Home News in Odia ଅଜିତ ମଙ୍ଗରାଜଙ୍କ ଦେହାନ୍ତ

ଅଜିତ ମଙ୍ଗରାଜଙ୍କ ଦେହାନ୍ତ

ଭୁବନେଶ୍ୱର : ପିପିଲି ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ଲଢୁଥିବା ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜଙ୍କର ଆଜି କରୋନାରେ ଦେହାନ୍ତ ହୋଇଯାଇଛି । ଏଥିଯୋଗୁଁ ପିପିଲିର ସରଗରମ ନିର୍ବାଚନୀ ବାତାବରଣ ଏବେ କାଳବୈଶାଖୀରେ ଥଣ୍ଡା ପଡିଛି । ପୁଣି କେବେ ନିର୍ବାଚନ ତାରିଖ ଘୋଷଣା ହେବ ତାହା ଉପରେ ସମସ୍ତଙ୍କ ନଜର ।

ଅଜିତ ମଙ୍ଗରାଜ ପିପିଲିରୁ କଂଗ୍ରେସ ପ୍ରାର୍ଥୀଭାବେ ଲଢୁଥିବାବେଳେ ତାଙ୍କ ସହ ମୁଖ୍ୟତଃ ବିଜେଡିର ରୁଦ୍ର ପ୍ରତାପ ମହାରଥୀ ଓ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କର ଲଢେଇ ହେଉଥିଲା । ଏମାନଙ୍କ ଛଡା ବି ସିପିଆଇଏମ୍‍ଏଲ୍‍ର ଅଶୋକ ପ୍ରଧାନଙ୍କ ସମେତ ଆଉ କେତେଜଣ ପ୍ରାର୍ଥୀ ଅଛନ୍ତି ।

ପିପିଲିର ବିଧାୟକ ଥିବା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ହେଉଛି । ତେବେ ଉପନିର୍ବାଚନ ଚାଲୁଥିବାବେଳେ ଗୋଟିଏ ଜାତୀୟ ଦଳର ପ୍ରାର୍ଥୀଙ୍କ ମୃତ୍ୟୁ ହେବାପରେ ଏଠାରେ ଆସନ୍ତା ୧୭ତାରିଖରେ ମତଦାନ ହେବା ଘେନି ସନ୍ଦେହ ଉପୁଜିଛି । ଏ ପ୍ରସଙ୍ଗରେ ନିର୍ବାଚନ କମିଶନ ବିଧିବଦ୍ଧ ନିଷ୍ପତ୍ତି ନେବେ ।

ଏଠାରେ ଉଲ୍ଲେଖନୀୟ ଯେ ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଅଚେତ ହୋଇଯିବାରୁ ତାଙ୍କୁ ପ୍ରଥମେ ଡେଲାଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ତାଙ୍କୁ ଭୁବନେଶ୍ୱରର ଏକ କର୍ପୋରେଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସେ କରୋନା ସଂକ୍ରମିତ ଥିବା ଜଣାପଡିଥିଲା ।

ଏହାପରେ ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ସତ୍ୱେ ତାଙ୍କ ସ୍ଥିତି ସୁଧୁରିନଥିଲା । ଶେଷରେ ଅଜିତ ଆଜି କରୋନା ସଂକ୍ରମିତ ଥାଇ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଅଜିତ କଂଗ୍ରେସର ଜଣେ ଉଦୀୟମାନ ଯୁବନେତା ଥିଲେ । ତେବେ ମଝିରେ ସେ କଂଗ୍ରେସ ଛାଡି ଥରେ ବିଜେପି ଟିକଟରେ ନିର୍ବାଚନ ଲଢିଥିଲେ । ପରବର୍ତ୍ତୀ ସମୟରେ ସେ ବିଜେପି ଛାଡି ପୁଣି ନିଜ ଦଳ କଂଗ୍ରେସକୁ ଫେରିଥିଲେ ଏବଂ ୨୦୧୯ ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ହୋଇ ତୃତୀୟ ସ୍ଥାନରେ ରହିଥିଲେ । ଶ୍ରୀ ମଙ୍ଗରାଜ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ ।

ମହାରଥୀଙ୍କ ମୃତ୍ୟୁ ପରେ ବିଜେଡି ତାଙ୍କ ପୁଅ ରୁଦ୍ରପ୍ରତାପଙ୍କୁ ପ୍ରାର୍ଥୀ କରିଥିବାବେଳେ ପୂର୍ବରୁ କଂଗ୍ରେସ ନେତା ଥାଇ ପିପିଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ହୋଇଥିବା ଆଶ୍ରିତ ପଟ୍ଟନାୟକଙ୍କୁ ଏଥର ବିଜେପି ପ୍ରାର୍ଥୀ କରିଛି । ୨୦୧୯ନିର୍ବାଚନରେ ଆଶ୍ରିତ ବିଜେପି ଟିକଟରେ ନିର୍ବାଚନ ଲଢି ପ୍ରାୟ ୭୨ହଜାର ଭୋଟ ପାଇଥିଲେ । ଆଶ୍ରିତ ଏବେ ଦଳର ଜିଲ୍ଲା ସଭାପତି ଅଛନ୍ତି ।

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନା ସଂକ୍ରମିତ ଜଣାପଡିବା ପରେ ପୂର୍ବରୁ ତାଙ୍କ ସହ ସଭା ସମିତି, ଶୋଭାଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବହୁ ଦଳୀୟ ନେତା ଓ ସାଧାରଣ ଲୋକ ଏବେ ସଂଗରୋଧରେ ରହିଛନ୍ତି । ଅଜିତଙ୍କ ଅନୁପସ୍ଥିତିରେ କଂଗ୍ରେସର କିଛି ନେତା ପିପିଲିରେ ନିର୍ବାଚନ ପ୍ରଚାରର ମଙ୍ଗ ଧରିଛନ୍ତି ।

ଏବେ ନିର୍ବାଚନ ପ୍ରଚାର ଏକ ପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚି ୧୫ତାରିଖରୁ ପ୍ରଚାର ଅଭିଯାନ ବନ୍ଦ ହେବାକୁ ଯାଉଛି ଏବଂ ୧୭ତାରିଖରେ ଭୋଟ ଗ୍ରହଣର କାର୍ଯ୍ୟକ୍ରମ ଥିଲା । ଏଭଳି ସମୟରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ଯୋଗୁଁ ସେଠାରେ ଉପନିର୍ବାଚନ ପୁଣି କେବେ ହେବ ସେ ସଂକ୍ରାନ୍ତରେ ର୍ନିବାଚନ କମିଶନ ନିଷ୍ପତ୍ତି ଗ୍ରହଣ କରିବେ ।

LEAVE A REPLY

Please enter your comment!
Please enter your name here