Home General ଅଙ୍ଗନବାଡି ପାଇଁ ଜମି ମିଳୁନି

ଅଙ୍ଗନବାଡି ପାଇଁ ଜମି ମିଳୁନି

ଭୁବନେଶ୍ୱର : କରୋନା କଟକଣା ହଟିବାପରେ ରାଜ୍ୟ ସରକାର ଅଙ୍ଗନବାଡିରେ କୁନି କୁନି ପିଲାଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଥିବାବେଳେ ଏବେ ବି ୩ହଜାରରୁ ଅଧିକ ଅଙ୍ଗନାବାଡି ଘର ତିଆରି ପାଇଁ ଜମି ମିଳୁନାହିଁ । ଏହି ତାଲିକାରେ କଟକ ଜିଲ୍ଲା ସବୁଠାରୁ ଆଗରେ ରହିଛି ।

ସୂଚନା ଅନୁଯାୟୀ ଓଡିଶା ପାଇଁ ୭୪,୧୫୪ ଟି ଅଙ୍ଗନବାଡି ମଞ୍ଜୁର ହୋଇଥିବାବେଳେ ଏଥି ମଧ୍ୟରୁ ୪୯,୩୪୮ଟିର ନିଜସ୍ୱ ଗୃହ ରହିଛି । ଏବେ ବି ୨୪,୮୦୬ଟି ଅଙ୍ଗନବାଡି ଭଡାଘରେ କିମ୍ବା ଅନ୍ୟ କୌଣସି ସ୍ଥାନରେ କାର୍ଯ୍ୟ କରୁଛି । ଭଡାଘରେ ପାଖପାଖି ୫ହଜାର ଅଙ୍ଗନବାଡି ଚାଲିଥିବାବେଳେ ବିଦ୍ୟାଳୟ ଘରେ ଚାଲିଥିବା ଅଙ୍ଗନବାଡି ସଂଖ୍ୟା ନଅ ହଜାରରୁ ଅଧିକ ରହିଛି । ୧୦ହଜାରରୁ ଅଧିକ କେନ୍ଦ୍ର ବିଭିନ୍ନ ଗୋଷ୍ଠି ଘରେ କାର୍ଯ୍ୟ କରୁଛି ।

ତେବେ ରାଜ୍ୟ ସରକାର ଅଙ୍ଗନବାଡି ଗୁଡିକର ନିଜସ୍ୱ ଗୃହ ପ୍ରତିଷ୍ଠା ଉପରେ ଜୋର ଦେଉଥିବାବେଳେ ଏ କ୍ଷେତ୍ରରେ ଜମି ମିଳିବା ବଡ ପ୍ରତିବନ୍ଧକ ସାଜିଛି । ଏହି ସୂଚନା ଅନୁଯାୟୀ ରାଜ୍ୟରେ ଏବେ ବି ୩୪୬୫ଟି ଅଙ୍ଗନବାଡି ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ ହୋଇପାରୁ ନାହିିଁ । ଏଥି ମଧ୍ୟରେ କଟକ ଜିଲ୍ଲାର ସର୍ବାଧିକ ୮୨୧ଟି ଅଙ୍ଗନବାଡି କେନ୍ଦ୍ର ଥିବାବେଳେ ବାଲେଶ୍ୱରରେ ୩୯୫, ଜଗତସିଂହପୁରରେ ୨୬୯ଟି, ଖୋରଧା ଓ ମୟୁରଭଞ୍ଜରେ ୨୫୦କରି ରହିଛି । ପୁରୀରେ ୨୧୯ଟି ଅଙ୍ଗନବାଡି ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ ହୋଇପାରୁନଥିବାବେଳେ ଭଦ୍ରକରେ ୨୪୮, ଗଞ୍ଜାମରେ ୧୫୯ଟି ପାଇଁ ସ୍ଥାନ ମିଳୁନାହିଁ । ତେବେ ଏହି ତାଲିକାରେ ଦେବଗଡ, ଢେଙ୍କାନାଳ, ଯାଜପୁର ଓ ମାଲକାନଗିରି ନାହାନ୍ତି ।

