Home Covid ଅକ୍ସିଜେନ ପାଇଁ ଗ୍ରିନ୍‍ କରିଡର

ଅକ୍ସିଜେନ ପାଇଁ ଗ୍ରିନ୍‍ କରିଡର

ଭୁବନେଶ୍ୱର : ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟ ଜାରି ରହିଛି । ଅଦ୍ୟାବଧି ୨୯ଟି ଟ୍ୟାଙ୍କର୍ ଯୋଗେ ୫୧୦ ଟନ୍‌ରୁ ଅଧିକ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି ।

ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ମହାରାଷ୍ଟ, ହରିୟାନା, ଦିଲ୍ଲୀ, ଉତରପ୍ରଦେଶ ସମେତ ଅନ୍ୟ ସ୍ଥାନକୁ ଅକ୍ସିଜେନ୍ ପଠାଯାଇଛି । ଢେଙ୍କାନାଳ, ଅନୁଗୁଳ ଏବଂ ରାଉରକେଲାରୁ ଆଜି ଆହୁରି ୧୫ଟି ଅକ୍ସିଜେନ୍ ଟ୍ୟାଙ୍କର୍ ପଠାଯିବ । ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କର୍‌ଗୁଡ଼ିକର ସହଜ ଯାତାୟତ ନିମନ୍ତେ ସ୍ୱତନ୍ତ୍ର ଗ୍ରୀନ୍ କରିଡ଼ର୍ ପ୍ରସ୍ତୁତ କରାଯାଇଛି ।

ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କର୍‌ଗୁଡ଼ିକର ଯାତାୟତରେ ଯେମିତି କିଛି ଅସୁବିଧା ନ ହୁଏ ସେ ନେଇ ରାଜ୍ୟ ପୋଲିସ୍ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପୋଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଛି । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍ ଓ ଶୃଙ୍ଖଳା) ଯଶୋୱନ୍ତ ଜେଠୱାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି । ଜିଲ୍ଲାର ସମସ୍ତ ଏସ୍‌ପି/ଡିସିପି/ରେଂଜ ଡିଆଇଜି/ଆଇଜି ଏବଂ ପୋଲିସ୍ କମିଶନର ନିଜ ନିଜ ଅଂଚଳରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।