Home Industry ବୃହତ୍‍ ଶିଳ୍ପ ପ୍ରତିଷ୍ଠାରେ ମନ୍ଥର ଗତି

ବୃହତ୍‍ ଶିଳ୍ପ ପ୍ରତିଷ୍ଠାରେ ମନ୍ଥର ଗତି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାର ଉଦ୍ୟମ ଓ ସହଯୋଗ ସତ୍ୱେ ଯେତେ ସଂଖ୍ୟକ ବୃହତ୍‍ ଶିଳ୍ପ ପ୍ରତିଷ୍ଠାକୁ ଅନୁମୋଦନ ମିଳୁଛି ସେଥିରୁ ୨୦ ପ୍ରତିଶତ ବି ପ୍ରତିଷ୍ଠା ହୋଇପାରୁ ନାହିଁ । ସ୍ଥାନୀୟ ଲୋକଙ୍କ ବିରୋଧ ସହିତ ବିଭିନ୍ନ ପ୍ରକାର ସରକାରୀ ଅନୁମତି ଏ କ୍ଷେତ୍ରରେ ପ୍ରମୁଖ ପ୍ରତିବନ୍ଧକ ସାଜୁଥିବା କୁହାଯାଉଛି ।

ରାଜ୍ୟରେ କିଭଳି ଅଧିକରୁ ଅଧିକ ଶିଳ୍ପ ପ୍ରତିଷ୍ଠା କରାଯାଇ ଲୋକଙ୍କୁ ହାତକୁ କାମ ଯୋଗାଇ ଦିଆଯିବ ସେଥିପାଇଁ ଏକକ ବାତାୟନ ବ୍ୟବସ୍ଥାରେ ପୁଞ୍ଜିନିବେଶକୁ ମଞ୍ଜୁରୀ ପ୍ରଦାନ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଗତବର୍ଷ ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟରେ ପୁଞ୍ଜିନିବେଶ ଜରିଆରେ ୫୧୨ଟି ବୃହତ୍‍ ଶିଳ୍ପ ପ୍ରତିଷ୍ଠାକୁ ସରକାର ଅନୁମୋଦନ କରିଛନ୍ତି । ଏଥି ମଧ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ, କୃଷି ଭିତ୍ତିକ ଶିଳ୍ପ, ଶକ୍ତି, କାଗଜ ଉତ୍ପାଦ, ପେଟ୍ରୋ କେମିକାଲ୍ସ, କାଠ ଶିଳ୍ପ, ବିମାନ ଶିଳ୍ପ, ଔଷଧ, ପର୍ଯ୍ୟଟନ, ସିମେଣ୍ଟ ଓ ପ୍ଲାଷ୍ଟିକ ଶିଳ୍ପ ରହିଛି ।

ତେବେ ରାଜ୍ୟ ସରକାର ଅନୁମୋଦନ କରିଥିବା ୫୧୨ଟି ବୃହତ୍‍ ଶିଳ୍ପ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮୨ଟି ଶିଳ୍ପ ଓଡିଶାରେ ଆଂଶିକ ପ୍ରତିଷ୍ଠା ହୋଇଛି କିମ୍ବା ସମ୍ପୂର୍ଣ୍ଣ ହୋଇ ଉତ୍ପାଦନ ଆରମ୍ଭ କରିଛି । ଓଡିଶାରେ ସିମେଣ୍ଟ କାରଖାନା ପ୍ରତିଷ୍ଠା ପାଇଁ ୪୯ଟି ସଂସ୍ଥା ଅନୁମୋଦନ ପାଇଥିଲେ । ଏମାନେ ୨୩,୪୯୧ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ସହିତ ୧୩ହଜାରରୁ ଅଧିକ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇଥାନ୍ତେ । ହେଲେ ବର୍ତ୍ତମାନ ସୁଦ୍ଧା ଏ କ୍ଷେତ୍ରରେ ୧୭ଟି କମ୍ପାନୀ ଅଗ୍ରଗତି କରିବା ସହିତ ୧୦ହଜାର କୋଟି ଟଙ୍କାରୁ କମ୍‍ ପୁଞ୍ଜି ବିନିଯୋଗ ହୋଇପାରିଛି ।

ସେହିଭଳି ଶକ୍ତି କ୍ଷେତ୍ରରେ ୭୦ ଟି କମ୍ପାନୀଙ୍କୁ ଅନୁମୋଦନ ମିଳିଥିବାବେଳେ ମାତ୍ର ୧୪ଟି କମ୍ପାନୀ ଅଗ୍ରଗତି କରିପାରିଛନ୍ତି । ତେବେ ସବୁଠାରୁ ନୈରାଶ୍ୟଜନକ ସ୍ଥିତି ଦେଖାଦେଇଛି ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ । ଏହି କ୍ଷେତ୍ରରେ ନିବେଶ ପାଇଁ ୫୧ଟି କମ୍ପାନୀଙ୍କୁ ଅନୁମୋଦନ ମିଳିଥିଲା । ସେମାନେ ୫ହଜାର କୋଟି ଟଙ୍କାରୁ ଅଧିକ ନିବେଶ ସହିତ ୧୮ହଜାରରୁ ଅଧିକ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇ ଦିଆଯାଇଥାନ୍ତା । ହେଲେ ଏ କ୍ଷେତ୍ରରେ ମାତ୍ର ୨ଟି ସଂସ୍ଥା ଆଗଭର ହୋଇଥିବାବେଳେ ୨୯୧ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଥିବାବେଳେ ୫ଶହ ଲୋକ ବି ଏହି କ୍ଷେତ୍ରରେ କର୍ମସଂସ୍ଥାନ ପାଇପାରି ନାହାନ୍ତି । ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ପାଇଁ ଓଡିଶାରେ ବ୍ୟାପକ ସୁଯୋଗ ଥିବାବେଳେ ଅନୁମୋଦନ ପାଇଥିବା ଶିଳ୍ପପତିମାନେ ମନ୍ଥରତା ଦେଖାଇବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବୟନ ଶିଳ୍ପ କ୍ଷେତ୍ରରେ ୨୬ ସଂସ୍ଥାଙ୍କୁ ସବୁଜ ସଙ୍କେତ ମିଳିଥିବାବେଳେ ମାତ୍ର ୪ଟି କାରଖାନା ପ୍ରତିଷ୍ଠାରେ ଅଗ୍ରଗତି କରିଛନ୍ତି । ଏ କ୍ଷେତ୍ରରେ ୬ହଜାର କୋଟି ଟଙ୍କାରୁ ଅଧିକ ନିବେଶର ଲକ୍ଷ୍ୟ ଥିବାବେଳେ ହୋଇଛି ମାତ୍ର ୨୨୪ କୋଟି ଟଙ୍କା । ଓଡିଶାକୁ ଆସିଥିବା ଅଧିକାଂଶ ଶିଳ୍ପ କ୍ଷେତ୍ରରେ ଏଭଳି ମନ୍ଥରତା ପାଇଁ ସ୍ଥାନୀୟ ଲୋକଙ୍କ ବିରୋଧ ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ବିଭିନ୍ନ ଅନୁମତି ମିଳିବାରେ ବିଳମ୍ବକୁ ଦାୟୀ କରାଯାଉଛି । ବିଶେଷକରି ପରିବେଶ, ଜଙ୍ଗଲ ମଞ୍ଜୁରୀ ଆଦି ଦ୍ରୁତ ଶିଳ୍ପାୟନ କ୍ଷେତ୍ରରେ ବଡ ବାଧକ ସାଜୁଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)