Home News in Odia ଅଚଳ ପ୍ରଶ୍ନକାଳ

ଅଚଳ ପ୍ରଶ୍ନକାଳ

ଭୁବନେଶ୍ୱର : ଚାଷୀ ପ୍ରସଙ୍ଗରେ ବିରୋଧିଙ୍କ ହଟଗୋଳ ଯୋଗୁଁ ବିଧାନସଭାରେ ପ୍ରଶ୍ନକାଳ ଚାଲିପାରି ନାହିଁ । ଲଗାତାର ଦୁଇଦିନ ଧରି ଏଭଳି ସ୍ଥିତି ଲାଗି ରହିବା ସହିତ ବିଧାନସଭାର କାର୍ଯ୍ୟ ଏକ ପ୍ରକାର ଅଚଳ ରହିଛି । ଚାଷ ଓ ଧାନକିଣା ପ୍ରସଙ୍ଗରେ ବିରୋଧି ସଦସ୍ୟମାନେ ଗୃହ ମଧ୍ୟଭାଗରେ ପ୍ରତିବାଦ ଜାରି ରଖିଛନ୍ତି ।

ଆଜି ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରଶ୍ନକାଳ ଚଳାଇବାପାଇଁ ଉଦ୍ୟମ ଚଳାଇଥିଲେ । ତେବେ ଜଣକ ପରେ ଜଣେ ପ୍ରଶ୍ନକର୍ତ୍ତା ସଦସ୍ୟ ଆସନରେ ଅନୁପସ୍ଥିତ ଥିବାରୁ ପ୍ରଥମ ପ୍ରଶ୍ନର ଉତ୍ତର ମିଳିନଥିଲା । ଏହାପରେ ମନ୍ତ୍ରୀ ଅନ୍ୟ ପ୍ରଶ୍ନକର୍ତ୍ତାଙ୍କୁ ଡାକିଥିଲେ ମଧ୍ୟ ସେମାନେ ବି ଅନୁପସ୍ଥିତ ଥିଲେ ।

ବାଚସ୍ପତି ପ୍ରଶ୍ନକାଳ ଚଳାଇବାପାଇଁ ଉଦ୍ୟମ ଚଳାଇଥିବାବେଳେ ବିରୋଧି ବିଜେପି ଓ କଂଗ୍ରେସଦଳର ସଦସ୍ୟମାନେ ଚାଷୀ ପ୍ରସଙ୍ଗରେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ବିରୋଧି ସଦସ୍ୟମାନେ ଗୃହ ମଧ୍ୟରେ ପ୍ଲାକାର୍ଡ ପ୍ରଦର୍ଶନ ସହିତ ଧ୍ୱନିମାନ ଦେବାରୁ ବାଚିସ୍ପତି ବାଧ୍ୟହୋଇ ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବି କରିଥିଲେ ।

ପୁର୍ନବାର ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧିଦଳ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ତେବେ ହଟଗୋଳ ମଧ୍ୟରେ ବାଚିସ୍ପତି ଧାନକିଣା ପ୍ରସଙ୍ଗରେ ବ୍ୟକ୍ତବ୍ୟ ରଖିବାପାଇଁ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଡାକିଥିଲେ ।

ମନ୍ତ୍ରୀ ଗୃହରେ ତାଙ୍କର ମନ୍ତବ୍ୟ ରଖୁଥିବାବେଳେ ବିରୋଧି କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗରେ ହଟଗୋଳ ଜାରି ରଖିଥିଲେ । ମନ୍ତ୍ରୀଙ୍କ ବିବୃତ୍ତି ପରେ ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ।