Home Administration ସଂରକ୍ଷିତବର୍ଗର ପ୍ରାର୍ଥୀଙ୍କୁ ମିଳିବ ନିଯୁକ୍ତି

ସଂରକ୍ଷିତବର୍ଗର ପ୍ରାର୍ଥୀଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର : ସରକାରୀ ଚାକିରି କ୍ଷେତ୍ରରେ ଯୋଗ୍ୟତା ଆଧାରରେ ସଂରକ୍ଷିତବର୍ଗର ପ୍ରାର୍ଥୀ ଅଣସଂରକ୍ଷିତ ଆସନରେ ପଦୋନ୍ନତି ଓ ପ୍ରତ୍ୟକ୍ଷ ନିଯୁକ୍ତି ପାଇପାରିବେ । ଏ ସଂକ୍ରାନ୍ତରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ସ୍ପଷ୍ଟିକରଣ ଦିଆଯାଇଛି ।

ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ବିଭାଗୀୟ ସଚିବ ଓ ଅନ୍ୟ ସମସ୍ତ ବିଭାଗକୁ ଦିଆଯାଇଥିବା ଏହି ସ୍ପଷ୍ଟିକରଣ ଆଇନ୍‍ ବିଭାଗର ମତାମତ ଆଧାରରେ ରଖାଯାଇଛି । ନବେ ଦଶକରୁ ଏଯାବତ୍‍ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବାରମ୍ବାର ସ୍ପଷ୍ଟିକରଣ ଦେଇ ଆସୁଛନ୍ତି ଯେ ସରକାରୀ ଚାକିରି କ୍ଷେତ୍ରରେ ସଂରକ୍ଷିତ ଆସନଗୁଡିକ କେବଳ ନିର୍ଦ୍ଦିଷ୍ଟ ସଂରକ୍ଷିତବର୍ଗର ପ୍ରାର୍ଥୀଙ୍କ ଦ୍ୱାରା ପୂରଣ ହେବାକୁ ଥିବାବେଳେ ଅଣସଂରକ୍ଷିତ ଆସନଗୁଡିକ ଲାଗି ସଂରକ୍ଷିତବର୍ଗର ପ୍ରାର୍ଥୀମାନେ ବି ପ୍ରତିଦ୍ୱନ୍ଦିତା କରିପାରିବେ । ମୋଟାମୋଟି ଭାବେ ଯିଏ ଯୋଗ୍ୟ ସେ ଯେଉଁ ବର୍ଗର ହୁଅନ୍ତୁ ପଛେ ତାଙ୍କୁ ଅଣସଂରକ୍ଷିତ ଆସନରେ ନିଯୁକ୍ତି ଓ ପଦୋନ୍ନତି ଦିଆଯାଇ ପାରିବ ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଏଭଳି ଅନେକ ସ୍ପଷ୍ଟିକରଣ ଥିବା ସତ୍ୱେ କେତେକ ଜିଲ୍ଲାରେ କିନ୍ତୁ ଏହାକୁ ଅଣଦେଖା କରାଯାଇ ସଂରକ୍ଷିତବର୍ଗର ବରିଷ୍ଠ ଓ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଅଣସଂରକ୍ଷିତ ଆସନରେ ପଦୋନ୍ନତି ଦିଆଯାଉନାହିଁ । ଏଥିଯୋଗୁଁ ଆଇନ୍‍ ଅଦାଲତରେ ମାମଲା ସଂଖ୍ୟା ବଢିବା ସହିତ ସରକାର କାଠଗଡାରେ ଛିଡା ହେଉଛନ୍ତି । କେନ୍ଦୁଝର ଜିଲ୍ଲାରେ ଲଳିତ ମୋହନ ନାଏକ ନାମକ ଜଣେ ବରିଷ୍ଠ ସରକାରୀ କର୍ମଚାରୀଙ୍କୁ ଜାତିଗତ କାରଣରୁ ଉପେକ୍ଷା କରି ତାଙ୍କଠାରୁ ଦୁଇ ବର୍ଷ କନିଷ୍ଠ କର୍ମଚାରୀଙ୍କୁ ପଦୋନ୍ନତି ଦିଆଯିବା ଘେନି ସେ ରୁଜୁ କରିଥିବା ମାମଲାର ବିଚାର ଚାଲିଛି । ଇତି ମଧ୍ୟରେ ରାଜ୍ୟ ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସ୍ପଷ୍ଟିକରଣ ରଖିଛନ୍ତି ।

