Home Environment ରାଜଧାନୀ ଚାରିପଟ ନଦୀ ପ୍ରଦୂଷିତ

ରାଜଧାନୀ ଚାରିପଟ ନଦୀ ପ୍ରଦୂଷିତ

ଭୁବନେଶ୍ୱର : ରାଜ୍ୟ ରାଜଧାନୀ ଚାରିପଟେ ଥିବା ନଦୀ ଏବେ ପ୍ରଦୂଷିତ । ଗଙ୍ଗୁଆ, ଦୟା, କୁଆଖାଇର ଜଳ ଅତ୍ୟନ୍ତ ପ୍ରଦୂଷିତ ବୋଲି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟରୁ ଜଣାପଡିଛି ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହାୟତରେ କେନ୍ଦ୍ରୀୟ ବୋର୍ଡ ପକ୍ଷରୁ ସମଗ୍ର ଦେଶର ୨୭୯ଟି ନଦୀର ୩୧୧ ସ୍ଥାନରେ ଜଳ ନମୂନା ପରୀକ୍ଷା ହୋଇଥିଲା । ଏଥିରୁ ଓଡିଶାର ୭ଟି ନଦୀର ଜଳ ଅତ୍ୟନ୍ତ ପ୍ରଦୂଷିତ ଥିବା ଜଣାପଡିଛି । ତେବେ ଏହି ୭ଟି ନଦୀରୁ ୩ଟି ରାଜ୍ୟ ରାଜଧାନୀକୁ ଘେରି ରହିଛି । ଏଥି ମଧ୍ୟରେ ଗଙ୍ଗୁଆ, ଦୟା ଓ କୁଆଖାଇ ରହିଛି ।

କେନ୍ଦ୍ରୀୟ ରିପୋର୍ଟ ଅନୁଯାୟୀ ଦୟା ନଦୀର ନହରକଣ୍ଟା ଠାରୁ କଣାସ ପର୍ଯ୍ୟନ୍ତ ଜଳରେ ବାୟୋ କେମିକାଲ ଅକ୍ସିଜେନ ଡିମାଣ୍ଡ (ବିଓଡି) ସ୍ତର ୭.୧ ରହିଛି । ତେବେ ଗଙ୍ଗୁଆରେ ଏହି ସ୍ତର ୩୯.୨ ରହିଛି । ରାଜଧାନୀ ଦେଇ ଯାଇଥିବା ଏହି ନଦୀଟି ଅତ୍ୟନ୍ତ ପ୍ରଦୂଷିତ । କୁଆଖାଇରେ ଏହି ସ୍ତର ୭.୩ ରହିଛି । ରାଜଧାନୀକୁ ଲାଗିଥିବା ଗଙ୍ଗୁଆ ଓ କୁଆଖାଇ ନଦୀର ଅବସ୍ଥା ଅତ୍ୟନ୍ତ ଦୟନୀୟ ।

ସହରର ବାହାରୁଥିବା ଦୂଷିତ ବର୍ଜ୍ୟଜଳ ଯୋଗୁଁ ଗଙ୍ଗୁଆ ଓ କୁଆଖାଇର ଏଭଳି ଅବସ୍ଥା ବୋଲି ପରିବେଶବିତ୍‍ମାନେ କହୁଛନ୍ତି । ଏକଦା ସହରବାସୀଙ୍କ ଜଳ ଆବଶ୍ୟକତା ପୂରଣ କରୁଥିବା କୁଆଖାଇରେ ଲୋକେ ଏବେ ପାଦ ବୁଡାଇବାକୁ ଡରୁଛନ୍ତି । ମୀନ ଟିଏ ଏଠାରେ ଦେଖିବା ବି ସ୍ୱପ୍ନ ହେଲାଣି । ସେହିଭଳି ଅବସ୍ଥା ଗଙ୍ଗୁଆର । ରାଜଧାନୀର ବିଭିନ୍ନ ନାଳ ନର୍ଦ୍ଦମା ପାଣିକୁ ଏହିସବୁ ଜଳସ୍ରୋତ ମଧ୍ୟକୁ ଛାଡି ଦିଆଯାଉଥିବାରୁ ଏଭଳି ଅବସ୍ଥା ଉପୁଜିଛି ।

ରାଜଧାନୀର ଅନେକ ସ୍ଥାନରେ ଏବେ ଲୋକେ ନିଜ ନିଜ ଶୌଚାଳୟର ବର୍ଜ୍ୟ ଜଳକୁ ସିଧାସଳଖ ବଡ ବଡ ଡ୍ରେନକୁ ଛାଡୁଛନ୍ତି । ଏହି ଜଳ ସିଧାସଳଖ ଯାଇ ଦୟା, ଗଙ୍ଗୁଆ, ଓ କୁଆଖାଇ ଭଳି ନଦୀରେ ମିଶୁଛି । ଦିନକୁ ଦିନ ଏହାର ଜଳ ସହରର ବର୍ଜ୍ୟ ଯୋଗୁଁ ବିଷାକ୍ତ ହେବାରେ ଲାଗିଛି । ଅବସ୍ଥା ଏଭଳି ହୋଇଛି ଯେ ରାଜଧାନୀର ଏହି ବର୍ଜ୍ୟଜଳ ଧିରେ ଧିରେ ଯାଇ ଚିଲିକାରେ ପହଞ୍ଚି ଯାଉଥିବା ପରିବେଶବିତମାନେ ମତ ଦେଉଛନ୍ତି ।

ସେହିଭଳି ରାଉରକେଲାରେ ବହି ଯାଇଥିବା ବ୍ରାହ୍ମଣୀ, କଟକର ଅନ୍ୟତମ ଜଳଉତ୍ସ କାଠଯୋଡି ଓ ଶଙ୍ଖତ୍ରାସ ଠାରେ ଥିବା ସେରୁଆ ନଦୀର ଜଳ ବି ପ୍ରଦୂଷିତ ଥିବା କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟରୁ ଜଣାଯାଇଛି । ଏଠାରେ ଯଦିଓ ବିଓଡି ପରିମାଣ କମ୍‍ ରହିଛି ତଥାପି ଏହା ଆଉ ବ୍ୟବହାର ଯୋଗ୍ୟ ନୁହେଁ ବୋଲି କୁହାଯାଉଛି । ଏହି ସମସ୍ତ ନଦୀ ସହର ପାଶ୍ୱର୍ରେ ରହିଥିବାରୁ ସହରର ବର୍ଜ୍ୟଜଳ ଓ ଅନ୍ୟାନ୍ୟ ସାମଗ୍ରୀ ନଦୀକ ପ୍ରଦୂଷଣ କରୁଥିବାବେଳେ ଏହା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଅତ୍ୟନ୍ତ ଜରୁରୀ ବୋଲି ପରିବେଶବିତ୍‍ମାନେ କହୁଛନ୍ତି । (ତଥ୍ୟ)