Home Health ସୁନ୍ଦରଗଡ଼ରେ ୫୪୬ ଶିଶୁ ମୃତ

ସୁନ୍ଦରଗଡ଼ରେ ୫୪୬ ଶିଶୁ ମୃତ

ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀରେ ୨୦୧୫ରୁ ବର୍ତ୍ତମାନ ସୁଦ୍ଧା ୫୪୬ ଜଣ ଶିଶୁ ବିଭିନ୍ନ ସ୍ୱାସ୍ଥ୍ୟଗତ କାରଣରୁ ମୃତ୍ୟୁବରଣ କରିଛନ୍ତି । ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ୍‍ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ।

ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଜିଲ୍ଲାରୁ ମିଳିଥିବା ସୂଚନାନୁଯାୟୀ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀରେ ଗତ ୫ ବର୍ଷ ମଧ୍ୟରେ ୫୪୬ ଜଣ ଶିଶୁ ମୃତ୍ୟୁବରଣ କରିଛନ୍ତି ।

ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ଯେ ରାଜ୍ୟରେ ୬ ମାସରୁ ୬ ବର୍ଷ ବୟସର ଶିଶୁ ଏବଂ ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କୁ ପରିପୂରକ ପୁଷ୍ଟି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିମାସରେ ୨୫ ଦିନ ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି । ପୁଷ୍ଟିହୀନତା ହ୍ରାସ ନିମନ୍ତେ ଏହି ଯୋଜନାରେ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ନୂତନ ଖାଦ୍ୟ ତାଲିକା ଅନୁଯାୟୀ ୨୫ ଦିନ ପାଇଁ ପୁଷ୍ଟିକର ଖାଦ୍ୟ ମିଳୁଛି ।

୬ ମାସରୁ ୩ ବର୍ଷ ବୟସର ସାଧାରଣ ଶିଶୁଙ୍କୁ ମାସକୁ ୨୪୫୦ କିଲୋଗ୍ରାମ୍‍ ଓଜନର ଛତୁଆ, ଦେଢ଼କିଲୋ ଓଜନର ଶୁଖିଲା ରାସନ, ୧୨ଟି ସିଝା ଅଣ୍ଡା ମିଳୁଛି । ୬ ମାସରୁ ୩ ବର୍ଷ ବୟସର ଅତିଶୟ କମ୍‍ ଓଜନର ଶିଶୁଙ୍କୁ ୪୯୦୦ କିଲୋଗ୍ରାମ୍‍ ଛତୁଆ, ୧୯.୬୭ ଓଜନ ବିଶିଷ୍ଟ ୮୩ଟି ମାଣ୍ଡିଆ କିମ୍ବାବେସନ ଲଡ଼ୁ ଓ ୧୨ଟି ସିଝା ଅଣ୍ଡା ମିଳୁଛି । ଯେଉଁ ଶିଶୁମାନେ ଅଣ୍ଡା ଖାଇବେ ନାହିଁ ସେମାନଙ୍କୁ ମାସକୁ ଅତିରିକ୍ତ ଭାବେ ୬୦ଟି ଲଡ଼ୁ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି ।

୩ ବର୍ଷରୁ ୬ ବର୍ଷ ବୟସର ଅତିଶୟ କମ୍‍ ଓଜନ ବିଶିଷ୍ଟ ଶିଶୁଙ୍କୁ ମାସକୁ ୧୮୦୦ କିଲୋଗ୍ରାମ୍‍ ଓଜନର ଛତୁଆ, ୪୨ଟି ମାଣ୍ଡିଆ/ବେସନ ଲଡ଼ୁ ଦିଆଯାଉଛି । ୩ରୁ ୬ ବର୍ଷ ବୟସର ଶିଶୁଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ଗରମ ରନ୍ଧା ଖାଦ୍ୟରେ ସପ୍ତାହକୁ ୫ଟି ଅଣ୍ଡା ଦିଆଯାଉଥିବା ମନ୍ତ୍ରୀ ଶ୍ରୀମତୀ ସାହୁ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।