Home Election ନିର୍ବାଚନବେଳେ ବଢୁଛି ନିଶା କାରବାର

ନିର୍ବାଚନବେଳେ ବଢୁଛି ନିଶା କାରବାର

ଭୁବନେଶ୍ୱର : ପ୍ରଚଣ୍ଡ ରୌଦ୍ରତାପ ପରିପ୍ରେକ୍ଷୀରେ ନିଶା ସେବନ ନକରିବାକୁ ସ୍ୱାସ୍ଥ୍ୟ ବିଜ୍ଞାନୀମାନେ ପରାମର୍ଶ ଦେଉଥିବାବେଳେ ନିର୍ବାଚନୀ ସଭା, ଶୋଭାଯାତ୍ରା ଓ ପ୍ରଚାର ଆଦି ପରିପ୍ରେକ୍ଷୀରେ ଏବେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମତ ସମେତ ବିଭିନ୍ନ ନିଶା ବ୍ୟବହାର ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି ।

ଯେଉଁଦିନ ଯେଉଁସବୁ ଅଞ୍ଚଳରେ ପ୍ରାର୍ଥୀମାନଙ୍କ ସଭା, ଶୋଭାଯାତ୍ରା ଆଦି ହେଉଛି ସେଦିନ ସେହି ଅଞ୍ଚଳରେ ଅଧିକ ସଂଖ୍ୟକ ମଦୁଆ ମାତାଲ ଅବସ୍ଥାରେ ବୁଲୁଥିବା ଦେଖାଯାଉଛି । ବିଭିନ୍ନ ଦଳର କର୍ମୀଙ୍କ ଠାରୁ ଆରମ୍ଭକରି ସଭା ଓ ଶୋଭାଯାତ୍ରାକୁ ବୁହାଯାଉଥିବା ଲୋକମାନଙ୍କୁ ବିଭିନ୍ନ ଦଳର ପ୍ରାର୍ଥୀମାନେ ଖାଦ୍ୟ ସହିତ ଟଙ୍କା ଓ ମଦର ବ୍ୟବସ୍ଥା କରୁଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହେଉଛି ।

ଗୋଟିଏ ପଟେ ମଦ୍ୟପ ଗାଡିଚାଳକ ଏବଂ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀମାନଙ୍କୁ ଧରିବାପାଇଁ ପୁଲିସ୍‍ ବ୍ୟବସ୍ଥା ଗ୍ରହଣ କରୁଥିବାବେଳେ ଅନ୍ୟପଟେ ଆଇନ୍‍ର ଖୋଲା ଉଲ୍ଲଙ୍ଘନ କରି ବିଭିନ୍ନ ରାଜନୈତିକଦଳର ଶୋଭାଯାତ୍ରାଗୁଡିକରେ ବିନା ହେଲମେଟରେ ଦୁଇ ଚକିଆ ଯାନରେ ଦଳୀୟ ପତାକା ବାନ୍ଧି ତିନି ଚାରିଜଣ କରି ଯାଉଛନ୍ତି ଏବଂ ବଡ ଯାନଗୁଡିକରେ ମଧ୍ୟ ସିଟ୍‍ ବେଲ୍ଟ ନବାନ୍ଧି ବହୁ ସଂଖ୍ୟକ ଲୋକ ଖୁନ୍ଦାଖୁନ୍ଦି ହୋଇ ଯାଉଥିବା ଦେଖାଯାଉଛି । ସତେ ଯେମିତି ରାଜନୈତିକଦଳର ପତାକାଗୁଡିକ ଟ୍ରାଫିକ ଏବଂ ମୋଟରଯାନ ନିୟମ ଉଲ୍ଲଙ୍ଘନ କରିବାପାଇଁ ବିଶୃଙ୍ଖଳିତ କର୍ମୀମାନଙ୍କୁ ଲାଇସେନ୍ସ ଦେଇଛି ।

ଦଳୀୟ ନେତା ଏବଂ ପୁଲିସ୍‍ ଓ ମୋଟରଯାନ ସଂସ୍ଥାର ଧରପଗଡକାରୀ ଦଳ ପ୍ରାୟ ପ୍ରତିଦିନ ଏହି ଦୃଶ୍ୟ ଦେଖୁଥିଲେ ମଧ୍ୟ ଆଖିବୁଜି ରହିବାକୁ ବାଧ୍ୟ ହେଉଛନ୍ତି । ଏମିତିକି ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ଆଦିଙ୍କ ଦପ୍ତରରେ ନାମାଙ୍କନପତ୍ର ଦାଖଲ ପାଇଁ ଶୋଭାଯାତ୍ରାରେ ପ୍ରାର୍ଥୀମାନେ ଯେତେ ଲୋକଙ୍କୁ ଆଣୁଛନ୍ତି ତାହା ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ଠାରୁ ଆରମ୍ଭକରି ପ୍ରଶାସନ ଓ ପୁଲିସ୍‍ ଦେଖୁଛି ।

