Home Administration ଅଙ୍ଗନବାଡ଼ିକର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଅଙ୍ଗନବାଡ଼ିକର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର : କେବଳ ଛୋଟପିଲା ଏବଂ ଗର୍ଭବତୀ ମା’ମାନଙ୍କ ପୋଷଣ ଓ ସ୍ୱାସ୍ଥ୍ୟରକ୍ଷା ପାଇଁ ନୁହେଁ, କୋଭିଡ୍‌ ପରିସ୍ଥିତି ମଧ୍ୟରେ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଅଙ୍ଗନବାଡ଼ି କାର୍ଯ୍ୟକର୍ତ୍ତାମାନେ ଆଗଧାଡ଼ିର ଯୋଦ୍ଧା ଭାବେ କାର୍ଯ୍ୟ କରିଚାଲିଛନ୍ତି । ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ହେଉ କିମ୍ବା ଗୃହ ପୃଥକବାସ ବା କ୍ୱାରାଣ୍ଟାଇନ୍‌ ପରିଚାଳନା ହେଉ ସବୁଥିରେ ସେମାନେ ଖୁବ୍‌ ଭଲ କାମ କରୁଛନ୍ତି ।

ଆସନ୍ତା ୨୪ ତାରିଖରୁ ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି କୋଭିଡ୍‌ ଲକ୍ଷଣ ଏବଂ ଗୁରୁତର ରୋଗ ଥିବା ବ୍ୟକ୍ତି ଚିହ୍ନଟ(ସର୍ଭେ) କାର୍ଯ୍ୟ ଆରମ୍ଭ କରିବେ । ଏଥିରେ ସେମାନେ ନିଶ୍ଚିତ ଭାବେ ସଫଳ ହେବେ ଏବଂ ସେମାନଙ୍କ ମାଧ୍ୟମରେ ଗାଁକୁ ସଂକ୍ରମଣମୁକ୍ତ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୭୦ ହଜାରରୁ ଊଦ୍ଧ୍ୱର୍ ଆଇସିଡିଏସ୍‌ କର୍ମକର୍ତ୍ତାଙ୍କ ପାଇଁ ଅନୁଷ୍ଠିତ ଭର୍ଚୁଆଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଛନ୍ତି ।

କୋଭିଡ୍‌ ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗର ଆଗଧାଡ଼ିର କାର୍ଯ୍ୟକର୍ତ୍ତାମାନଙ୍କ ପାଇଁ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଥିବା ଘରକୁ ଘର ସର୍ଭେ ପରିପ୍ରେକ୍ଷୀରେ ଆୟୋଜିତ ଭର୍ଚୁଆଲ ଦକ୍ଷତା ବୃଦ୍ଧି ୱେବିନାରରେ ମାନ୍ୟବର ମୁଖ୍ୟମନ୍ତ୍ରୀ କୋଭିଡ୍‌ ସମୟରେ ଏହି ଆଗଧାଡ଼ିର କାର୍ଯ୍ୟକର୍ତ୍ତାମାନଙ୍କ କ୍ରମାଗତ ପରିଶ୍ରମ ଓ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିବା ସହ ଗାଁକୁ ସୁରକ୍ଷା ଦେବା ସହ ନିଜେ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି ।

େୱବିନାର୍‌ରେ କାର୍ଯ୍ୟକର୍ତ୍ତାମାନଙ୍କୁ ଉଦ୍‌ବୋଧନ ଦେଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ କହିଲେ ଯେ କୋଭିଡ୍‌ ଦ୍ୱିତୀୟ ଲହରର ଭୟାବହତାକୁ ଦେଖି ପ୍ରତ୍ୟେକ ମୂଲ୍ୟବାନ ଜୀବନକୁ ସୁରକ୍ଷିତ ରଖିବା ଆମ ପାଇଁ ସବୁଠାରୁ ବଡ଼ ଆହ୍ୱାନ । ଏହି ଆହ୍ୱାନର ମୁକାବିଲା ଦିଗରେ ଆମର ଆଇସିଡିଏସ୍‌ କାର୍ଯ୍ୟକର୍ତ୍ତା ଏବଂ ଅଙ୍ଗନବାଡ଼ି କର୍ମୀମାନଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।

ୱବିନାର୍‌ର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଲେ, କୋଭିଡ୍‌ର ଦ୍ୱିତୀୟ ଲହର ପରେ ତୃତୀୟ ଲହର ଆସିବା ନେଇ ମଧ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି । ଏଥିରେ ଶିଶୁମାନେ ଅଧିକ ପ୍ରଭାବିତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଇଛି ।

