Home Industry ସ୍ଫୂର୍ତ୍ତି ସହାୟତା ବାବଦରେ ମିଳିଲାଣି ୨୦୪ କୋଟି

ସ୍ଫୂର୍ତ୍ତି ସହାୟତା ବାବଦରେ ମିଳିଲାଣି ୨୦୪ କୋଟି

ଭୁବନେଶ୍ୱର : ପାରମ୍ପାରିକ ଶିଳ୍ପ ଓ କାରିଗରମାନଙ୍କୁ ପ୍ରୋତ୍ସାହନ ଦେବାପାଇଁ କେନନ୍ଦ୍ର ସରକାର ସ୍ଫୂର୍ତ୍ତି ଯୋଜନାରେ ଓଡିଶାକୁ ୨୦୪.୫୦କୋଟି ଟଙ୍କା ମଞ୍ଜୁର କରିଛନ୍ତି । କେନ୍ଦ୍ର୍ର ଏମଏସଏମଇ ମନ୍ତ୍ରୀ ଭାନୁ ପ୍ରତାପ ସିଂହ ବର୍ମା ନିକଟରେ ସଂସଦରେ ଏହି ସୂଚନା ଦେଇଛନ୍ତି ।

୨୦୧୫-୧୬ ରୁ ଚଳିତ ବର୍ଷ ମାର୍ଚ୍ଚ ୧୫ ତାରିଖ ମଧ୍ୟରେ ସମଗ୍ର ଦେଶରେ ୪୯୮ ଟି କ୍ଲଷ୍ଟରକୁ ମଞ୍ଜୁରୀ ମିଳିଥିବାବେଳେ ୨.୯୪ ଲକ୍ଷ କାରିଗରଙ୍କୁ ସିଧାସଳଖ ଲାଭ ଦେବାପାଇଁ ଏ ବାବଦରେ କେନ୍ଦ୍ର ସରକାର ମୋଟ୍‍ ୧୨୯୨.୨୪ କୋଟି ଟଙ୍କା ମଞ୍ଜୁର କରିଥିଲେ । ମଞ୍ଜୁର ହୋଇଥିବା ମୋଟ କ୍ଲଷ୍ଟର ମଧ୍ୟରୁ ୮୯ଟି କ୍ଲଷ୍ଟର ଆଙ୍କାକ୍ଷୀ ଜିଲ୍ଲାରେ ରହିଛି ।

ସମଗ୍ର ଦେଶ ପାଇଁ ମଞ୍ଜୁର ହୋଇଥିବା ୪୯୮ଟି କ୍ଲଷ୍ଟର ମଧ୍ୟରୁ ଓଡିଶା ପାଇଁଁ ୬୮ଟି ମଞ୍ଜୁର ହୋଇଥିବାବେଳେ ଏଗୁଡିକ ରାଜ୍ୟର ୨୩ଟି ଜିଲ୍ଲାରେ ରହିବା ସହିତ ପ୍ରାୟ ୨୦୪.୪୯ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପାଇଛନ୍ତି । ଏହି ଯୋଜନାରେ ଓଡିଶାର ପାଖପାଖି ୪୫,୭୯୪ ଶିଳ୍ପ ଉପକୃତ ହେବେ ।

ଓଡିଶାକୁ ମଞ୍ଜୁର ଅର୍ଥ ମଧ୍ୟରୁ ସର୍ବାଧିକ ୪.୯୯ କୋଟି ଟଙ୍କା ଅନୁଗୁଳର କାଜୁ ଉତ୍ପାଦନକାରୀଙ୍କୁ ପ୍ରୋତ୍ସାହନ ଓ ବିକାଶ ବାବଦରେ ମିଳିଛି । ଏହି ସହାୟତା ଅର୍ଥରେ ୭୧୯ଜଣ ଉପକୃତ ହେବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବର୍ମା ଉଲ୍ଲେଖ କରିଛନ୍ତି । ଅନୁରୂପ ଭାବେ କୋରାପୁଟ ଜିଲ୍ଲାର ଦେଓମାଳି ଠାରେ ମିଲେଟ କ୍ଲଷ୍ଟର ପାଇଁ ୪.୯୭ କୋଟି ଟଙ୍କା ଯୋଗାଇ ଦିଆଯାଇଛି ଏବଂ ଏହା ଜରିଆରେ ୧୧୧୬ ଜଣ ଉପକୃତ ହେବେ ।

