Home Infrastructure ସ୍ମାର୍ଟସିଟିରେ ଅଭିଯୋଗ ସମାଧାନ ଶୂନ

ସ୍ମାର୍ଟସିଟିରେ ଅଭିଯୋଗ ସମାଧାନ ଶୂନ

ଭୁବନେଶ୍ୱର: ସ୍ମାର୍ଟ ସିଟିରେ ନାଗରିକଙ୍କୁ ତ୍ୱରିତ ସେବା ଯୋଗାଇବାକୁ ‘ଭୁବନେଶ୍ୱର ୱାନ’ ପୋର୍ଟାଲ ସମେତ ନୂତନ ଟୋଲ ଫ୍ରି ସେବା ଆରମ୍ଭ ହୋଇଥିବାବେଳେ ଏହା ମାଧ୍ୟମରେ ସମସ୍ୟା ସମାଧାନ ଏକ ପ୍ରକାର ଶୂନ । ବିଏମ୍‍ସି କିମ୍ବା ସ୍ମାର୍ଟସିଟି କର୍ତ୍ତୃପକ୍ଷ କ୍ଷେତ୍ର ସ୍ତରକୁ ଆସି ସମସ୍ୟା ସମାଧାନ ବଦଳରେ ଅନ୍‍ଲାଇନରେ ସମାଧାନ ହୋଇଗଲା ବୋଲି ଅଭିଯୋଗକାରୀଙ୍କୁ ବାର୍ତ୍ତାଟିଏ ଦେଇ ବସିପଡୁଛନ୍ତି ।

ଅଭିଯୋଗ ଅନୁଯାୟୀ ନୂଆ ଟୋଲ ଫ୍ରି ନମ୍ବର ୧୪୪୨୦ ଜାରି ପରେ ରାଜଧାନୀର ଜନୈକ ବ୍ୟକ୍ତି ଏହା ଜରିଆରେ ନିଜ ଅଞ୍ଚଳର ସମସ୍ୟା ଦରଜ କଲେ । ତାଙ୍କ ଘର ଆଗରେ ଥିବା ଡ୍ରେନଟି ମେଲା ମୁକୁଳା ପଡିଥିବାରୁ ଦୁର୍ଗନ୍ଧ ଓ ମଶା ବ୍ୟାପୁଥିବା ଜଣାଇଲେ । ଅଭିଯୋଗ ଦରଜ ପରେ ତାଙ୍କୁ ଗୋଟିଏ ଅଭିଯୋଗ ପଞ୍ଜିକୃତ ନମ୍ବର ମିଳିଲା ଓ ଏହାର ଅଗ୍ରଗତି ସଂକ୍ରାନ୍ତରେ ନିୟମିତ ସୂଚନା ଦିଆଯିବ ବୋଲି କୁହାଗଲା । ହେଲେ ଦିନକ ପରେ ଭୁବନେଶ୍ୱର ୱାନ ରୁ ମେସେଜ ଆସିଲା ଯେ ତାଙ୍କ ଅଭିଯୋଗର ସମାଧାନ ହୋଇଯାଇଛି ।

ଏ ସଂକ୍ରାନ୍ତରେ ପୁଣିଥରେ ଟୋଲ ଫ୍ରି ନମ୍ବରକୁ ଯୋଗାଯୋଗ କରିବାରୁ ଯାହା ଉତ୍ତର ମିଳିଲା ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଫୋନ ଧରିଥିବା ସହାୟକ ଜଣାଇଥିଲେ ଯେ ଗତ ୧୧ ତାରିଖରେ ଅଭିଯୋଗ ପାଇଲା ପରେ ବାର୍ତ୍ତାଟି ତୁରନ୍ତ ବିଏମ୍‍ସିର ଜଣେ ଡେପୁଟୀ କମିଶନରଙ୍କ ନିକଟକୁ ପଠାଇ ଦିଆଯାଇଥିଲା । ତାହାକୁ ସେ ତତ୍‍କ୍ଷଣାତ ଜଣେ ଯନ୍ତ୍ରୀଙ୍କ ନିକଟକୁ ପଠାଇଥିଲେ । ହେଲେ ଯନ୍ତ୍ରୀ ଜଣଙ୍କ ବିଦ୍ୟୁତ୍‍ ବିଭାଗର ଥିବାବେଳେ ଅଭିଯୋଗଟି ଡ୍ରେନ ସଂକ୍ରାନ୍ତୀୟ ଥିଲା । ତେଣୁ ଯନ୍ତ୍ରୀ ଜଣଙ୍କ ଏହା ତାଙ୍କ କାମ ନୁହେଁ ବୋଲି ଦର୍ଶାଇ ଆଉଜଣେ ଡେପୁଟୀ କମିଶନରଙ୍କୁ ବାର୍ତ୍ତାଟି ପଠାଇ ଦେଇଥିଲେ ।

