Home Election ମାଳ ମାଳ ନକଲି ଆକାଉଣ୍ଟ

ମାଳ ମାଳ ନକଲି ଆକାଉଣ୍ଟ

ଭୁବନେଶ୍ୱର : ନିର୍ବାଚନ ସମୟରେ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ପୋଷ୍ଟିଂ ଉପରେ ପୁଲିସ୍‍ ଓ ନିର୍ବାଚନ ଅଧିକାରୀ ତୀକ୍ଷ୍ଣ ନଜର ରଖିବାପରେ ଏବେ ମାଳ ମାଳ ନକଲି ଆକାଉଣ୍ଟ ଖୋଲିବା ସହିତ ସେଥିରେ ବିଭିନ୍ନ ଦଳର ପ୍ରଚାର ଚାଲିଛି । କିଏ ସଫଳତାର ଭିଡିଓ ଛାଡୁଛି ତ ଆଉ କିଏ ସମାଲୋଚନାର ।

ଚଳିତ ନିର୍ବାଚନରେ ରାଜନୈତିକ ଦଳମାନେ ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି । ସେହଭଳି ପ୍ରାର୍ଥୀମାନେ ନିଜ ନିଜ ପ୍ରଚାର ପାଇଁ ବି ସୋସିଆଲ ମିଡିଆର ଉପଯୋଗ କରୁଛନ୍ତି । କିନ୍ତୁ ବିରୋଧିଙ୍କୁ ମାତ୍‍ ଦେବାପାଇଁ କିଛି ପ୍ରାର୍ଥୀ ସୋସିଆଲ ମିଡିଆକୁ ସାହାରା କରିଥିବାବେଳେ ଏହା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।

ଇତି ମଧ୍ୟରେ ପୁଲିସ୍‍ ପକ୍ଷରୁ ରାଜ୍ୟରେ ପାଖପାଖି ୩୦୦ ଆପତ୍ତିଜନକ ପୋଷ୍ଟିଂକୁ ହଟାଇ ଦିଆଯାଇଥିବାବେଳେ ଦୈନିକ ନୂଆ ନୂଆ ନକଲି ଆକାଉଣ୍ଟ ଖୋଲିବା ସହିତ ସେଥିରୁ ପୋଷ୍ଟିଂ ହେଉଛି, ଯାହା କର୍ତ୍ତୃପକ୍ଷଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହେଲାଣି । ବର୍ତ୍ତମାନ ବହୁ ପ୍ରାର୍ଥୀ ନିଜ ନିଜର ସୋସିଆଲ ମିଡିଆ ଟିମ୍‍ ନିୟୋଜିତ କରିବା ସହିତ ସେମାନଙ୍କୁ ଜୋରଦାର ପ୍ରଚାର ପାଇଁ ନିର୍ଦ୍ଦେଶ ଦେଉଛନ୍ତି । ଏଥିପାଇଁ ପାଣି ଭଳି ଅର୍ଥ ବି ଖର୍ଚ୍ଚ ହେଉଛି ।

ନିର୍ବାଚନ ପ୍ରଚାର ପାଇଁ ଏହି ଟିମ୍‍ ଏବେ ପ୍ରାର୍ଥୀଙ୍କର ଫେସ୍‍ବୁକ୍‍, ଟୁଇଟର ଓ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିବା ସହିତ ସେଥିରେ ସଫଳତାର କାହାଣୀ ଅପଲୋଡ୍‍ କରିବାରେ ଲାଗିଛନ୍ତି । ତେବେ ପ୍ରାର୍ଥୀଙ୍କର କିଛି ସମର୍ଥକ ଓ ବିପକ୍ଷବାଦୀ ବେଆଇନ୍‍ ଆକାଉଣ୍ଟ ଖୋଲି ପ୍ରାର୍ଥୀଙ୍କ ସପକ୍ଷରେ ଓ ବିପକ୍ଷରେ ପ୍ରଚାର ଅଭିଯାନ ଚଳାଇଛନ୍ତି । ଏପରିକି ପ୍ରାର୍ଥୀଙ୍କ ସପକ୍ଷବାଦୀ ଅପଲୋଡ୍‍ କରୁଥିବା ବିଭିନ୍ନ ଭିଡିଓକୁ କପି କରିବା ସହିତ ସେଥିରେ କାରସାଦି କରି ତାହାକୁ ପ୍ରାର୍ଥୀଙ୍କ ବିପକ୍ଷରେ ବ୍ୟବହାର କରୁଛନ୍ତି । ଏହାକୁ ନେଇ ଅନେକ ସ୍ଥଳରେ ପ୍ରାର୍ଥୀମାନେ ଅକଳରେ ପଡୁଛନ୍ତି ।