ସେହିଭଳି କେନ୍ଦ୍ର ସରକାର ପୁରୀ ଜିଲ୍ଲାର ବାଙ୍ଗୁରିଗାଓଁ ଡାଲି ଉତ୍ପାଦନ କ୍ଲଷ୍ଟର ପାଇଁ ୪.୮୩ କୋଟି ଟଙ୍କା, ବରଗଡ ଜିଲ୍ଲାର ବଡାଙ୍କି ମହୁଆ ପ୍ରକ୍ରିୟାକରଣ କ୍ଲଷ୍ଟର ଲାଗି ୪.୦୫ କୋଟି ଟଙ୍କା, ଗୁଡ ପ୍ରକ୍ରିୟାକରଣ କ୍ଲଷ୍ଟର ପାଇଁ ଭଦ୍ରକ ଆଗ୍ରୋକୁ ୪.୬୭ କୋଟି, ଖୋରଧା ଜିଲ୍ଲାର ବୋଲଗଡରେ ପାରମ୍ପରିକ ଧୂପକାଠି କ୍ଲଷ୍ଟର ପାଇଁ ୪.୨୧ କୋଟି, ପୁରୀ ଜିଲ୍ଲାର ବ୍ରହ୍ମଗିରି ଆକ୍ୱାକଲଚର କ୍ଲଷ୍ଟର ପାଇଁ ୪.୫୫ କୋଟି, ଢେଙ୍କାନାଳ ଜିଲ୍ଲାର ଚନ୍ଦ୍ରଶେଖର ଚିନାବାଦମ କ୍ଲଷ୍ଟର ପାଇଁ ୪.୩୫ କୋଟି ଏବଂ ଗଜପତି ଜିଲ୍ଲାର ଛେଳିଗଡ ଯଅ କ୍ଲଷ୍ଟର ପାଇଁ ୪.୪୦କୋଟି ଟଙ୍କା କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି ।

ଏହାବାଦ୍‍ ଢେଙ୍କାନାଳ ଜିଲ୍ଲାରେ କନ୍ଦ ପ୍ରକ୍ରିୟାକରଣ କ୍ଲଷ୍ଟର ୪.୫୬ କୋଟି ଟଙ୍କାର ସହାୟତା ପାଇଥିବାବେଳେ ରାୟଗଡାର ଗୁଡାରି ଫିଡ୍‍ କ୍ଲଷ୍ଟର ୪.୭୫ କୋଟି, ଗଞ୍ଜାମ ହୁମା ଶୁଖୁଆ କ୍ଲଷ୍ଟରକୁ ୪.୧୭ କୋଟି, ଖୋରଧା ଜିଲ୍ଲାର କଣ୍ଟିଲୋ ପିତ୍ତଳ ଏବଂ କାଠ କ୍ଲଷ୍ଟର ପାଇଁ ୪.୫୩ କୋଟି, ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ଠାରେ ମକା କ୍ଲଷ୍ଟର ପାଇଁ ୪.୯୦ କୋଟି, ନୂଆପଡା ଠାରେ ପୁଷ୍ଟିକର ଚାଉଳ କ୍ଲଷ୍ଟର ପାଇଁ ୪.୪୯ କୋଟି, ମୟୁରଭଞ୍ଜ ଜିଲ୍ଲାର ଉଦଳା ପାଲମୋରାଜା କ୍ଲଷ୍ଟରପାଇଁ ୪.୧୨ କୋଟି ଏବଂ ପନିପରିବା ଏବଂ ଫଳ କ୍ଲଷ୍ଟର ପାଇଁ ୪.୮୯ କୋଟି ଟଙ୍କାର ସହାୟତା କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି ।

ଏହି ଯୋଜନାରେ ସ୍ଥାନୀୟ ଉତ୍ପାଦ ବ୍ୟବହାର କରି ପାରମ୍ପାରିକ ଶିଳ୍ପ ଜରିଆରେ କାରିଗରମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଦିଆଯିବାର ଯୋଜନା ଅଛି । ଏଥିପାଇଁ ସାଧାରଣ ସୁବିଧା କେନ୍ଦ୍ର, ନୂତନ ଯନ୍ତ୍ରାଂଶ ଖରିଦ, ଯନ୍ତ୍ରାଂଶର ନବୀକରଣ, ବଜାର ବ୍ୟବସ୍ଥା ଆଦି ପାଇଁ ସହାୟତା ପ୍ରଦାନ କରାଯାଉଛି । ସ୍ଫୁର୍ତ୍ତି ଯୋଜନାରେ ପ୍ରମୁଖତଃ ହସ୍ତଶିଳ୍ପ, ହସ୍ତତଦନ୍ତ, ବାଉଁଶ, କୃଷି ପ୍ରକ୍ରିୟାକରଣ, ମହୁ, ଖଦି ଓ କତା ଶିଳ୍ପକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । (ତଥ୍ୟ)