍ରେ ଅଧିକ ପୁଞ୍ଜି ଖଟାଣ ଉପରେ ଗୁରୁତ୍ୱ ଆରୋପ କରାଯିବ । ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ସୃଷ୍ଟି ପାଇଁ ଅପେକ୍ଷାକୃତ ଅଧିକ ପୁଞ୍ଜି ବିନିଯୋଗ ଉପରେ ଗୁରୁତ୍ୱଆରୋପ କରାଯାଉଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ରାଜ୍ୟରେ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ଗତମାସରେ ଶତକଡା ୭୩ଭାଗ ଅଭିବୃଦ୍ଧି ହୋଇଥିବାବେଳେ ଚଳିତମାସ ମଧ୍ୟ ଅନୁରୂପ ସଫଳତା ମିଳିବ ବୋଲି ଆଶା କରାଯାଉଛି ।

ତେଣୁ ରାଜସ୍ୱ ସଂଗ୍ରହ ବେଶ୍‍ ସନ୍ତୋଷଜନକ ଥିବା ଯୋଗୁଁ ଅତିରିକ୍ତ ବଜେଟ୍‍ରେ ଅଧିକ ବ୍ୟୟବରାଦ କରିବାପାଇଁ କୌଣସି ଅସୁବିଧା ରହିବନାହିଁ । ଏହାଛଡା କେନ୍ଦ୍ରରୁ ଯେଉଁସବୁ କେନ୍ଦ୍ରୀୟ ଯୋଜନା ପାଇଁ ଅନୁଦାନ ମିଳୁଛି ତାହାକୁ ଲକ୍ଷ୍ୟକରି ରାଜ୍ୟ ସରକାର ତାଙ୍କର ଅଂଶ ଅନୁରୂପ ଭାବରେ ବଜେଟ୍‍ରେ ଉପସ୍ଥାପିତ କରିବେ । ଏହାଦ୍ୱାରା କେନ୍ଦ୍ରୀୟ କର୍ତ୍ତୃପକ୍ଷ ରାଜ୍ୟ ଅଂଶଧନ ଦେଉନାହିଁ ବୋଲି ଯେଉଁସବୁ ଅନ୍ତରାୟ ସୃଷ୍ଟି କରି ଅନୁଦାନ ଦେବା କ୍ଷେତ୍ରରେ ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି ତାହାର ଅବକାଶ ରହିବନାହିଁ ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ କେନ୍ଦ୍ରରୁ ଅନୁଦାନ ଦ୍ରୁତ ବେଗରେ ହ୍ରାସ ପାଇବାରେ ଲାଗିଛି । ଯେହେତୁ ରାଜ୍ୟ ସରକାର ନିଜସ୍ୱ ଟିକସ ଓ ଅଣଟିକସ ରାଜସ୍ୱ ସଂଗ୍ରହକୁ ତ୍ୱରାନ୍ୱିତ କରିପାରିଛନ୍ତି ତାହା ଉନ୍ନୟନ ପାଇଁ ସମ୍ବଳ ଯୋଗାଣ କ୍ଷେତ୍ରରେ ବେଶ୍‍ ସହାୟକ ହୋଇଛି ।

ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ବଜେଟ୍‍ରେ କରାଯାଇଥିବା ଅର୍ଥ ବ୍ୟବସ୍ଥାର ବିନିଯୋଗ ଅପେକ୍ଷାକୃତ ଅଧିକ ବୃଦ୍ଧିପାଇଛି । ପୂର୍ବବର୍ଷ ଏହା ୨୫ପ୍ରତିଶତ ଥିବାବେଳେ ଚଳିତବର୍ଷ ଏହା ୩୧.୫ ପ୍ରତିଶତକୁ ବୃଦ୍ଧି ପାଇଛି । ତେଣୁ ବଜେଟ୍‍ରେ କରାଯାଇଥିବା ବ୍ୟୟବରାଦର ବିନିଯୋଗ ପରିମାଣ ୬.୫ ପ୍ରତିଶତ ଅଧିକ ହୋଇଛି ।

ଏହାକୁ ଦୃଷ୍ଟିରେ ରଖି ଅତିରିକ୍ତ ବଜେଟ୍‍ରେ ଅନ୍ୟାନ୍ୟ ବର୍ଷ ତୁଳନାରେ ଅପେକ୍ଷାକୃତ ଅଧିକ ବ୍ୟୟବରାଦ ହେବ ବୋଲି ଆଶା କରାଯାଉଛି । ତେବେ ଆଗାମୀ ବର୍ଷ ଆରମ୍ଭରୁ ଲାଗ ଲାଗ ଦୁଇଟି ନିର୍ବାଚନ ହେବାକୁ ଯାଉଥିବାରୁ ଫେବୃୟାରୀ-ମାର୍ଚ୍ଚ ମାସରେ ବ୍ୟୟ ପରିମାଣ କମିଯିବାର ଆଶଙ୍କା ଉପୁଜିଛି । କାରଣ ରାଜ୍ୟ ପ୍ରଶାସନ ନିର୍ବାଚନରେ ବ୍ୟସ୍ତ ରହିବା ସାଙ୍ଗକୁ ଆଦର୍ଶ ଆଚରଣ ବିଧି ଲାଗୁ ହେବ । ଏହା ଉନ୍ନୟନ ବ୍ୟୟକୁ ଧିମା କରିବାର ଆଶଙ୍କା କରାଯାଏ । (ତଥ୍ୟ)