Home Finance ରାଜସ୍ୱ ଆଦାୟ ୨୧.୩୬ ପ୍ରତିଶତ ବୃଦ୍ଧି

ରାଜସ୍ୱ ଆଦାୟ ୨୧.୩୬ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷର ଜୁଲାଇ ଶେଷ ସୁଦ୍ଧା ଉଭୟ ଟିକସ ଓ ଅଣଟିକସ କ୍ଷେତ୍ରରୁ ରାଜ୍ୟର ନିଜସ୍ୱ ରାଜସ୍ୱ ଆଦାୟ ପରିମାଣ ୨୧.୩୬ ପ୍ରତିଶତ ବୃଦ୍ଧି ପାଇଛି । ରାଜ୍ୟର ଆର୍ଥିକ ରିପୋର୍ଟ ଅନୁଯାୟୀ ଚଳିତବର୍ଷର ଏପ୍ରିଲ୍‍ରୁ ଜୁଲାଇ ମାସ ମଧ୍ୟରେ ମୋଟ୍‍ ୩୦,୨୦୧.୯୮ କୋଟି ଟଙ୍କାର ଟିକସ ଆଦାୟ ହୋଇଛି । ଗତ ବର୍ଷ ଏହି ସମୟ ମଧ୍ୟରେ ଆଦାୟ ହୋଇଥିବା ମୋଟ ଟିକସର ପରିମାଣ ୨୪,୮୮୬.୮୭ କୋଟି ଟଙ୍କା ଥିଲା ।

ରାଜ୍ୟର ନିଜସ୍ୱ ଟିକସ ଟିକସ ଆଦାୟ ପରମାଣ ଜୁଲାଇ ଶେଷ ସୁଦ୍ଧା ୧୪,୩୮୯.୧୫ କୋଟି ଟଙ୍କାରେ ପହଞ୍ଚିଛି ଯାହାକି ଗତବର୍ଷର ଏହି ସମୟ ମଧ୍ୟରେ ୧୧,୩୧୧.୨୧ କୋଟି ଟଙ୍କା ଥିଲା । ତେଣୁ ନିଜସ୍ୱ ଟିକସ ଆଦାୟ କ୍ଷେତ୍ରରେ ୨୭.୨୧ ପ୍ରତିଶତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ନିଜସ୍ୱ ଟିକସ ମଧ୍ୟରେ ରାଜ୍ୟ ଏସ୍‍ଜିଏସ୍‍ଟିରୁ ୬୦୫୮.୨୭ କୋଟି ଟଙ୍କା ପାଇଥିବାବେଳେ ବିକ୍ରିକର ବାବଦରେ ୩୩୭୪.୫୪ କୋଟି, ଏକ୍ସାଇଜ ଟିକସରୁ ୨୦୩୪.୮୦ କୋଟି, ଇଲେକ୍ଟ୍ରିସିଟି ଡ୍ୟୁଟିରୁ ୧୨୨୪.୦୪ କୋଟି, ମୋଟରଯାନ ଟିକସ ବାବଦରେ ୬୭୬.୩୫କୋଟି, ଜମିଜମା ରାଜସ୍ୱରୁ ୧୧୯.୮୩କୋଟି, ଷ୍ଟାମ୍ପ ଏବଂ ପଞ୍ଜିକରଣ ଫି ବାବଦରେ ୬୯୧.୦୪କୋଟି ଏବଂ ଅନ୍ୟାନ୍ୟ ଟିକସ ଆକାରରେ ୧୩୦.୨୭ କୋଟି ଟଙ୍କା ପାଇଛି ।

