Home Election ମତଦାନ ହାରକୁ ନେଇ ଚିନ୍ତା

ମତଦାନ ହାରକୁ ନେଇ ଚିନ୍ତା

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନକୁ ଆଉ ସପ୍ତାହଟିଏ ଥିବାବେଳେ ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ଏବେ ପ୍ରାର୍ଥୀଙ୍କ ଚିନ୍ତା ବଢାଇଛି । ଏତେ ଗରମ ଓ ଗୁଳୁଗୁଳିରେ କେତେ ସଂଖ୍ୟାରେ ଲୋକ ମତଦାନକେନ୍ଦ୍ରକୁ ଆସି ଭୋଟ ଦେବେ ସେହି ହିସାବ ଏବେ ଆରମ୍ଭ ହେଲାଣି ।

ଆସନ୍ତା ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୪ଟି ଲୋକସଭା ଆସନ ବ୍ରହ୍ମପୁର, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଲୋକସଭା ଆସନ ସହିତ ଏହା ଅଧିନରେ ଥିବା ୨୮ଟି ବିଧାନସଭା ଆସନରେ ମତଦାନ ହେବ । ମତଦାନ ହେବାକୁ ଥିବା ଏହିସବୁ ଅଞ୍ଚଳରେ ଏବେ ସାରା ରାଜ୍ୟ ଭଳି ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ପ୍ରଚାର ପାଇଁ ଲୋକେ ନେତାଙ୍କ ସହିତ ଯିବାକୁ ରାଜି ହେଉନାହାନ୍ତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏସ୍‍ଆରସି ବାରମ୍ବାର ସତର୍କତା ଜାରି କରୁଛନ୍ତି । ପାଣିପାଗ ବିଭାଗ ମଧ୍ୟ ଲୋକେ ଏତେଶୀଘ୍ର ତାତିରୁ ରକ୍ଷା ପାଇବେନାହିଁ ବୋଲି ସୂଚନା ଦେଉଛନ୍ତି ।

ପ୍ରଚାର ସମେତ ନିଜ ନିଜର କାର୍ଯ୍ୟପାଇଁ ଘରୁ ବାହାରି ପାରୁନଥିବା ଲୋକେ କେତେ ସଂଖ୍ୟାରେ ଯାଇ ଭୋଟ ଦେବେ ତାହାକୁ ନେଇ ଚିନ୍ତାରେ ପଡିଲେଣି ନେତା । ଯଦି ସେମାନଙ୍କ ସମର୍ଥକମାନେ ଭୋଟ କେନ୍ଦ୍ରକୁ ନଯିବେ ତେବେ ସବୁ ଅଙ୍କ ଗୋଳମାଳ ହୋଇଯିବ । ଇତି ମଧ୍ୟରେ ଦେଶର ଅନ୍ୟାନ୍ୟ ସ୍ଥାନରେ ହୋଇଥିବା ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ମତଦାନହାର ୭୦ ପ୍ରତିଶତ ଟପିପାରି ନାହିଁ । ପ୍ରଥମ ପର୍ଯ୍ୟାୟରେ ୬୬.୧୪ ପ୍ରତିଶତ ମତଦାନ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ହାରାହାରି ୬୬.୭୧ ପ୍ରତିଶତ ମତଦାନ ହୋଇଛି ।

ମତଦାନ ହାର ୭୦ ପ୍ରତିଶତ ଅତିକ୍ରମ ନକରିବା ପାଇଁ ଏବେ ସମଗ୍ର ଦେଶରେ ଜାରି ରହିଥିବା ଗ୍ରୀଷ୍ମ ଲହରୀକୁ ଦାୟୀ କରାଯାଉଛି । ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ମଧ୍ୟବିତ୍ତ ଓ ଉଚ୍ଚମଧ୍ୟବିତ୍ତଙ୍କ ମଧ୍ୟରୁ ବହୁ ସଂଖ୍ୟକ ଲୋକ ଭୋଟ ଦେବାକୁ ଆସୁନାହାନ୍ତି । ଶ୍ରମିକ ଓ ନିମ୍ନ ମଧ୍ୟବିତ୍ତଶ୍ରେଣୀର ମତଦାତାଙ୍କ ସଂଖା ଅଧିକ ରହୁଛି ।

ରାଜ୍ୟରେ ଯଦି ଗ୍ରୀଷ୍ମ ପ୍ରବାହ ଜାରି ରୁହେ ତେବେ ମତଦାନ ହାର କମ୍‍ ରହିବା ଆଶଙ୍କା କରାଯାଉଛି । ଫଳରେ ନିର୍ବାଚନ ପ୍ରଚାର ସମୟରେ ଏବେ ନେତାମାନେ ଭୋଟରଙ୍କୁ ବିଭିନ୍ନ କଥା କହିପ୍ରଭାବିତ କରିବା ସହିତ ଅଧିକ ସଂଖ୍ୟାରେ ଆସି ମତଦାନ କରିବାକୁ ବାରମ୍ବାର ଅନୁରୋଧ କରୁଛନ୍ତି । ସେହିଭଳି ଖରା ଓ ଗରମରେ ଲୋକେ କିଭଳି ଅଧିକ ସଂଖ୍ୟାରେ ମତଦାନ କେନ୍ଦ୍ରକୁ ଆସିବେ ସେଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି । ବିଶେଷକରି ମତଦାନ କେନ୍ଦ୍ର ନିକଟରେ ପାନୀୟଜଳ ଓ ଛାଇର ବ୍ୟବସ୍ଥା କରିବାକୁ କୁହାଯାଇଛି ।

ଏତେ ସବୁ ସତ୍ୱେ ଚଳିତ ନିର୍ବାଚନରେ ଲୋକେ ଯେଭଳି ଭୋଟକୁ ନେଇ ନିରବତା ଅବଲମ୍ବନ କରୁଛନ୍ତି ସେଥିରେ ପ୍ରବଳ ଗରମ ଓ ଗୁଳୁଗୁଳିରେ ସେମାନେ କେତେ ସଂଖ୍ୟାରେ ମତଦାନ କେନ୍ଦ୍ରକୁ ଆସିବେ ତାହା ବଡ ପ୍ରଶ୍ନବାଚୀ ହେଲାଣି । ଇତି ମଧ୍ୟରେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହର ବିପଦକୁ ଦୃଷ୍ଟିରେ ରଖି ନିର୍ବାଚନୀ ସଭା, ଶୋଭାଯାତ୍ରା ସମୟରେ ପର୍ଯ୍ୟାପ୍ତ ପାନୀୟଜଳ ଓ ଓଆରଏସ୍‍ ରଖିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ଏବେ ବିଭିନ୍ନ ରାଜନୈତିକଦଳର ପ୍ରାର୍ଥୀଙ୍କ ଚିନ୍ତା ବଢାଇବାରେ ଲାଗିଛି । (ତଥ୍ୟ)