ତେବେ ଯାହା ଲକ୍ଷ୍ୟ କରାଯାଉଛି ଉପକୂଳ ଜିଲ୍ଲାରେ ହି ଅଙ୍ଗନବାଡି ନିର୍ମାଣ ପାଇଁ ସ୍ଥାନକୁ ନେଇ ବିବାଦ ଦେଖାଦେବାରୁ ଏହା ହୋଇପାରୁ ନାହିଁ । ବିଶେଷକରି ଗାଁ ଗହଳରେ ଅଙ୍ଗନବାଡି କେନ୍ଦ୍ରର ସ୍ଥାନ ଚିହ୍ନଟ କାର୍ଯ୍ୟ ରାଜନୀତିରେ ଫସିଯିବାର ଏଭଳି ଅବସ୍ଥା ସୃଷ୍ଟି ହୋଇଛି । କୌଣସି ଅକୁହା କାରଣରୁ ସରକାର ବି ଏଥିରେ ଯେଭଳି ହସ୍ତକ୍ଷେପ କରିବାକଥା କାହା କରୁ ନାହାନ୍ତି । ଫଳରେ ଅର୍ଥ ଥିଲେ ମଧ୍ୟ ସେହିସବୁ ସ୍ଥାନରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହୋଇପାରୁ ନାହିଁ ଓ ପିଲାମାନେ ଭଡାଘରେ କିମ୍ବା ଅନ୍ୟ କୌଣସି ସ୍ଥାନରେ ବସୁଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ଇତି ମଧ୍ୟରେ ୧୦,୧୨୭ଟି ଅଙ୍ଗନବାଡି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଜାରି ରହିଥିବା ଓ ୧୧ ହଜାରରୁ ଅଧିକ ଅଙ୍ଗନବାଡି ପାଇଁ ଜମି ଚିହ୍ନଟ ସରିଥିଲେ ବି ତାହାର ନିର୍ମାଣ ଆରମ୍ଭ ହୋଇପାରୁ ନାହିଁ । ନିର୍ମାଣ ଆରମ୍ଭ ହୋଇପାରୁ ନଥିବା ଅଙ୍ଗନବାଡିଗୁଡିକ ବି ରାଜନୀତିର ଚକ୍ରବ୍ୟୁହରେ ଛନ୍ଦି ହେବା ଯୋଗୁଁ ଅଧାପନ୍ତରିଆ ଅବସ୍ଥାରେ ଝୁଲି ରହିଛନ୍ତି ।

ବର୍ତ୍ତମାନ ରାଜ୍ୟ ସରକାର ଅଙ୍ଗନବାଡିକୁ ସର୍ବାଧିକ ଅଗ୍ରାଧିକାର ଦେଉଥିବାବେଳେ ତୁରନ୍ତ ଏଥି ପାଇଁ ଜମି ଚିହ୍ନଟ ସହିତ କାର୍ଯ୍ୟ ଆରମ୍ଭ ପାଇଁ ସାଧାରଣରେ ମତପ୍ରକାଶ ପାଉଛି । ଇତି ମଧ୍ୟରେ ଲୋକସଂଖ୍ୟା ଓ ଆବଶ୍ୟକତା ଦୃଷ୍ଟିରୁ ରାଜ୍ୟରେ ଆଉ ୭୮୪୪ଟି ଅଙ୍ଗନବାଡି ଖୋଲିବାପାଇଁ କେନ୍ଦ୍ର ସରକାରଙ୍କ ଦିଆଯାଇଥିଲା ଏବଂ କେନ୍ଦ୍ରର ଆଦେଶ ଅନୁଯାୟୀ ତାଲିକାର ପୁନଃ ସମୀକ୍ଷାପାଇଁ ଜିଲ୍ଲାମାନଙ୍କୁ କୁହାଯାଇଛି । ତେବେ ଇତି ମଧ୍ୟରେ ୧୫୬୭ଟି ନୂତନ ଅଙ୍ଗନବାଡି ମଞ୍ଜୁର ହୋଇଥିବାବେଳେ ଏଗୁଡିକ ରାଜ୍ୟର ଜନଜାତି ବହୁଳ ପଛୁଆ ଅଞ୍ଚଳରେ ଖୋଲିବାପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here