ଏହି ବାର୍ତ୍ତା ପାଇଲା ପରେ ସମ୍ପୃକ୍ତ ଡେପୁଟୀ କମିଶନର କାମ ସରିଛି ଓ ଅଭିଯୋଗର ସମାଧାନ ହୋଇଯାଇଛି ବୋଲି ଭୁବନେଶ୍ୱର ୱାନକୁ ଜଣାଇଦେଲେ । ଏହି ସୂଚନା ପାଇଲାପରେ ଅଭିଯୋଗ କକ୍ଷରୁ ତୁରନ୍ତ ଅଭିଯୋଗକାରୀଙ୍କୁ ତାଙ୍କ ସମସ୍ୟା ସମାଧାନ ହୋଇଥିବା ଜଣାଇ ଦିଆଗଲା । ଏହାକୁ ଦେଖି ଅଭିଯୋଗକାରୀ ଆଶ୍ଚର୍ଯ୍ୟପ୍ରକଟ କରିଥିଲେ । ଏହା ଜାଣିବା ପରେ ଅଭିଯୋଗ ପ୍ରକୋଷ୍ଠ କର୍ତ୍ତୃପକ୍ଷ ନିଜଆଡୁ ଆଉ ଗୋଟିଏ ଅଭିଯୋଗ ଦରଜ କରିଛନ୍ତି ।

ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଭୁବନେଶ୍ୱର ୱାନ ପୋର୍ଟାଲ ଓ ଟୋଲ ଫ୍ରି ନମ୍ବର ସହିତ ଏଥିପାଇଁ ମାଳ ମାଳ ଲୋକ ନିଯୁକ୍ତ ହେଉଥିବାବେଳେ ଲୋକଙ୍କ ସମସ୍ୟାର କିନ୍ତୁ ସମାଧାନ ହେଉନାହିଁ । ଦାୟିତ୍ୱରେ ଥିବା ଅଧିକାରୀମାନେ କ୍ଷେତ୍ର ସ୍ତରକୁ ଆସିବା ତ ଦୂରରକଥା ଅଭିଯୋଗକାରୀଙ୍କୁ ଫୋନ୍‍ଟିଏ କରି ସମସ୍ୟା ସଂକ୍ରାନ୍ତରେ ପଚାରୁ ନାହାନ୍ତି । ଅନ୍‍ଲାଇନ୍‍ରେ ତୁରନ୍ତ ଅଭିଯୋଗ ଗ୍ରହଣ ସହିତ ତାହାକୁ ସେହି ଅନ୍‍ଲାଇନ୍‍ରେ ସାରିଦେଉଥିବା ଦେଖାଯାଉଛି । ବିଏମ୍‍ସି କମିଶନର ତୁରନ୍ତ ଏ ଦିଗରେ ଦୃଷ୍ଟି ନହେଲେ ଯେଉଁ ଉଦ୍ଦେଶ୍ୟ ନେଇ ଭୁବନେଶ୍ୱର ୱାନ ଓ ଟୋଲ ଫ୍ରି ନମ୍ବର ଜାରି ହୋଇଛି ଓ ଏହାର ପ୍ରଚାର ପ୍ରସାର ହେଉଛି ସେଥିରୁ ସୁଫଳ ମିଳିବା ପରିର୍ତ୍ତେ ବିଏମ୍‍ସି ଓ ସ୍ମାର୍ଟସିଟି ଉଭୟ ବଦନାମ ହୋଇଯିବାଟା ଥୟ ।