Home Judiciary ଭିନ୍ନକ୍ଷମ ବୃଦ୍ଧାଙ୍କୁ ମିଳୁନି ନିୟମିତ ପେନ୍‍ସନ

ଭିନ୍ନକ୍ଷମ ବୃଦ୍ଧାଙ୍କୁ ମିଳୁନି ନିୟମିତ ପେନ୍‍ସନ

ଭୁବନେଶ୍ୱର : ୩୧ ବର୍ଷ ଧରି ନିୟମିତ ସରକାରୀ କର୍ମଚାରୀ ଭାବେ କାମ କରିବାପରେ ୧୦ବର୍ଷ ତଳେ ଅବସର ଗ୍ରହଣ କରିଥିବା ଜଣେ ଶାରିରୀକ ଭିନ୍ନକ୍ଷମ ମହିଳା କର୍ମଚାରୀଙ୍କୁ ଏଯାବତ୍‍ ନିୟମିତ ପେନ୍‍ସନ ମିଳୁନାହିଁ । ତଳୁ ଉପର ପର୍ଯ୍ୟନ୍ତ ବିଭିନ୍ନ ଦପ୍ତରକୁ ଗୁହାରି କରିବାପରେ ୬୮ବର୍ଷ ବୟସ୍କା ଏହି ମହିଳା କର୍ମଚାରୀ ଜଣଙ୍କ ତାଙ୍କ ପେନ୍‍ସନ ଓ ଅନ୍ୟ ଅବସରକାଳୀନ ପ୍ରାପ୍ୟ ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସମ୍ପୃକ୍ତ ଅବସରପ୍ରାପ୍ତ ଭିନ୍ନକ୍ଷମ ମହିଳା କର୍ମଚାରୀଙ୍କୁ ନିୟମିତ ପେନ୍‍ସନ ଓ ଅନ୍ୟାନ୍ୟ ଦେୟ ପ୍ରଦାନ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ବିଭାଗ ସଚିବ ୬ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାଇକୋର୍ଟର ଅନ୍ୟତମ ବିଚାରପତି ଆଦିତ୍ୟ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରିଣୀ ଜାନକୀ ଦାସ ୩୧ବର୍ଷ ଧରି ସ୍ୱାସ୍ଥ୍ୟ ବିଭାଗ ଅଧିନରେ ଜଣେ ନିୟମିତ ସରକାରୀ କର୍ମଚାରୀ ଭାବେ କାର୍ଯ୍ୟ କରିବାପରେ ୨୦୧୪ ଜାନୁୟାରୀ ମାସରେ ଅବସରଗ୍ରହଣ କରିଥିଲେ । ସେ ଜଣେ ଶାରୀରିକ ଭିନ୍ନକ୍ଷମ ମହିଳା ହୋଇଥିବାରୁ ଯାତାୟତ ପାଇଁ ବି ଅନ୍ୟ ଉପରେ ନିର୍ଭରଶୀଳ । ଅବସରଗ୍ରହଣ ପୂର୍ବରୁ ଚାକିରିରେ ଥିବା ସମୟରେ ଏହି ଭିନ୍ନକ୍ଷମ କର୍ମଚାରୀଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ ବାରମ୍ବାର ଦୂର ଦୂରାନ୍ତକୁ ବଦଳି କରାଯାଉଥିଲା । ଏ ସଂକ୍ରାନ୍ତରେ ସେ କର୍ତ୍ତୃପକ୍ଷଙ୍କୁ ଗୁହାରି କରିବା ସହିତ ଆଇନ୍‍ ଅଦାଲତର ଦ୍ୱାରସ୍ଥ ହେବାପରେ ତାଙ୍କର ଏହି ବଦଳି ଆଦେଶ ସବୁ ବାତିଲ କରାଯାଇ କଟକ ଓ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନକୁ କାମ କରିବାକୁ ସୁଯୋଗ ଦିଆଯାଉଥିଲା । ତେବେ ଏହି ସମୟଗୁଡିକ ତାଙ୍କ ସେବା ପୁସ୍ତିକାରେ କର୍ତ୍ତୃପକ୍ଷ ନିୟମିତ କରିନଥିବାରୁ ସେ ବର୍ଦ୍ଧିତ ହାରରେ ବେତନ ନପାଇ ଚାକିରିରୁ ଅବସର ନେଲେ ଏବଂ ବାରମ୍ବାର ନେହୁରା ହେବାପରେ ତାଙ୍କୁ ପ୍ରୋଭିଜନାଲ ପେନ୍‍ସନ କମ୍‍ ହାରରେ ଦେଇଥିବାବେଳେ ଗ୍ରାଚ୍ୟୁଇଟି, ଲିଭ୍‍ ସାଲାରୀ ଆଦି ଏଯାବତ୍‍ ମିଳିନାହିଁ ।

