Home Environment ବାୟୁ ପ୍ରଦୂଷଣ ତାଲିକାରେ ଭୁବନେଶ୍ୱର

ବାୟୁ ପ୍ରଦୂଷଣ ତାଲିକାରେ ଭୁବନେଶ୍ୱର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଉପକଣ୍ଠରେ ସେମିତି କିଛି ବଡ ଧରଣର କଳକାରଖାନା ନଥିଲେ ବି ଏହି ମହାନଗର ଏବେ ବିଶ୍ୱର ପ୍ରଥମ ଶହେ ପ୍ରଦୂଷିତ ସହର ତାଲିକାରେ ସ୍ଥାନ ପାଇଛି । ବିଶ୍ୱ ଏୟାର କ୍ୱାଲିଟି ଇନ୍‍ଡେକ୍ସରେ ଭୁବନେଶ୍ୱରର ସ୍ଥାନ ୮୦ରେ ରହିଛି ।

କେବଳ ଭୁବନେଶ୍ୱର ନୁହେଁ ଓଡ଼ିଶାର କୋଣାର୍କ, ପୁରୀ, ଜଟଣୀ ଭଳି ସହରର ଏୟାର କ୍ୱାଲିଟି ଇନ୍‍ଡେକ୍ସ ମାତ୍ରା ୨୦୦ ଉପରକୁ ଥିବାବେଳେ ସମ୍ବଲପୁର, ଅନୁଗୋଳ, ଝାରସଗୁଡା ଆଦି ସହରରେ ଏହି ପରିମାଣ ୧୫୦ରୁ ଅଧିକ ରହୁଛି । ଭୁବନେଶ୍ୱର ସମେତ ଓଡ଼ିଶାର ଅନ୍ୟ ପ୍ରଦୂଷିତ ସହର ପାଇଁ ଆଶ୍ୱାସନାର କଥା ହେଉଛି ଯେ, ଯୋଦ୍ଧପୁର, ବିକାନିର, ଦିଲ୍ଲୀ, ଗୋରଖପୁର, ଆସନସୋର, ବେଗୁସରାଇ ଆଦି ସହରରେ ଏକ୍ୟୁଆଇ ଭୁବନେଶ୍ୱରଠାରୁ ଅଧିକ ରହିଛି । ତେବେ କଲିକତା, ସାହାରନ୍‍ପୁର, ପୁର୍ନିଆ, ଲକ୍ଷ୍ନୌ, ହିସାରା ଆଦି ସହରର ବାୟୂ ପ୍ରଦୂଷଣ ମାତ୍ର ଭୁବନେଶ୍ୱର ପାଖାପାଖି ଥିଲେ ମଧ୍ୟ ଅପେକ୍ଷାକୃତ କମ୍‍ ଅଛି । ଭୁବନେଶ୍ୱରରେ ଏବେ ଏହାର କ୍ୱାଲିଟି ଇନ୍‍ଡେକ୍ସ ପରିମାଣ ୨୦୮ରେ ରେକର୍ଡ କରାଯାଇଥିବାବେଳେ ଶ୍ରୀନଗର, ହିନ୍ଦୁଆରା, ବାରମୂଲା, ରାଜୌରି, ମନାଲି ଆଦିରେ ଏହାର ପରିମାଣ ୧୨ରୁ ୧୮ ମଧ୍ୟରେ ସୀମିତ ରହୁଛି ।

ପରିବେଶ ବିଜ୍ଞାନୀମାନେ କହୁଛନ୍ତି ଯେ ଏୟାର କ୍ୱାଲିଟି ଇନ୍‍ଡେକ୍ସ ୧୦୦ରୁ ଅଧିକ ରହିବା ସ୍ୱାସ୍ଥ୍ୟପ୍ରତି କ୍ଷତିକାରକ । ତେବେ ଭୁବନେଶ୍ୱର ପାଇଁ ଆଶ୍ୱାସନାର କଥା ହେଉଛି ଯେ ଦିଲ୍ଲୀରେ ଏକ୍ୟୁଆଇର ପରିମାଣ ୪୬୫ ଥିବାବେଳେ ଭୁବନେଶ୍ୱରରେ ତାହା ଅଧାରୁ କମ୍‍ ଅଛି ।

ଭୁବନେଶ୍ୱରର ବାୟୂ ମଣ୍ଡଳରେ ଧୂଳିକଣାର ପରିମାଣ ଢେର୍‍ ଅଧିକ ରହିବା ସହ ଅନେକ ଅଞ୍ଚଳରେ ଦୁର୍ଗନ୍ଧ ପବନ ବହୁଛି । ଏମିତିକି ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ ଯେଉଁସବୁ ସ୍ଥାନରେ ଆବର୍ଜନାର ପାହାଡ ସୃଷ୍ଟି କରୁଛନ୍ତି ସେଠାରୁ ୫/୭ କିଲୋମିଟର ଦୂରକୁ ମଧ୍ୟ ଏହି ଆବର୍ଜନାର ଗନ୍ଧ ଯାଉଛି । ପବନର ଦିଗ ପରିବର୍ତ୍ତନ ସହ ଗନ୍ଧର ପରିମାଣ କମ୍‍ ବେଶୀ ରହୁଥିବା ପରିବେଶ ବିଶେଷଜ୍ଞମାନେ କହୁଛନ୍ତି ।

