Home Health ଅଜିତଙ୍କୁ କେମିତି ହେଲା କରୋନା ?

ଅଜିତଙ୍କୁ କେମିତି ହେଲା କରୋନା ?

192
0

ଭୁବନେଶ୍ୱର : ଅଜିତ ମଙ୍ଗରାଜଙ୍କୁ କରୋନା କେମିତି ହେଲା ତାହା ଏବେ ପିପିଲି ନିର୍ବାଚନମଣ୍ଡଳୀ ସମେତ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟବସ୍ତୁ ହୋଇଛି । ନିର୍ବାଚନ ପ୍ରଚାର ସମୟରେ କରୋନା କଟକଣା ମାନିବାପାଇଁ ଯେଉଁ ମାର୍ଗନିର୍ଦ୍ଦେଶିକା ଜାରି କରାଯାଇଥିଲା ତାହାର ବ୍ୟାପକ ଉଲ୍ଲଙ୍ଘନ ଯେଭଳି ଚାଲିଲା ସେଥିରେ ଅଜିତ ବଳି ପଡିଗଲେ ବୋଲି ପିପିଲି-ଡେଲାଙ୍ଗ ଅଞ୍ଚଳରେ ଆଲୋଚନା ହେଉଛି ।

ଏଠାରେ ଉଲ୍ଲେଖନୀୟ ଯେ ପ୍ରବଳ ଗରମ ଓ ଗୁଳୁଗୁଳି ଭିତରେ ଅଜିତ ନିଜ ସପକ୍ଷରେ ଶୋଭାଯାତ୍ରାରେ ଯାଉଥିବାବେଳେ ହଠାତ୍‍ ଅସୁସ୍ଥ ହୋଇପଡିଥିଲେ ଏବଂ ତାଙ୍କୁ ତୁରନ୍ତ ଚିକିତ୍ସାପାଇଁ ଡେଲାଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଅନେକ ଦଳୀୟ ନେତା ଡାକ୍ତରଖାନା ଯାଇ ଅଜିତଙ୍କ ସ୍ୱାସ୍ଥାବସ୍ଥା ବୁଝିଥିଲେ । ତେବେ ତାଙ୍କୁ ରାଜଧାନୀର ଆପୋଲୋ ହସ୍ପିଟାଲକୁ ଅଧିକ ଚିକିତ୍ସାପାଇଁ ଅଣାଯାଇଥିଲା । ଏଠାରେ ସେ କରୋନା ପଜିଟିଭ ଚିହ୍ନିତ ହୋଇଥିଲେ ଏବଂ ତାଙ୍କ ଅବସ୍ଥାରେ ଦ୍ରୁତ ଅବନତି ଆସି ଉପନିର୍ବାଚନର ୩ଦିନ ପୂର୍ବରୁ ଦେହାନ୍ତ ହୋଇଯାଇଛି ।

ପିପିଲି ଅଞ୍ଚଳରେ ସଚେତନ ଲୋକେ କହୁଛନ୍ତି ଯେ ପ୍ରାର୍ଥୀ ସାଙ୍ଗରେ କେତେଜଣ ଲୋକ ଧରି ପ୍ରଚାର କରିବେ, ପ୍ରଚାରରେ ସାମିଲ ବ୍ୟକ୍ତିବିଶେଷ କିଭଳି ମାସ୍କ ପରିଧାନ ସହ ଦୂରତା ରକ୍ଷା କରିବେ ଏବଂ ଗହଳି କରିବେନାହିଁ ସେ ସଂକ୍ରାନ୍ତରେ ନିର୍ବାଚନ କମିଶନ ସ୍ପଷ୍ଟ ମାର୍ଗନିର୍ଦ୍ଦେଶିକା ଜାରି କରିଛନ୍ତି । ତେବେ ଖାଲି ପିପିଲି କାହିଁକି ଦେଶର ଯେଉଁ ୫ଟି ରାଜ୍ୟରେ ନିର୍ବାଚନ ହେଉଛି ସେଠାରେ କୌଣସି ରାଜନୈତିକଦଳ ଏହି ମାର୍ଗନିର୍ଦ୍ଦେଶିକାର ଅନୁପାଳନ କରୁନଥିବାବେଳେ ନିର୍ବାଚନ କମିଶନ କିମ୍ବା ପ୍ରଶାସନ ପକ୍ଷରୁ କାହା ବିରୁଦ୍ଧରେ କିଛି ବି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଓଲଟା ପୁଲିସ୍‍ ଓ ପ୍ରଶାସନ ନିର୍ବାଚନ ଆଳରେ କରୋନା ପ୍ରସାରଣ କାର୍ଯ୍ୟକ୍ରମର ନିରବଦ୍ରଷ୍ଟା ଭାବେ ରହୁଥିବା ଲୋକେ କହୁଛନ୍ତି ।

କଂଗ୍ରେସ ନେତାମାନେ କହୁଛନ୍ତି ଯେ ଅନ୍ୟ ଦଳମାନେ ହଜାର ହଜାର ସଂଖ୍ୟାରେ ଲୋକଙ୍କୁ ନେଇ ସଭା, ସମିତି, ଶୋଭାଯାତ୍ରାରେ ମାତିଥିବା ପରିପ୍ରେକ୍ଷୀରେ କଂଗ୍ରେସ ପ୍ରାର୍ଥୀ ମଧ୍ୟ ଅନୁରୂପ ବ୍ୟବସ୍ଥା କରିବାକୁ ବାଧ୍ୟ ହେଉଥିଲେ । ଯଦି ମୂଳରୁ କରୋନା କଟକଣାକୁ ସବୁଦଳ ପାଇଁ ନିରପେକ୍ଷ ଭାବେ ଲାଗୁ କରାଯାଇଥାନ୍ତା ତେବେ ହୁଏତ ଅନ୍ୟ କାହାଠୁ ଅଜିତଙ୍କୁ କରୋନା ସଂକ୍ରମଣ ଆସିନଥାନ୍ତା ।

ଏବେ କାଳବୈଶାଖିର ବର୍ଷା ଯୋଗୁଁ ପାଣିପାଗ ଥଣ୍ଡା ପଡିବା ଭଳି ପିପିଲିର ହାଇଭୋଲଟେଜ୍‍ ବ୍ୟୟବହୁଳ ସରଗରମ ନିର୍ବାଚନ ପ୍ରଚାର ପୂରା କାଲୁଆ ହୋଇଯାଇଛି । ନିର୍ବାଚନ ବନ୍ଦ ହେବା ଆଶଙ୍କାରେ ପ୍ରଚାର ଦାୟିତ୍ୱରେ ଥିବା ଅନେକ ନେତା ପିପିଲି ଛାଡି ପଳାଇଲେଣି । ତେବେ ନିର୍ବାଚନ ପ୍ରଚାର ସମୟରେ ଯେଭଳି ଦୂରତା ରକ୍ଷା କରାଯାଇନାହିଁ ଏବଂ ମାସ୍କ ଓ ସାନିଟାଇଜରକୁ ଉପେକ୍ଷା କରାଯାଇଛି ସେଥିରେ ପିପିଲି ଡେଲାଙ୍ଗ ଅଞ୍ଚଳରେ କରୋନାର ଲହର ଘେନି ସାଧାରଣ ଲୋକେ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ରହିଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here