Home Infrastructure ବିଧାନସଭାରେ ଖଣି ତାତି

ବିଧାନସଭାରେ ଖଣି ତାତି


ବିଧାନସଭାରେ ଆଜି ଖଣି ଦୁର୍ନୀତି ପ୍ରସଙ୍ଗକୁ ନେଇ ବିରୋଧୀ ଓ ଶାସକ ସଦସ୍ୟ ମୁହାମୁହିଁ ହୋଇଛନ୍ତି । ଖଣି ଲିଜ୍‍ ପ୍ରଦାନ ଓ ନବୀକରଣରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ବିରୋଧୀ ଦଳ ଅଭିଯୋଗ ଆଣିଥିବାବେଳେ କେନ୍ଦ୍ର ଓ ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ଏହା ହୋଇଥିବା ଶାସକ ଦଳ ଦର୍ଶାଇଛି ।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ଖଣି ମାଫିଆ ଓ ଅଫିସରମାନେ ମିଶି ଲକ୍ଷେ କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଥିଲେ । ସେ କହିଥିଲେ ଯେ ଖଣି ଲିଜରେ ବଡ ଧରଣର ଦୁର୍ନୀତି ହୋଇଛି । ତେଣୁ ସରକାର ମୁଷ୍ଟିମେୟ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଖଣି ଲିଜ୍‍ ଓଡିଶା ପାଇଁ ଆତ୍ମଘାତୀ ସଦୃଶ ହୋଇଛି ।

ଏ ସଂକ୍ରାନ୍ତରେ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ପ୍ରାପ୍ତିପତ୍ର ସ୍ୱୀକାର ମିଳୁନଥିବା ଶ୍ରୀ ନାୟକ ଅଭିଯୋଗ କରିଥିଲେ । କିଛି ଅଫିସର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଚିଠି ନ ପହଞ୍ଚବା ପାଇଁ ଚକ୍ରାନ୍ତ କରୁଛନ୍ତି । ଭିଜିଲାନ୍ସ ମାମଲା ହୋଇଥିବା ସିରାଜୁଦ୍ଦିନ କମ୍ପାନୀକୁ କିଭଳି ଲିଜ୍‍ ମିଳିଲା ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ କରିବା ସହିତ ରୁଙ୍ଗଟା ମାଇନ୍ସ ନାଁରେ ବି ଏମଏମଡିଆର ଆକ୍ଟ ଅନୁଯାୟୀ ମାମଲା ରହିଥିବା ଦର୍ଶାଇଥିଲେ ।

ସେହିଭଳି ନାରାୟଣ ପୁସି ଆଦି କମ୍ପାନୀ ପ୍ରସଙ୍ଗ ସେ ଉଠାଇଥିଲେ । ତେଣୁ ଏମାନଙ୍କ ଖଣି କିଭଳି ନବୀକରଣ କରାଗଲା ବୋଲି ସେ ପ୍ରଶ୍ନ କରିଥିଲେ । ଯେଉଁ ଅଧିକାରୀମାନେ ଏଭଳି କରିଛନ୍ତି ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ନାୟକ ଦାବି କରିଛନ୍ତି । ଏଥି ସହିତ ୨୧ଟି ଖଣି ସଂକ୍ରାନ୍ତରେ ଆଲୋଚନା ପାଇଁ ସେ ମତ ଦେଇଥିଲେ ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ୯ଟି ଖଣିରେ ୩୬୦୦ କୋଟି ଟଙ୍କାର କ୍ଷତି ହୋଇଛି । ଏକଥାକୁ ବିଚାର କରାଯିବା ଆବଶ୍ୟକ । ଶ୍ରୀ ମିଶ୍ର କହିଥିଲେ ଯେ ଅଭିଯୋଗ ଥିବା ଖଣି ଗୁଡିକ ମଧ୍ୟରେ ନଉଗାଁ ଲୁହାପଥର, ଉଚପାଲି, ବଳଦା ଖଣି, ଠାକୁରାଣୀ ଲୁହାପଥର ଖଣି, ନଇତା ଲୁହାପଥର, ନଦିଢି ଲୁହାପଥର, ଜୁରୁଡି ଲୁହାପଥର ଓ ନାରାୟଣ ପୋଷି ଖଣି ରହିଛି ।

ବିରୋଧୀଙ୍କ ଅଭିଯୋଗର ଜବାବ ରଖି ବିଜେଡି ବିଧାୟକ ପ୍ରତାପ ଦେବ କହିଥିଲେ ଯେ ୨୦୧୫-୧୬ ବର୍ଷରେ ପିୟୁସ ଗୋଏଲ ଓ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ଆସି କହିଲେ ରାଜ୍ୟ ଖଣି ରାଜସ୍ୱରୁ ଲକ୍ଷାଧିକ ଟଙ୍କ ପାଇବ । ହେଲେ କେତେକ ଟଙ୍କା ଓଡିଶାକୁ ମିଳିଛି ବୋଲି ସେ ପ୍ରଶ୍ନ କରିଥିଲେ । ଶ୍ରୀ ଦେବ କହିଥିଲେ ଯେ କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁଯାୟୀ ଖଣି ଲିଜ୍‍ ନବୀକରଣ ହୋଇଛି ।

ସିଇସି ତଦନ୍ତ ବେଳେ କଂଗ୍ରେସ କାହିଁକି ତଥ୍ୟ ରଖିନଥିଲା ବୋଲି ଶ୍ରୀ ଦେବ ପ୍ରଶ୍ନ କରିବା ସହିତ ଯଦି କିଛି ପ୍ରମାଣ ଅଛି ତାହା ବିରୋଧୀ ଦଳ ଦିଅନ୍ତୁ ଓ ଏହାକୁ ନେଇ ରାଜନୀତି କରାନଯାଉ ବୋଲି ସେ ସେ କହିଥିଲେ । ଏହାକୁ ନେଇ ବିରୋଧୀ ଦଳ ନେତା ଶ୍ରୀ ନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ରଙ୍କ ସହିତ ବିଜେଡି ସଦସ୍ୟ ଶ୍ରୀ ଦେବଙ୍କର କଥା କଟାକଟି ହୋଇଥିଲା ।