ବିଭିନ୍ନ ଦଳର କ୍ଷେତ୍ର ସଂଗଠକ, କର୍ମୀ ଓ ସମର୍ଥକମାନେ ସ୍ୱୀକାର କରୁଛନ୍ତି ଯେ ପଇସା ଦେଇ ସଭା, ଶୋଭାଯାତ୍ରା ଆଦିଗୁଡିକ ଲାଗି ଲୋକ ବୁହାଯାଉଛି । ଏମିତିକି ଜଣେ ଜଣେ ଲୋକ ପଇସା ପାଇ ଭିନ୍ନ ଭିନ୍ନ ଦଳର ପତାକା ଓ ଚିହ୍ନ ଧରି ବି ସଭା ଶୋଭଯାତ୍ରାରେ ଯୋଗ ଦେଉଛନ୍ତି । କେତେକ କ୍ଷେତ୍ରରେ ଭୋଜନ ଓ ମଦ୍ୟପାନ ପାଇଁ ପଇସା ଦିଆଯାଉଥିବାବେଳେ ଆଉ କେତେକ କ୍ଷେତ୍ରରେ ମଦ ବଣ୍ଟାଯାଉଛି ଏବଂ କିଛି କ୍ଷେତ୍ରରେ ମଦ୍ୟପାନ ପାଇଁ ଟୋକନ ଦିଆଯାଉଛି । ଏହି ବ୍ୟାଧି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସଂକ୍ରମିତ ହେଉଥିବାରୁ ଚଳିତ ନିର୍ବାଚନବେଳେ ନିଶାଡିମାନଙ୍କ ଉତ୍ପାତ ଯୋଗୁଁ ଆଇନ୍‍ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି ।

ସଚେତନ ନାଗରିକମାନେ କହୁଛନ୍ତି ଯେ ଏକ ଜନ କଲ୍ୟାଣକାରୀ ରାଷ୍ଟ୍ରରେ ଗଣତାନ୍ତ୍ରିକ ବ୍ୟବସ୍ଥାର ମର୍ଯ୍ୟାଦା ବୃଦ୍ଧି ପାଇଁ ର୍ନିବାଚନକୁ ଗଣତନ୍ତ୍ରର ଗଣପର୍ବ ଭାବେ କୁହାଯାଇଥାଏ । ଭାରତ ବିଶ୍ୱର ସର୍ବବୃହତ୍‍ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିବାବେଳେ ଗାଁରୁ ସହର ପର୍ଯ୍ୟନ୍ତ ଭୋଟ ହାତେଇବାପାଇଁ କଳା ଟଙ୍କା ଓ ମଦ ସମେତ ଅନ୍ୟାନ୍ୟ ନିଶା ସାମଗ୍ରୀ ଉପରେ ଯେଉଁ ପ୍ରାର୍ଥୀମାନେ ନିର୍ଭର କରୁଛନ୍ତି ସେମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୁର୍ବଳ କରୁଛନ୍ତି । ନିର୍ବାଚନ ପରିପ୍ରେକ୍ଷୀରେ ମଦ ବେପାର ବଢିବା ସହିତ ଚୋରା ମଦ ଓ ଅନ୍ୟାନ୍ୟ ନିଷିଦ୍ଧ ମାଦକ ସାମଗ୍ରୀର ବ୍ୟବହାର ମଧ୍ୟ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ଏବେ ସାରା ଦେଶରେ ଦୈନିକ ହାରାହାରି ୧୦୦ କୋଟି ଟଙ୍କାର ନିଶା ସାମଗ୍ରୀ ଓ ନଗଦ ଅର୍ଥ ନିର୍ବାଚନ ପରିପ୍ରେକ୍ଷୀରେ ଜବତ ହେଉଛି । ତେବେ ଜବତ ସାମ୍ରଗୀର ପରିମାଣ ଅତ୍ୟନ୍ତ ଗୌଣ ବୋଲି ନିର୍ବାଚନ ବିଶ୍ଲେକମାନେ ମତ ଦେଉଛନ୍ତି । (ତଥ୍ୟ)