Home Health ଅକ୍ସିଜେନ ଯୋଗାଣ ପାଇଁ ଓଏସଏଲର ଲଜିଷ୍ଟିକ ସହାୟତା

ଅକ୍ସିଜେନ ଯୋଗାଣ ପାଇଁ ଓଏସଏଲର ଲଜିଷ୍ଟିକ ସହାୟତା

ଭୁବନେଶ୍ୱର: ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସଏଲ) ନିଜର ଅଭିଜ୍ଞ କର୍ମଚାରୀଙ୍କ ସହଯୋଗରେ ପାରାଦୀପ ପୋର୍ଟ ଟ୍ରଷ୍ଟ ଜରିଆରେ ସିଙ୍ଗାପୁରର ଏମଭି ଆନ୍ନା ମାରିଆ ଦ୍ୱାରା ୪୦ ଲିଟର ଧାରଣ କ୍ଷମତାଯୁକ୍ତ ୨୪ଟି ମେଡିକାଲ୍ ଅକ୍ସିଜେନ୍ ସିଲିଣ୍ଡର, ୫ଟି ମେଡିକାଲ ଅକ୍ସିଜେନ୍ ସିଲିଣ୍ଡର ଏବଂ ଅକ୍ସିଜେନ୍ ରେଗୁଲେଟର- ହ୍ୟୁମିଡିଫାୟର ଆଣି ଅନଲୋଡିଂ ପାଇଁ ଆବଶ୍ୟକ ସମ୍ପୂର୍ଣ୍ଣ ଲଜିଷ୍ଟିକ୍ ସହାୟତା ପ୍ରଦାନ କରିଛି ।

ଅନଲୋଡିଂ, ତ୍ୱରିତ କ୍ଲିୟରାନ୍ସ ନିମନ୍ତେ କଷ୍ଟମ୍ସ ସହ ସମନ୍ୱୟ ରକ୍ଷା, ପୋର୍ଟ କ୍ଲିୟରାନ୍ସ ଏବଂ ରାଜ୍ୟ ସରକାରଙ୍କ ତରଫରୁ ବନ୍ଦରରୁ ବିନା କୌଣସି ଦେୟରେ ତ୍ୱରିତ ସ୍ଥାନାନ୍ତର ଆଦି କାର୍ଯ୍ୟ ଓଏସଏଲ ଗ୍ରୁପ୍ ସମ୍ପାଦନ କରିଥିଲା । ଜଗତସିଂହପୁରର ଏଡିଏମ ଡକ୍ଟର କାହ୍ନୁଚରଣ ଧୀର ରାଜ୍ୟ ସରକାରଙ୍କ ତରଫରୁ ସିଲିଣ୍ଡରଗୁଡ଼ିକୁ ଗ୍ରହଣ କରିଥିଲେ । ପରେ ଅକ୍ସିଜେନ୍ ସିଲିଣ୍ଡରଗୁଡ଼ିକ ଜଗତସିଂହପୁରରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଚିକିତ୍ସାଳୟ ମଧ୍ୟରେ ବଣ୍ଟନ କରାଯାଇଥିଲା ।

ମାନବୀୟ ସାମାଜିକ କାରଣକୁ ସମର୍ଥନ ଦେଇ ଓଏସଏଲ ଗ୍ରୁପ୍ ଅଧ୍ୟକ୍ଷ ମହିମାନନ୍ଦ ମିଶ୍ର କହିଛନ୍ତି ଯେ କୋଭିଡ-୧୯ର ଦ୍ୱିତୀୟ ଲହର ପାଇଁ ଆମେ ଏକ ଆପାତକାଳୀନ ସ୍ଥିତିର ସମ୍ମୁଖୀନ ହୋଇଛୁ । ଓଏସଏଲ୍ ଗ୍ରୁପ୍ ରାଜ୍ୟ ଏବଂ ଜନସାଧାରଣଙ୍କ ହିତ ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ଆମେ ସରକାରଙ୍କୁ ଏହି ମହାମାରୀ କାଳରେ ସହାୟତା ପ୍ରଦାନ କରି ଗର୍ବ ଅନୁଭବ କରୁଛୁ ।

ଓଏସଏଲ ଗ୍ରୁପର ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ର କର୍ମଚାରୀମାନଙ୍କୁ ଅକ୍ସିଜେନ୍ ସିଲିଣ୍ଡରଗୁଡ଼ିକର ସୁଗମ ଅନଲୋଡିଂ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।

କୋଭିଡ୍‌-୧୯ ମହାମାରିକୁ ପ୍ରତିହତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ମାସ୍କ ପିନ୍ଧିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ପରେ ନିଜ ଅସ୍ତିତ୍ୱର ବିଗତ ତିନି ଦଶନ୍ଧି ମଧ୍ୟରେ ସାମାଜିକ କାରଣ ପ୍ରତି ସହାୟତା ପ୍ରଦାନ କରି ଆସିଥିବା ଓଏସ୍‌ଏଲ୍ ଓଡ଼ିଶାରେ ତୁରନ୍ତ ବ୍ୟାପକ ମାସ୍କ ଆବଣ୍ଟନ କାର୍ଯ୍ୟ ଆରମ୍ଭ କରିଥିଲା ।

ମହାମାରୀ ସମୟରେ ମାସ୍କ ବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଓଏସଏଲ ଗ୍ରୁପ୍ ଏକଲକ୍ଷ ମାସ୍କ ସାଧାରଣ ଜନତାଙ୍କୁ ଆବଣ୍ଟନ କରିଥିଲା । ମହାମାରୀରେ ଆବଶ୍ୟକ ସହାୟତା ସହ ଅଗ୍ରଣୀ ଭୂମିକା ପାଇଁ ଜିଲ୍ଲା ପ୍ରଶାସନ ଓଏସଏଲ ଗ୍ରୁପର ପ୍ରଶଂସା କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଓଏସଏଲ ଗ୍ରୁପ୍ ଆବଶ୍ୟକ ସତର୍କତା ଗ୍ରହଣ କରିବା ସହ କୋଭିଡ-୧୯ ନିର୍ଦେଶାବଳୀକୁ ନିଜ କାର୍ଯ୍ୟାଳୟ ପରିସରରେ ଦୃଢ଼ ଅନୁପାଳନ କରିଛନ୍ତି । ସମଗ୍ର ଓଏସଏଲ ମୁଖ୍ୟାଳୟ ଏବଂ ଶାଖା କାର୍ଯ୍ୟାଳୟଗୁଡ଼ିକ ନିୟମିତ ସାନିଟାଇଜ୍ କରାଯାଇଛି । ଉଭୟ କାର୍ଯ୍ୟାଳୟ କର୍ମଚାରୀ ଏବଂ ଶ୍ରମିକମାନଙ୍କ ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।