ତେବେ ଗାଁ ଗାଁରେ ଏବେ ଯୁବକମାନେ ନୂଆ ନୂଆ ଆକାଉଣ୍ଟ ଖୋଲି ଯେଭଳି ମାନେ ସପକ୍ଷ ଓ ବିପକ୍ଷରେ ବିଭିନ୍ନ ସୂଚନା ଅପଲୋଡ୍‍ କରୁଛନ୍ତି ତାହା ପ୍ରାର୍ଥୀମାନଙ୍କ ପାଇଁ ଚିନ୍ତାର କାରଣ ହେଲାଣି । କାରଣ ଏମାନଙ୍କୁ ସହଜରେ ଠାବ କରିବା ମୁସ୍କିଲ୍‍ । ସାଇବର ପୁଲିସ୍‍ ହିଁ ଏମାନଙ୍କୁ ସହଜରେ ଧରିପାରିବ । ହେଲେ ଏତେ ସଂଖ୍ୟାରେ ନୂଆ ନୂଆ ଆକାଉଣ୍ଟ ଖୋଲିବାରେ ଲାଗିଛି ଯେ ସେଥିରେ ସାଇବର ପୁଲିସ୍‍ ମଧ୍ୟ ହତଚକିତ ହୋଇପଡିଲାଣି ।

ନିର୍ବାଚନ ସମୟରେ ସୋସିଆଲ ମିଡିଆର କିଭଳି ଅପବ୍ୟହାର ହେଉଛି ତାହାର ସଦ୍ୟତମ ଉଦାହରଣ ହେଉଛି ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ଫଟୋ ସହିତ ଦଳ ଛାଡିବା ବାର୍ତ୍ତା । କେହି ଜଣେ ଏଭଳି ମିଛ ଖବର ଛାଡିବାରୁ ଖୋଦ୍‍ ସାଂସଦଙ୍କୁ ଏହା ଉପରେ ସଫେଇ ଦେବାକୁ ପଡିଥିଲା । ସେହିଭଳି କେତେକ ଦୁର୍ବୃର୍ତ୍ତ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଭାଷଣର ଏକ ଭିଡିଓକୁ ବଦଳାଇ ପ୍ରସାରଣ କରିବାକୁ ଏହାକୁ ନେଇ ଏକାଧିକ ମାମଲା ରୁଜୁ ହୋଇଛି । ଏହା କେବଳ ଭାତହାଣ୍ଡିରୁ ଗୋଟିଏ । ପ୍ରତିଦିନ ବିଭିନ୍ନ ପ୍ରାର୍ଥୀ ଓ ଦଳ ବିରୁଦ୍ଧରେ ଏଭଳି ମାଳ ମାଳ ଭିଡିଓ ଓ ରିଲ୍‍ ପ୍ରସ୍ତୁତ ହୋଇ ତାହାକୁ ବେନାମୀ ଆକାଉଣ୍ଟରୁ ଛଡାଯାଉଛି । ଏମାନଙ୍କ ଉପରେ ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ ନହେଲେ ଅନେକ ପ୍ରାର୍ଥୀ ଓ ଦଳ ଅକଳରେ ପଡିବେ ବୋଲି କୁହାଗଲାଣି । (ତଥ୍ୟ)