ଅନୁରୂପ ଭାବେ ଏପ୍ରିଲ୍‍ରୁ ଜୁଲାଇ ମଧ୍ୟରେ ଅଣଟିକସ ରାଜସ୍ୱ ବାବଦରେ ରାଜ୍ୟ ରାଜକୋଷରୁ ୧୫,୮୧୨.୮୩ କୋଟି ଟଙ୍କା ଆସିଛି । ଗତବର୍ଷର ଅଣଟିକସ ରାଜସ୍ୱ ତୁଳନାରେ ଏହା ୧୬.୪୮ ପ୍ରତିଶତ ଅଧିକ ରହିଛି । ଅଣଟିକସ ରାଜସ୍ୱ ମଧ୍ୟରେ ଖଣି ରୟାଲିଟିର ଅବଦାନ ସିଂହଭାଗ ରହିଛି । ଖଣି ଓ ଖଣିଜ ରାଜସ୍ୱ ବାବଦରେ ଜୁଲାଇ ସୁଦ୍ଧା ରାଜକୋଷକରୁ ୧୩,୯୮୦.୫୯ କୋଟି ଟଙ୍କା ଆସିଛି ଯାହାକି ଗତବର୍ଷ ଏହି ସମୟରେ ୧୨,୮୫୪.୯୫ କୋଟି ଟଙ୍କା ଥିଲା । ଖଣି ରାଜସ୍ୱ କ୍ଷେତ୍ରରେ ୮.୭୬ ପ୍ରତିଶତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ୨୦୨୨-୨୩ ବର୍ଷରେ ଖଣିଜ କ୍ଷେତ୍ରରୁ ୪୩,୪୪୪ କୋଟି ଟଙ୍କାର ରାଜସ୍ୱ ଆସିବାର ଆକଳନ ହୋଇଥିବାବେଳେ ଜୁଲାଇ ସୁଦ୍ଧା ୩୨.୧୮ ପ୍ରତିଶତ ଅର୍ଥ ମିଳିପାରିଛି ।

ଅଂଶଧନ ଓ ଲାଭ ବାବଦରେ ରାଜ୍ୟକୁ ମିଳୁଥିବା ଅର୍ଥ ପରିମାଣ ମଧ୍ୟ ବୃଦ୍ଧି ପାଇଛି । ଚଳିତ ବର୍ଷ ଜୁଲାଇ ସୁଦ୍ଧା ଏ ବାବଦରେ ରାଜକୋଷକୁ ୫୭୩.୮୫ କୋଟି ଟଙ୍କା ଆସିଛି । ତେବେ ବୃହତ ଓ କ୍ଷୁଦ୍ରଜଳସେଚନ ପ୍ରକଳ୍ପଗୁଡିକରୁ ରାଜସ୍ୱ ବାବଦରେ ୨୯୭.୧୯ କୋଟି ଟଙ୍କା ଆଦାୟ ହୋଇଛି । ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଟିକସ ରାଜସ୍ୱ ବାବଦରେ ୪୬,୦୦୦ କୋଟି ଏବଂ ଅଣଟିକସ ରାଜସ୍ୱ ବାବଦରେ ୪୮,୨୦୦ କୋଟି ଟଙ୍କା ପାଇବାର ଲକ୍ଷ୍ୟ ରଖିଛନ୍ତି ।

ଏଥି ମଧ୍ୟରୁ ଜୁଲାଇ ଶେଷ ସୁଦ୍ଧା ଟିକସ ରାଜସ୍ୱ ବାବଦରେ ୩୧.୨୮ ପ୍ରତିଶତ ଅଣଟିକସ ରାଜସ୍ୱ ବାଦରେ ୩୨.୮୧ ପ୍ରତିଶତ ଅର୍ଥ ରାଜକୋଷକୁ ଆସିଛି । ତେବେ ବଜେଟ୍‍ରେ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ମୋଟ୍‍ ୯୪,୨୦୦ କୋଟି ଟଙ୍କାର ଟିକସ ମଧ୍ୟରୁ ଜୁଲାଇ ଶେଷ ସୁଦ୍ଧା ୩୨.୦୬ ପ୍ରତିଶତ ଅର୍ଥ ଆଦାୟ ହୋଇଥିବା ଜଣାଯାଇଛି । (ତଥ୍ୟ)