ହାଇକୋର୍ଟର ଅନ୍ୟତମ ବିଚାରପତି ଆଦିତ୍ୟ କୁମାର ମହାପାତ୍ର ମାମଲାଟିର ଫଏସଲା କରି ସ୍ୱାସ୍ଥ୍ୟ ବିଭାଗର ଶାସନ ସଚିବଙ୍କୁ ଆବେଦନକାରିଣୀଙ୍କ ଅଭିଯୋଗ ଉପରେ ୬ସପ୍ତାହ ମଧ୍ୟରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି । ଯଦି ପେନ୍‍ସନ ଓ ଗ୍ରାଚ୍ୟୁଟି ଓ ଅନ୍ୟ ଅବସରକାଳୀନ ପ୍ରାପ୍ୟ ପାଇବାପାଇଁ ହକଦାରତେବେ ତାହା ସୀମିତ ସମୟ ମଧ୍ୟରେ ପ୍ରଦାନ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଭିନ୍ନକ୍ଷମ ଅବସରପ୍ରାପ୍ତ ବୃଦ୍ଧା କର୍ମଚାରୀଙ୍କ ପକ୍ଷରୁ ବରିଷ୍ଠ ଆଇନ୍‍ଜୀବୀ ଅମୀୟ କୁମାର ଛାଟୋଇ ମାମଲା ପରିଚାଳନା କରୁଥିଲେ । ସମ୍ପୃକ୍ତ ଭିନ୍ନକ୍ଷମ ବ୍ୟକ୍ତି ଜଣଙ୍କ ଅବସରଗ୍ରହଣ ପୂର୍ବରୁ ଓ ଅବସରଗ୍ରହଣ ପରେ ପ୍ରାୟ ୨୦ବର୍ଷ ଧରି ତାଙ୍କ ସମସ୍ୟାର ସମାଧାନ ପାଇଁ କେତେ କାହାକୁ ଗୁହାରୀ କରିବେ ବୋଲି ସେମାନେ ପ୍ରଶ୍ନ କରିବା ସହିତ ତାଙ୍କର ଚାକିରି କାଳକୁ ନିୟମିତ କରିବା ସଂଗେ ସଂଗେ ଛୁଟି ମଞ୍ଜୁର ଓ ଓଡିଶା ସଂଶୋଧିତ ବେତନ ଅଧିନିୟମ ହାରରେ ଦରମା ପୁନଃ ନିର୍ଦ୍ଧାରଣ ସଂଗେ ସମସ୍ତ ଦେୟ ସୁଧ ସହିତ ରାଜ୍ୟ ସରକାର ପ୍ରଦାନ କରିବାପାଇଁ ଯୁକ୍ତ ବାଢିଥିଲେ ।

କେବଳ ଭିନ୍ନକ୍ଷମ ଜାନକୀ ଦାସ ନୁହନ୍ତି ବହୁ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଅମଲାତନ୍ତ୍ରର ଅବହେଳା ଯୋଗୁଁ ଏଭଳି ନିର୍ଯ୍ୟାତନା ବର୍ଷ ବର୍ଷ ଧରି ଭୋଗିବା ସଂଗେ ସଂଗେ ଆଇନ୍‍ ଅଦାଲତରେ ମାମଲା ରୁଜୁ କରିବାକୁ ବାଧ୍ୟ ହେଉଛନ୍ତି । ଅବସରଗ୍ରହଣ କରିବା ପରେ ପରେ ତ୍ୱରିତ ପେନ୍‍ସନ ଓ ଅନ୍ୟାନ୍ୟ ଦେୟ ପ୍ରଦାନ ଲାଗି ସରକାରୀ ବିଧି ବ୍ୟବସ୍ଥା ଥିବା ଏବଂ ଭିନ୍ନକ୍ଷମ କର୍ମଚାରୀଙ୍କୁ ମନଇଚ୍ଛା ବଦଳି ନକରିବା ଲାଗି ନିର୍ଦ୍ଦେଶନାମା ଥିବା ସତ୍ୱେ ଯେଉଁମାନେ ଏହାର ଉଲ୍ଲଙ୍ଘନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଲାଗି ବିଭିନ୍ନ କର୍ମଚାରୀ ସଂଘ ଓ ପେନ୍‍ସନଭୋଗୀ ସଂଘ ପକ୍ଷରୁ ମଧ୍ୟ ଦାବି ହେଉଛି । (ତଥ୍ୟ)