Home General ଅଢେଇ ହଜାର ଗାଁ ଅପହଞ୍ଚ

ଅଢେଇ ହଜାର ଗାଁ ଅପହଞ୍ଚ

ଭୁବନେଶ୍ୱର : ରାଜ୍ୟ ସରକାର ୟୁଟ୍ୟୁବ୍‍ରେ ପିଲାଙ୍କୁ ପାଠପଢା ଠାରୁ ଆରମ୍ଭ କରି ସମସ୍ତଙ୍କୁ ପାଇପ୍‍ ଯୋଗେ ପାନୀୟଜଳ ଜଳ କଥା କହୁଥିବାବେଳେ ଏବେ ବି ରାଜ୍ୟର ପ୍ରାୟ ଅଢେଇ ହଜାର ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ । ଏଠାରେ ୟୁଟ୍ୟୁବ ପାଠପଢା ତ ଦୂରରକଥା ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଟିକାଟିଏ ଦେବା ବି କାଠିକର ପାଠ ।

ସରକାରଙ୍କ ହିସାବରେ ରାଜ୍ୟର ୨୪୬୭ ଗାଁ ଏବେ ବି ସମସ୍ତଙ୍କ ପାଇଁ ଅପହଞ୍ଚ ଇଲାକା ହୋଇ ରହିଛି । ଏଠାକୁ ଗମନାଗମନର ସୁବିଧା ନଥିବାବେଳେ ଅନ୍ୟକଥା କିଏ ପଚାରୁଛି । ତେବେ ରାଜ୍ୟ ସରକାର ଏହିସବୁ ଅପହଞ୍ଚ ଇଲାକାକୁ ପହଞ୍ଚ କରିବାପାଇଁ ୫୦କୋଟି ଟଙ୍କା ମଞ୍ଜୁରୀରେ ସଡକ ସଂଯୋଗ ଆରମ୍ଭ କରିଛନ୍ତି ।

ରାଜ୍ୟର ଛଅଟି ଜିଲ୍ଲା ବରଗଡ, ଭଦ୍ରକ, ବିଲାଙ୍ଗିର, କଟକ, ଯାଜପୁର ଓ ସୁବର୍ଣ୍ଣପୁରକୁ ବାଦ୍‍ ଦେଲେ ଅନ୍ୟ ୨୪ଟି ଜିଲ୍ଲାରେ ଅପହଞ୍ଚ ଇଲାକା ବା ଗାଁ ରହିଛି । ରାଜ୍ୟ ରାଜଧାନୀ ଥିବା ଖୋରଧା ଜିଲ୍ଲାରେ ଅପହଞ୍ଚ ଗାଁ ସଂଖ୍ୟା ହେଉଛି ୩ । କେବଳ ଖୋରଧା ନୁହେଁ ଉପକୂଳ ଅଞ୍ଚଳର ଅନେକ ଜିଲ୍ଲାରେ ବି ଅପହଞ୍ଚ ଗାଁ ରହିଛି ।

ତେବେ ସବୁଠାରୁ ଅଧିକ ୩୦୫ ଅପହଞ୍ଚ ଗାଁ ରାୟଗଡା ଜିଲ୍ଲାରେ ଥିବାବେଳେ କଳାହାଣ୍ଡିରେ ୨୭୦ ରହିଛି । ଏହା ପଛକୁ ତୃତୀୟ ସ୍ଥାନରେ ରହିଛି ଜଗତ୍‍ସିଂହପୁର ଜିଲ୍ଲା । ରାଜ୍ୟ ରାଜଧାନୀର ଅନତି ଦୂରରେ ଥିବା ଓ ରାଜ୍ୟର ଦ୍ୱିତୀୟ ସର୍ବାଧିକ ସାକ୍ଷରତା ଜିଲ୍ଲାର ମାନ୍ୟତା ପାଇଥିବା ଜଗତ୍‍ସିଂହପୁରରେ ଏବେ ବି ୨୧୧ ଅପହଞ୍ଚ ଗାଁ ରହିଛି ।

ଏହା ପଛକୁ ନବରଙ୍ଗପୁରରେ ୧୮୮, ଗଜପତିରେ ୧୬୦, ମାଲକାନଗିରିରେ ୧୫୦, ମୟୁଭଞ୍ଜରେ ୧୪୫, କେନ୍ଦୁଝରରେ ୧୪୧, କନ୍ଧମାଳରେ ୧୨୬ ଓ ଅନୁଗୁଳ ଜିଲ୍ଲାରେ ୧୦୮ଟି ଗାଁ ଏହି ତାଲିକାରେ ରହିଛି । ବାଲେଶ୍ୱରରେ ୬୪ଟି ଗାଁ ଅପହଞ୍ଚ ତାଲିକାରେ ଥିବାବେଳେ କେନ୍ଦ୍ରାପଡାରେ ୧୭, ପୁରୀରେ ୨ ଓ ଗଞ୍ଜାମରେ ୯୩ଟି ଜିଲ୍ଲା ରହିଛି ।

ଏହିସବୁ ଅପହଞ୍ଚ ଗାଁରେ ସ୍ୱାସ୍ଥ୍ୟସେବା ଯୋଗାଇବା କଷ୍ଟକର ହୋଇଥିବାବେଳେ ଏଠାରେ ବିଜୁଳି, ପାଇପ୍‍ ଯୋଗେ ପାନୀୟଜଳ, ଟେଲିଫୋନ୍‍ ଆଦି ସୁବିଧା ଅପହଞ୍ଚ । ତେଣୁ ଏଭଳି ସ୍ଥିତିରେ ସେଠାକାର ପିଲାଏ ୟୁଟ୍ୟୁବରେ ପାଠ ପଢିବା ଏକ ପ୍ରକାର ଚିନ୍ତାର ବାହାରେ ।

ଏହିସବୁ ଅପହଞ୍ଚ ଇଲାକାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନା କାର୍ଯ୍ୟକାରୀ କରିବା ବି କଷ୍ଟକର ହୋଇପଡୁଛି । ବର୍ତ୍ତମାନ ରାଜ୍ୟରେ ଟିକାଦାନ ଜୋରସୋରରେ ଚାଲିଥିବାବେଳେ ଏହିସବୁ ଅଞ୍ଚଳବାସୀଙ୍କୁ କିଭଳି ଶତ ପ୍ରତିଶତ ଟିକାକରଣ ହେବ ତାହା କର୍ତ୍ତୃପକ୍ଷଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ତେଣୁ ଏହିସବୁ ଅପହଞ୍ଚ ଗାଁକୁ କିଭଳି ସବୁଦିନିଆ ଯୋଗାଯୋଗ ବ୍ୟବସ୍ଥା ହୋଇପାରିବ ତୁରନ୍ତ ସେ ଦିଗରେ ପଦକ୍ଷେପ ନେବାପାଇଁ ଦାବି ହେଉଛି । (ତଥ୍ୟ)