ଆଇନ୍‍ ବିଭାଗ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି ଯେ କର୍ମଚାରୀମାନଙ୍କ ବରିଷ୍ଠତା ତାଲିକାରେ ଯଦି ସଂରକ୍ଷିତବର୍ଗର ଜଣେ କର୍ମଚାରୀ ଉପରେ ରହିଥାନ୍ତି ତେବେ ତାଙ୍କୁ ଉପେକ୍ଷା କରି ଅଣସଂରକ୍ଷିତ ପ୍ରାର୍ଥୀଙ୍କୁ ପଦୋନ୍ନତି ଦିଆଯାଇ ପାରିବନାହିଁ । ସଂରକ୍ଷିତ ଆସନ କେବଳ ସଂରକ୍ଷିତବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଅଣସଂରକ୍ଷିତ ଆସନ ସଂରକ୍ଷିତବର୍ଗଙ୍କ ସମେତ ସମସ୍ତଙ୍କ ପାଇଁ ଖୋଲା ରହିଛି ।

ଏ ପରିପ୍ରେକ୍ଷୀରେ ବରିଷ୍ଠତା, ଯୋଗ୍ୟତା ଓ ଦକ୍ଷତା ପ୍ରତିପାଦିତ କରୁଥିବା ସଂରକ୍ଷିତବର୍ଗର ପ୍ରାର୍ଥୀଙ୍କୁ ଅଣସଂରକ୍ଷିତ ଆସନ ଲାଗି ପଦୋନ୍ନତି ଦିଆଯାଇ ପାରିବ । ଏହି ସ୍ପଷ୍ଟିକରଣରେ ସୁପ୍ରିମ୍‍କୋର୍ଟଙ୍କ ବହୁ ମାମଲାର ରାୟ ଉଲ୍ଲେଖ କରାଯାଇଛି । ବିଶେଷକରି ଆର.କେ.ସଭରୱାଲ ମାମଲାରେ ସୁପ୍ରିମ୍‍କୋର୍ଟଙ୍କ ପାଞ୍ଚଜଣିଆ ବେଞ୍ଚ ସଂରକ୍ଷିତବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଆସନରେ କେବଳ ସେହି ବର୍ଗଙ୍କୁ ନିଯୁକ୍ତି ଦିଆଯିବାକୁ ଥିବାବେଳେ ଅଣସଂରକ୍ଷିତ ଆସନରେ ଯୋଗ୍ୟତା ଆଧାରରେ ସଂରକ୍ଷିତବର୍ଗର ପ୍ରାର୍ଥୀ ବି ପ୍ରତିଦ୍ୱନ୍ଦିତା କରିପାରିବେ ବୋଲି ସ୍ପଷ୍ଟକରି ଦିଆଯାଇଛି ।

ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟ ସରକାର ପଦୋନ୍ନତି ସଂକ୍ରାନ୍ତୀୟ ଆଇନ୍‍ର ସଂଶୋଧନ କରି ମଧ୍ୟ ଏହି କଥା ଉଲ୍ଲେଖ କରିଛନ୍ତି । କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ମଧ୍ୟ ଏକାଧିକ ସ୍ପଷ୍ଟିକରଣ ଏ ସଂକ୍ରାନ୍ତରେ ଜାରି କରି ଅଣସଂରକ୍ଷିତ ଆସନ କାହା ପାଇଁ ସଂରକ୍ଷିତ ନଥିବାରୁ ଏସସି ଏସ୍‍ଟି ଓବିସି ଭଳି ସଂରକ୍ଷିତବର୍ଗର ପ୍ରାର୍ଥୀମାନେ ମଧ୍ୟ ଏଥିରେ ବି ନିଜ ଯୋଗ୍ୟତା ଆଧାରରେ ପ୍ରତ୍ୟକ୍ଷ ନିଯୁକ୍ତି ଓ ବରିଷ୍ଠତା ଆଧାରରେ ପଦୋନ୍ନତି ପାଇପାରିବେ ବୋଲି ଉଲ୍ଲେଖ କରିଛନ୍ତି । (ତଥ୍ୟ)