ତେଣୁ ଏବେଠାରୁ ଲୋକଙ୍କ ନିକଟରେ କୋଭିଡ୍‌ ସଂପର୍କରେ ସଠିକ୍‌ ତଥ୍ୟ ପହଞ୍ଚାଇବା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଶିଶୁ ଓ ମା’ମାନଙ୍କ ପୁଷ୍ଟିସାଧନକୁ ସୁନିଶ୍ଚିତ କରିବା ହେଉଛି ଅଙ୍ଗନବାଡ଼ି କାର୍ଯ୍ୟକର୍ତ୍ତାମାନଙ୍କ ଗୁରୁଦାୟିତ୍ୱ । ଏହି ଆଗଧାଡ଼ିର କାର୍ଯ୍ୟକର୍ତ୍ତାମାନେ ଗାଁର ଆଖି ଓ କାନ ଭଳି ସଜାଗ ରହି ଗାଁକୁ ସୁରକ୍ଷା ପ୍ରଦାନ କରିବାକୁ ଆହ୍ୱାନ ଦେବା ସହ ପ୍ରମୁଖ ଶାସନ ସଚିବ ସେମାନଙ୍କ ନିରନ୍ତର କର୍ତ୍ତବ୍ୟନିଷ୍ଠାକୁ ଭୂୟସୀ ପ୍ରଶଂସା କରିଥିଲେ ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାର ନିର୍ଦ୍ଦେଶକ ଅମରେନ୍ଦ୍ରନାଥ ମହାନ୍ତି ଏବଂ ତାଙ୍କ ଟିମ୍‌ ଦ୍ୱାରା ଘରକୁ ଘର ତିନି ମାସିଆ ସର୍ଭେ ସମୟରେ କୋଭିଡ୍‌ ପ୍ରୋଟୋକଲର ଅନୁପାଳନ, ଲକ୍ଷଣଯୁକ୍ତ କୋଭିଡ୍‌ ରୋଗୀଙ୍କ ଚିହ୍ନଟ ଓ ଚିକିତ୍ସା, ଗୃହ ପୃଥକବାସର ନିୟମାବଳୀ, ସଙ୍ଗରୋଧ ବ୍ୟବସ୍ଥା, ସଂକ୍ରମଣ ନିୟନ୍ତ୍ରଣ ନିମନ୍ତେ ବିବିଧ ପଦକ୍ଷେପ ସଂପର୍କରେ ପରାମର୍ଶ ଦେଇଥିଲେ ।

ପ୍ରାରମ୍ଭରେ ନିର୍ଦ୍ଦେଶକ, ସମାଜ କଲ୍ୟାଣ ଅରବିନ୍ଦ ଅଗ୍ରୱାଲ ବିଭାଗୀୟ ସମସ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନରେ ଆଗଧାଡ଼ି କର୍ମକର୍ତ୍ତାମାନଙ୍କ ଦାୟିତ୍ୱ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ସୂଚନା ଦେବା ସହ ନିୟମିତ ଅଙ୍ଗନବାଡ଼ି ସେବା ଯଥା: ପୁଷ୍ଟିସାଧନ, ହିତାଧିକାରୀମାନଙ୍କୁ ଶୁଖିଲା ରାସନ ବଣ୍ଟନ, କୋଭିଡ୍‌ ପ୍ରଭାବିତ ଶିଶୁଙ୍କ ଥଇଥାନ, ସମ୍ବେଦନପ୍ରବଣ ବାଳିକାମାନଙ୍କୁ ବାଲ୍ୟବିବାହରୁ ସୁରକ୍ଷା, ଘରୋଇ ହିଂସା ଆଦିକୁ ପ୍ରତିହତ କରିବା ନିମନ୍ତେ ଯନିବାନ ହେବାକୁ କହିଥିଲେ ।

ୟୁନିସେଫ୍‌ ସହାୟତାରେ ଆୟୋଜିତ ଏହି ୱେବିନାରରେ ଟେକ୍‌ନୋଲୋଜିର ପ୍ରୟୋଗ ମାଧ୍ୟମରେ ପ୍ରାୟ ୭୦ ହଜାର କ୍ଷେତ୍ର କର୍ମଚାରୀ ଯୋଡ଼ି ହୋଇଥିଲେ । ଜିଲ୍ଲାସ୍ତରରେ କୋଭିଡ୍‌ ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ଡିଏସ୍‌ଡବ୍ଲୁଓ, ସିଡ଼ିପିଓ, ସୁପରଭାଇଜର, ପ୍ରୋଗ୍ରାମ ମ୍ୟାନେଜର, ଡିସିପିଓ ଏବଂ ଅଙ୍ଗନବାଡ଼ି କର୍ମୀମାନେ ନିଜ ନିଜ ଜିଲ୍ଲାରୁ ଏହି ୱେବିନାରରେ ସାମିଲ ହୋଇଥିଲେ ।

ସମସ୍ତଙ୍କଠାରୁ ମତାମତ ସଂଗ୍ରହ କରାଯାଇଥିଲା ଏବଂ ବିଶେଷଜ୍ଞମାନେ ଅଂଶଗ୍ରହଣକାରୀମାନଙ୍କ କୋଭିଡ୍‌ ସମ୍ବନ୍ଧୀୟ ପ୍ରଶ୍ନାବଳୀର ଉତ୍ତର ଦେଇଥିଲେ । ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଥିବା ଘରକୁ ଘର ସର୍ଭେ ପୂର୍ବରୁ ଏହି ୱେବିନାର କ୍ଷେତ୍ର କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧିରେ ଯଥେଷ୍ଟ ସହାୟକ ହେବ ବୋଲି ବିଭାଗ ତରଫରୁ ଆଶା ପ୍ରକଟ କରାଯାଇଛି ।