Home Finance ୮ବର୍ଷରେ ମିଳିଛି ୧୭,୬୭୦ କୋଟି

୮ବର୍ଷରେ ମିଳିଛି ୧୭,୬୭୦ କୋଟି

ଭୁବନେଶ୍ୱର : କେନ୍ଦ୍ର ସରକାର ଗତ ୮ବର୍ଷ ମଧ୍ୟରେ ଓଡିଶାକୁ ଋଣ ଏବଂ ଅଗ୍ରୀମ ଭାବେ ୧୭,୬୭୦.୦୭ କୋଟି ଟଙ୍କା ପ୍ରଦାନ କରିଛନ୍ତି । କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ୨୦୧୪-୧୫ ରୁ ୨୦୨୧-୨୨ ଆର୍ଥିକବର୍ଷ ମଧ୍ୟରେ କେନ୍ଦ୍ର ସରକାର ଓଡିଶାକୁ ଋଣ ମଞ୍ଜୁର କରିଛନ୍ତି । ୨୦୧୪-୧୫ରେ ଓଡିଶାକୁ ୫୨୯.୧୦ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ୨୦୧୫-୧୬ରେ ଏହା ୭୩୯.୪୩ କୋଟି ଏବଂ ପରବର୍ତ୍ତୀ ଆର୍ଥିକ ବର୍ଷରେ ୯୦୨.୯୮ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ଶ୍ରୀ ଚୌଧୁରୀ ଦର୍ଶାଇଛନ୍ତି ।

୨୦୧୭-୧୮ବର୍ଷରେ ଋଣ ପରିମାଣ ୮୪୯.୩୫ କୋଟି ଟଙ୍କାକୁ ହ୍ରାସ ପାଇଛି । ଓଡିଶା ସରକାର ୨୦୧୮-୧୯ ରେ ୯୮୩.୦୬ କୋଟି ଏବଂ ୨୦୧୯-୨୦ ରେ ୯୬୯.୬୪ କୋଟି ଋଣ ଏବଂ ଅଗ୍ରୀମ ଆକାରରେ କେନ୍ଦ୍ରରୁ ପାଇଛନ୍ତି । ତେବେ ଗତ ଦୁଇ ଆର୍ଥିକ ବର୍ଷ ଅର୍ଥାତ୍‍ ୨୦୨୦-୨୧ ଏବଂ ୨୦୨୧-୨୨ରେ ଋଣ ଅର୍ଥ ପରିମାଣ ବୃଦ୍ଧି ପାଇବାରେ ଲାଗିଛି ।

ରାଜ୍ୟ ସରକାର ଜିଏସ୍‍ଟି କ୍ଷତିପୂରଣ ବାବଦୀୟ ଅର୍ଥ କେନ୍ଦ୍ରରୁ ଋଣ ଆକାରରେ ପାଉଛନ୍ତି । କେନ୍ଦ୍ର ସରକାର ଏ ବାବଦରେ ୨୦୨୦-୨୧ ବର୍ଷରେ ୫୧୨୭.୫୨ କୋଟି ଏବଂ ୨୦୨୧-୨୨ ବର୍ଷରେ ୭୫୬୯.୯୯ କୋଟି ଟଙ୍କା ମଞ୍ଜୁର କରିଥିବା କେନ୍ଦ୍ର ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି । ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା କେନ୍ଦ୍ରରୁ ଆଣିଥିବା ଓଡିଶାର ଋଣ ପରିମାଣ ୧୧,୯୯୮.୦୯ କୋଟି ଟଙ୍କାରେ ପହଞ୍ଚିଥିଲା ।

ଅନ୍ୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ଚୌଧୁରୀ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟ ସରକାମାନେ କେତେ ପରିମାଣରେ ଋଣ କରିବେ ସେ ନେଇ ପଞ୍ଚଦର୍ଶ ଅର୍ଥ କମିଶନ ସର୍ବନିମ୍ନ ସୀମା ସୁପାରିଶ୍‍ କରିଛନ୍ତି । ତଦନୁଯାୟୀ ରାଜ୍ୟ ସରକାର ୨୦୨୧-୨୨ ବର୍ଷରେ ମୋଟ୍‍ ଘରୋଇ ଉତ୍ପାଦ (ଜିଏସଡିପି)ର ୪ ପ୍ରତିଶତ, ୨୦୨୨-୨୩ରେ ଜିଏସ୍‍ଡିପିର ୩.୫ ପ୍ରତିଶତ ଏବଂ ୨୦୨୩-୨୪ରୁ ୨୦୨୫-୨୬ ମଧ୍ୟରେ ଜିଏସ୍‍ଡିପିର ୩ ପ୍ରତିଶତ ଋଣ କରିପାରିବେ ।

କମିଶନ ଆହୁରି ମଧ୍ୟ ସୁପାରିଶ୍‍ କରିଛନ୍ତି ଯେ ରାଜ୍ୟ ସରକାର ୨୦୨୧-୨୨ ରୁ ୨୦୨୪-୨୫ ମଧ୍ୟରେ ଶକ୍ତି କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ଆଧାରରେ ଅତିରିକ୍ତ ୦.୫୦ ପ୍ରତିଶତ ଋଣ କରିପାରିବେ । ପଞ୍ଚଦର୍ଶ ଅର୍ଥ କମିଶନଙ୍କ ସୁପାରିଶ୍‍ ଅନୁଯାୟୀ ରାଜ୍ୟ ପାଇଁ ୨୦୨୧-୨୨ ବର୍ଷ ସକାଶେ ଋଣର ସୀମା ମୋଟ୍‍ ଘରୋଇ ଉତ୍ପାଦର ୪ ପ୍ରତିଶତ ଚୂଡାନ୍ତ ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷ ଅର୍ଥାତ୍‍ ୨୦୨୨-୨୩ ପାଇଁ ଏହା ୩.୫ ପ୍ରତିଶତ ରହିଛି । ତେବେ ଶକ୍ତି କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ପାଇଁ ଅତିରିକ୍ତ ଭାବେ ୦.୫ ଋଣର ଯେଉଁ ସୁଯୋଗ ରହିଛି ସେ ସଂକ୍ରାନ୍ତରେ ୨୦୨୧ ଜୁନ୍‍ ମାସରେ ନିର୍ଦ୍ଦେଶାବଳୀ ଜାରି ହୋଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । (ତଥ୍ୟ)