ଉତ୍କଳ ବିଶ୍ୱବିଦ୍ୟାଳୟ, ସୈନିକ ସ୍କୁଲ, ଆପୋଲୋ ହସ୍‍ପିଟାଲ୍‍, କଳିଙ୍ଗ ହସ୍‍ପିଟାଲ ଅଞ୍ଚଳକୁ ମଝିରେ ମଝିରେ ପବନ ସହିତ ପଚା ଦୁର୍ଗନ୍ଧ ଆସୁଛି । ଗଜପତିନଗର, ବୀର ସୁରେନ୍ଦ୍ରସାଏ ନଗର, ମଞ୍ଚେଶ୍ୱର, ଚକେଇସିଆଣି, ଶହୀଦନଗର, ଚନ୍ଦ୍ରଶେଖରପୁର, ନୀଳାଦ୍ରିବିହାର, ଲୁମ୍ବିନିବିହାର, ଗାଢ଼କଣ ଆଦି ଅଞ୍ଚଳକୁ ବହୁ ସମୟରେ ଏହି ଦୁର୍ଗନ୍ଧ ପବନ ପ୍ରବାହିତ ହେଉଛି । ଏମିତିକି କେଳୁଚରଣ ପାର୍କ, ବୁଦ୍ଧପାର୍କ, ରେଳ ଷ୍ଟାଡିୟମ୍‍, ଜନତା ମଇଦାନ ଆଦି ଅଞ୍ଚଳରେ ଲୋକେ ଚଲାବୁଲା କରିବା ବେଳେ ଦୁର୍ଗନ୍ଧ ଯୋଗୁ ବିରକ୍ତି ପ୍ରକାଶ କରୁଛନ୍ତି । ପ୍ରଦୂଷିତ ବାୟୂରେ ଧୂଳିକଣାର ମାତ୍ରା ଅଧିକ ସହିତ ପଚା ଦୁର୍ଗନ୍ଧ ଯୋଗୁ ଅବସ୍ଥା ଏଭଳି ହେଲାଣି ଯେ ରାସ୍ତା କଡରୁ ଅନେକ ଠେଲାଦୋକାନୀ ଅନ୍ୟତ୍ର ପଳାଇବାକୁ ବାଧ୍ୟ ହେଉଛନ୍ତି ।

ଭୁବନେଶ୍ୱରରେ ପାଣିପାଗ ପରିବର୍ତ୍ତନ ସହ ଲଗାମ ଛଡା ନିର୍ମାଣ କାର୍ଯ୍ୟ ଯୋଗୁ ପ୍ରଦୂଷଣ ମାତ୍ରା ବଢୁଛି । ଏମିତିକି ଦେଶୀ, ବିଦେଶୀ ପର୍ଯ୍ୟଟକମାନେ ପ୍ରଦୂଷଣ ଓ ଦୁର୍ଗନ୍ଧ ଯୋଗୁ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଭୁବନେଶ୍ୱରର ଯୋଜନାବଦ୍ଧ ବିକାଶ ପାଇଁ ଗୋଟିଏ ପଟେ ବ୍ୟାପକ କାମ କରାଯିବା ସହ ଏହାକୁ ସ୍ମାର୍ଟସିଟି ଭାବେ ଘୋଷଣା କରାଯାଇଛି ଏବଂ ପରିଚ୍ଛନ୍ନତା କ୍ଷେତ୍ରରେ ଏହି ମହାନଗର ଜାତୀୟ ସ୍ତରରେ ପୁରସ୍କୃତ ହେଉଛି ।

ଅଥଚ ଅନ୍ୟପକ୍ଷରେ କାହିଁକି ଭୁବନେଶ୍ୱରର ଏୟାର କ୍ୱାଲିଟି ଇନ୍‍ଡେକ୍ସକୁ ନିରାପଦ ସ୍ଥାନରେ ଶହେରୁ ତଳକୁ ରଖାଯାଇପାରୁନାହିଁ ସେଥିଘେନି ପ୍ରଶ୍ନବାଚୀ ଉପୁଜୁଛି । ବିଶେଷ କରି ଖରାଦିନେ ଭୁବନେଶ୍ୱରର ତାପମାତ୍ରା ଯେଭଳି ବଢୁଛି ଏବଂ ଗତ ୫୦ବର୍ଷ ମଧ୍ୟରେ ଏହି ମହାନଗର ଅଞ୍ଚଳରେ ଭୂତଳ ଜଳସ୍ତର ହ୍ରାସ ପାଇବା ସହିତ ବିଭିନ୍ନ ଜନବସତି ଅଞ୍ଚଳରେ ଆଲୋକ ଓ ବାୟୂ ପ୍ରବାହକୁ ଯେପରି ଅବରୁଦ୍ଧ କରାଯାଉଛି ତାହା ବହୁ କ୍ଷେତ୍ରରେ ସାଧାରଣ ଲୋକଙ୍କ ଜନଜୀବନକୁ ବିପର୍ଯ୍ୟସ୍ତ କରିପକାଉଛି । ଭୁବନେଶ୍ୱରର ଏୟାର କ୍ୱାଲିଟି ଇନ୍‍ଡେକ୍ସକୁ ସୀମା ସରହଦ ଭିତରେ ରଖିବା ପାଇଁ ସମୟଭିତ୍ତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବିଭିନ୍ନ ମହଲରୁ ଦାବି ଉଠୁଛି ।(ତଥ୍ୟ)