Home Environment ବୃକ୍ଷରୋପଣରେ ସହଯୋଗ କରିବାକୁ ଆହ୍ୱାନ

ବୃକ୍ଷରୋପଣରେ ସହଯୋଗ କରିବାକୁ ଆହ୍ୱାନ

ଭୁବନେଶ୍ୱର : ସମଗ୍ର ବିଶ୍ୱରେ ସମସ୍ତ ନେତୃମଣ୍ଡଳୀ, ବିଶେଷଜ୍ଞ ଏବଂ ପ୍ରତ୍ୟେକଙ୍କ ମତରେ ଆଜି ସମୟ ଆସିଛି ପୃଥିବୀର ସୁରକ୍ଷା ପାଇଁ ଏବଂ ସେଥିପାଇଁ ଆମ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ । ପ୍ରକୃତିର ସୁରକ୍ଷା ପାଇଁ କମୁ୍ୟନିଟି ସ୍ତରରେ ଉଦ୍ୟମ ପ୍ରଶଂସନୀୟ । ଏ ଦିଗରେ ଉଭୟ ବ୍ୟକ୍ତିଗତ ଏବଂ ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ବିଶ୍ୱ ପରିବେଶ ଦିବସ-୨୦୨୨ ପାଳନ ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତ ବିଶ୍ୱ ପରିବେଶ ଦିବସ ପାଳନର ପ୍ରସଙ୍ଗ ରହିଛି ‘ପୃଥିବୀ କେବଳ ଏକ ମାତ୍ର ଜୀବନ ଉପଯୋଗୀ ଗ୍ରହ’ ।

ଆଜି ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ-୨୦୨୨ ପାଳିତ ହୋଇଯାଇଛି । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ବିଶ୍ୱ ପରିବେଶ ଦିବସର ଶୁଭେଚ୍ଛା ପ୍ରଦାନ କରିବା ସହ ମନୁଷ୍ୟସମାଜକୁ ସୁସ୍ଥ ଓ ସ୍ଥାୟୀ ହେବା ପାଇଁ ପରିବେଶ ସହିତ ଦୀର୍ଘସ୍ଥାୟୀ ସଂପର୍କ ରଖିବା ଆବଶ୍ୟକ ବୋଲି ଗୁରୁତ୍ୱ ଦେଇ ପ୍ରକାଶ କରିଛନ୍ତି ।

ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ହ୍ରାସ କରିବା ପାଇଁ ୨୦୨୧-୩୦ ପର୍ଯ୍ୟନ୍ତ ଏକ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି । ଏଥି ସହିତ ଏକ ସୁନ୍ଦର ପୃଥିବୀ ଗଠନ ପାଇଁ ଭବିଷ୍ୟତ ବଂଶଧରମାନଙ୍କୁ ପରିବେଶ ସଂରକ୍ଷଣ ବାବଦରେ ସଚେତନ କରିବା ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ୧୪,୨୫୦ଟି ଇକୋ-କ୍ଲବ୍‌ କାର୍ଯ୍ୟକରୁଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ଚଳିତ ବର୍ଷ ଆୟୋଜିତ ଏହି ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଶର୍ମା କହିଛନ୍ତି ଯେ ଜୀବଜଗତ ତିଷ୍ଠି ରହିବା ପାଇଁ ପୃଥିବୀର ସୁରକ୍ଷା ନିହାତି ଆବଶ୍ୟକ । ବିଗତ ୨୦ ବର୍ଷ ଧରି ରାଜ୍ୟରେ ଜଙ୍ଗଲ ଅଭିବୃଦ୍ଧି ହୋଇ ଆସୁଛି । ହେନ୍ତାଳବନ ଅଭିବୃଦ୍ଧି ଆମ ରାଜ୍ୟରେ ସର୍ବାଧିକ ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ହେନ୍ତାଳବନ ଆମ ଉପକୂଳ ଅଞ୍ଚଳକୁ ସୁରକ୍ଷା ପ୍ରଦାନ କରିଥାଏ ।

ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରେ ଥିବା ଇକୋ-କ୍ଲବ୍‌ର ଛାତ୍ରଛାତ୍ରୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ବୃକ୍ଷରୋପଣ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ବନଖଣ୍ଡ ଅଧିକାରୀମାନେ ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏ ଦିଗରେ ସଚେତନତା ସୃଷ୍ଟି କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି । ଆବର୍ଜନାରୁ କିଭଳି ଖତ ପ୍ରସ୍ତୁତ ହେଉଛି, ପ୍ଲାଷ୍ଟିକ୍‌ର ପୁନର୍ବ୍ୟବହାର ସଂପର୍କରେ ପିଲାମାନେ ଜାଣିବା ଉଚିତ । ଜଳ ଓ ବାୟୁ ପ୍ରଦୂଷଣର ନିରାକରଣ ପାଇଁ ବିଭିନ୍ନ ଶିଳ୍ପାନୁଷ୍ଠାନ ପକ୍ଷରୁ କିଭଳି ପଦକ୍ଷେପ ନିଆଯାଇଛି ଇକୋ-କ୍ଲବ୍‌ର ସଦସ୍ୟମାନଙ୍କୁ ସେସବୁ ସଂପର୍କରେ ଜାଣିବା ସହ ସେମାନଙ୍କର ପ୍ରତ୍ୟକ୍ଷ ଅନୁଭୂତି ବୃଦ୍ଧି କରିବା ପାଇଁ ଉଦ୍ୟମ କରିବା ନିମନ୍ତେ ସେ ପ୍ରସ୍ତାବ ଦେଇଛନ୍ତି ।

ଡ. ଶର୍ମା ଅକ୍ଷୟ ଶକ୍ତିର ବହୁଳ ବ୍ୟବହାର ଏବଂ ଜଙ୍ଗଲ ସୁରକ୍ଷା ଓ ବ୍ୟାପକ ବୃକ୍ଷରୋପଣ କରିବା ଦିଗରେ ରାଜ୍ୟ ସରକାରଙ୍କୁ ସମସ୍ତେ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଆଜିର ଏହି ଦିବସ ପାଳନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣାଦାୟୀ ବାର୍ତ୍ତା ପ୍ରକୃତି ଓ ପରିବେଶର ସୁରକ୍ଷା ପ୍ରତି ସମସ୍ତଙ୍କୁ ଅନୁପ୍ରାଣିତ କରିବ ବୋଲି ସେ ମନ୍ତବ୍ୟ ଦେଇଛନ୍ତି ।

ପ୍ରାରମ୍ଭରେ ଓଡ଼ିଶା ଜୈବ ବିବିଧତା ବୋର୍ଡର ଅଧ୍ୟକ୍ଷ ଶ୍ରୀ ରାଜୀବ କୁମାର ସ୍ୱାଗତ ଭାଷଣ ଦେଇ ପରିବେଶକୁ କିଭଳି ସୁରକ୍ଷା ଓ ସନ୍ତୁଳିତ କରିହେବ ସେଥିପାଇଁ ଆମକୁ ନିଜ ନିଜ ସ୍ତରରେ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ସୂଚାଇଛନ୍ତି । ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ବିଶ୍ୱ ପରିବେଶ ଦିବସର ବିଷୟବସ୍ତୁକୁ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଇକୋ-କ୍ଲବ୍‌ର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ମଡେଲ ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସେଣ୍ଟର ଫର ଏନ୍‌ଭର୍ଣ୍ଣମେଣ୍ଟାଲ ଷ୍ଟଡିଜ୍‌, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଆଞ୍ଚଳିକ ଉଦ୍ଭିଦ ସଂପଦ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ହୋଇଥିବା ବିଭିନ୍ନ ଉପାଦେୟ ପୁସ୍ତକପୁସ୍ତିକା ସହିତ ଇକୋ-କ୍ଲବ୍‌ର ବାର୍ଷିକ ବିବରଣୀ ଅତିଥିମାନେ ଉନ୍ମୋଚନ କରିଥିଲେ ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାର ୨୦୦ ଅନୁଷ୍ଠାନ, ସ୍କୁଲ ଏବଂ ବ୍ୟକ୍ତିବିଶେଷଙ୍କୁ ପ୍ରକୃତିମିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ଉତ୍ସବରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ବରିଷ୍ଠ ଅଧିକାରୀ, ଇକୋ-କ୍ଲବ୍‌ର ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା ଓ ସଦସ୍ୟ, ଗଣମାଧ୍ୟମର ପ୍ରତିନିଧି ଓ ବହୁ ପ୍ରକୃତିପ୍ରେମୀ ଯୋଗଦେଇଥିଲେ ।