Home Agriculture ଅଗଷ୍ଟରେ ୧.୨୪ ଲକ୍ଷ ହେକ୍ଟରରେ ଫସଲ କ୍ଷତି

ଅଗଷ୍ଟରେ ୧.୨୪ ଲକ୍ଷ ହେକ୍ଟରରେ ଫସଲ କ୍ଷତି

ଭୁବନେଶ୍ୱର : ଚଳିତ ବର୍ଷ ଅଗଷ୍ଟ ମାସରେ ହୋଇଥିବା ପ୍ରବଳ ବର୍ଷା ଓ ବନ୍ୟାରେ ରାଜ୍ୟର ୨୨ଟି ଜିଲ୍ଲାରେ ୧.୨୪ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ୩୩ ପ୍ରତିଶତ ଓ ଏହାଠାରୁ ଅଧିକ ପରିମାଣର ଫସଲ ନଷ୍ଟ ହୋଇଛି । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଫସଲ କ୍ଷୟକ୍ଷତି ନେଇ ଜାରି କରିଥିବା ବିସ୍ତୃତ ରିପୋର୍ଟରୁ ଏହା ଜଣାପଡିଛି ।

ଫସଲ କ୍ଷୟକ୍ଷତି ନେଇ ଜିଲ୍ଲାପାଳମାନେ ଦାଖଲ କରିଥିବା ରିପୋର୍ଟ ଅନୁଯାୟୀ ଗତ ଅଗଷ୍ଟ ମାସରେ ହୋଇଥିବା ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ୨୨ଟି ଜିଲ୍ଲାର ୯୩ଟି ବ୍ଲକରେ ଥିବା ୯୦୧ ଗ୍ରାମପଞ୍ଚାୟତର ୩୨୨୪ଟି ଗ୍ରାମ ଏବଂ ୭ଟି ପୌରାଞ୍ଚଳର ୨୯ଟି ୱାର୍ଡରେ ୧,୨୪,୪୭୪.୬୧ ହେକ୍ଟର ଜମିରେ ୩୩ ପ୍ରତିଶତ ଏବଂ ଏହାଠାରୁ ଅଧିକ ପରିମାଣର ଫସଲ କ୍ଷୟକ୍ଷତି ହୋଇଛି । କ୍ଷତି ହୋଇଥିବା ୧.୨୪ ଲକ୍ଷ ହେକ୍ଟର ମଧ୍ୟରୁ ଏକ ଲକ୍ଷ ହେକ୍ଟର ଜମି ଅଣଜଳସେଚିତ ହୋଇଥିବାବେଳେ ୨୩,୬୩୮ହେକ୍ଟର ଜମି ଜଳସେଚିତ ଏବଂ ୧୭୫ ହେକ୍ଟର ହେଉଛି ସବୁଦିନିଆ ଫସଲ ହେଉଥିବା ଜମି ।

କଟକ ଜିଲ୍ଲାରେ ସର୍ବାଧିକ ୩୪,୮୫୯ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବାବେଳେ ପୁରୀରେ ୨୫,୦୫୮ ହେକ୍ଟରରେ ଫସଲ କ୍ଷତି ହୋଇଛି । ସେହିଭଳି ଯାଜପୁର ଜିଲ୍ଲାରେ ଆସିଥିବା ବନ୍ୟାରେ ୧୫,୯୧୪ ହେକ୍ଟର ଜମିରେ ଫସଲ କ୍ଷତି ହୋଇଥିବାବେଳେ ଭଦ୍ରକରେ ୧୨,୭୩୨ ହେକ୍ଟରରେ କ୍ଷତି ହୋଇଛି । ଖୋରଧା ଜିଲ୍ଲାରେ ପ୍ରବଳ ବର୍ଷାରେ ୧୦,୨୭୮ ହେକ୍ଟର ଜମିରେ ଫସଲ ଉଜୁଡିଛି ।

ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରେ ଅନୁଗୁଳରେ ୧୫୬୮ ହେକ୍ଟର, ବଲାଙ୍ଗିରରେ ୫୭୯, ବରଗଡରେ ୬୪୬, ବୌଦରେ ୧୭୬୨, ଜଗତ୍‍ସିଂହପୁରରେ ୪୦୧୫, ଝାରସୁଗୁଡାରେ ୨୬୫, କଳାହାଣ୍ଡିରେ ୧୮୪୦, କନ୍ଧମାଳରେ ୨୪, କେନ୍ଦ୍ରାପଡାରେ ୨୦୦୨, କୋରାପୁଟରେ ୨୯୭, ମୟୁରଭଞ୍ଜରେ ୯୪୯, ନବରଙ୍ଗପୁରରେ ୯୮, ନୟାଗଡରେ ୪୧୧୩, ସୋନୁରରେ ୬୦୫ ଏବଂ ସୁନ୍ଦରଗଡ ଜିଲ୍ଲାରେ ୬୯ ହେକ୍ଟର ଜମିରେ ଫସଲ କ୍ଷତି ହୋଇଥିବା ରିପୋର୍ଟ ଆସିଛି । ଏହି ତଥ୍ୟ ଆଧାରରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ପ୍ରଦାନ କରାଯିବ ।

୩୩ ପ୍ରତିଶତ କିମ୍ବା ଏହାଠାରୁ ଅଧିକ ପରିମାଣର ଫସଲ ନଷ୍ଟ ପାଇଁ ପ୍ରଦାନ କରାଯିବାକୁ ଥିବା କ୍ଷତିପୂରଣ ବ୍ୟବସ୍ଥା ଅନୁଯାୟୀ ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬୮୦୦ ଟଙ୍କା, ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩,୫୦୦ ଏବଂ ସବୁଦିନିଆ ଫସଲ ହେଉଥିବା ଜମି ପାଇଁ ହେକ୍ଟର ପିଛା ୧୮ହଜାର ଟଙ୍କା ମିଳିବ । ତେବେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଏହି ସହାୟତା ପରିମାଣ କୌଣସି ସ୍ଥିତିରେ ସବୁଦିନିଆ ଚାଷ ହେଉଥିବା ଜମି ପାଇଁ ହେକ୍ଟର ପିଛା ୨୦୦୦ ଟଙ୍କା ଓ ଅନ୍ୟ ଜମି ପାଇଁ ହେକ୍ଟର ପିଛା ୧୦୦୦ ଟଙ୍କାରୁ କମ୍‍ ହେବନାହିଁ । (ତଥ୍ୟ)