Home Education ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ଅଚଳ

ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ଅଚଳ

ଭୁବନେଶ୍ୱର : ସ୍କୁଲ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ଶିକ୍ଷା ଦେବାପାଇଁ କୋଟି କୋଟି ଟଙ୍କା ବ୍ୟୟରେ ଲ୍ୟାବ ପ୍ରତିଷ୍ଠା ହୋଇଛି । ଏହି ଲ୍ୟାବ୍‍ରେ କମ୍ପ୍ୟୁଟର, ପ୍ରିଣ୍ଟର, ପ୍ରୋଜେକ୍ଟର ସହିତ ଇଣ୍ଟରନେଟ୍‍ ସଂଯୋଗ ବି ରହିଛି । ହେଲେ ପିଲାଙ୍କୁ ପାଠ ପଢାଇବାପାଇଁ କମ୍ପ୍ୟୁଟର ଶିକ୍ଷକ ନଥିବାରୁ ଅଧିକାଂଶ ଲ୍ୟାବ୍‍ ଅଚଳ ।

ରାଜ୍ୟର ମୋଟ୍‍ ୪୮,୧୧୬ଟି ବିଦ୍ୟାଳୟ ଥିବାବେଳେ ସେଥି ମଧ୍ୟରୁ ୧୫,୭୫୫ ପ୍ରାଥମିକ ଓ ୫୦୮୦ ମାଧ୍ୟମିକ ବିଦ୍ୟାଳୟ ରହିଛି । ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଶିକ୍ଷା ଦେବାପାଇଁ ୬୬୨ଟି ଉଚ୍ଚ ପ୍ରାଥମିକ ଓ ୪୯୧୮ ଟି ମାଧ୍ୟମିକ ବିଦ୍ୟାଳୟ କମ୍ପ୍ୟୁଟର ଲ୍ୟାବ୍‍ ପ୍ରତିଷ୍ଠା କରାଯାଇଥିଲା । ଆଇସିଟି ସ୍କୁଲ ଯୋଜନାରେ ୪ହଜାର ମାଧ୍ୟମିକ ବିଦ୍ୟାଳୟରେ କମ୍ପ୍ୟୁଟର ଲ୍ୟାବ୍‍ ପ୍ରତିଷ୍ଠା ହୋଇଥିଲା ।

ତେବେ ଲ୍ୟାବ ପ୍ରତିଷ୍ଠା ସହିତ ପ୍ରଥମେ ସେଠାରେ କିଛି କମ୍ପ୍ୟୁଟର ପ୍ରଶିକ୍ଷକ ଠିକାରେ ନିଯୁକ୍ତି ପାଇଥିଲେ । ସେମାନଙ୍କ ମୁଖ୍ୟ କାର୍ଯ୍ୟ ଥିଲା ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ସଂକ୍ରାନ୍ତରେ ସଚେତନ କରିବା ସହିତ ବିଦ୍ୟାଳୟର ଜଣେ ଦୁଇଜଣ ଶିକ୍ଷକଙ୍କୁ କମ୍ପ୍ୟୁଟର ଶିକ୍ଷା ଦେବା । ଛାତ୍ରଛାତ୍ରୀମାନେ ମଧ୍ୟ କମ୍ପ୍ୟୁଟର ପ୍ରତି ଆଗ୍ରହ ପ୍ରକାଶ କରିଥିଲେ ।

ହେଲେ ଏହାର କିଛିଦିନ ପରେ ସରକାର ଏହି ଠିକା କମ୍ପ୍ୟୁଟର ଶିକ୍ଷକମାନଙ୍କୁ ବିଦା କରିଦେଲେ । ସେତେବେଳେ ବିଦ୍ୟାଳୟର କେଉଁ କେଉଁ ଶିକ୍ଷକ କିଭଳି ଭାବେ କମ୍ପ୍ୟୁଟର ତାଲିମ ପାଇଛନ୍ତି ତାହାର ଅନୁଧ୍ୟାନ ହେଲାନାହିଁ । ଫଳରେ ପିଲାଙ୍କ କମ୍ପ୍ୟୁଟର ପାଠପଢା ସେହିଠାରେ ରହିଗଲା । ଯେଉଁ ଶିକ୍ଷକ ଶିକ୍ଷୟତ୍ରୀମାନେ କମ୍ପ୍ୟୁଟର ଶିଖିଥିଲେ ସେମାନେ କେବଳ ବିଦ୍ୟାଳୟର ଦାପ୍ତରିକ କାର୍ଯ୍ୟ କମ୍ପ୍ୟୁଟରରେ କଲେ । ପିଲାଙ୍କୁ ପାଠପଢାଇବାପାଇଁ ସମୟ ବାହାର କଲେନାହିଁ କିମ୍ବା କମ୍ପ୍ୟୁଟର ପଢାଇଲା ଭଳି ସେମାନେ ଶିକ୍ଷାଗ୍ରହଣ କରିପାରିଲେ ନାହିଁ ।

ଏହାର ଫଳ ସ୍ୱରୂପ ହଜାର ହଜାର କମ୍ପ୍ୟୁଟର ଲ୍ୟାବ୍‍ ଅଚଳ ହୋଇଗଲା । କମ୍ପ୍ୟୁଟର ଉପରେ ଧୂଳି ଜମିଲା । ଏହାକୁ ସଫା କରିବାକୁ କେହି ନାହିଁ । ଗୋଟିଏ ଦୁଇଟି କମ୍ପ୍ୟୁଟର ଆଣି ବିଦ୍ୟାଳୟ କର୍ତ୍ତୃପକ୍ଷ ଅଫିସ କାମରେ ଲଗାଇଲେ । ଗୋଟିଏ ପଟେ ପିଲାମାନେ କମ୍ପ୍ୟୁଟର ଶିକ୍ଷା ପାଇନଥିବାବେଳେ ଅନ୍ୟ ପଟେ ସେମାନଙ୍କୁ କମ୍ପ୍ୟୁଟର ଶିକ୍ଷା ପାଇଁ ଥିବା ଠିକା ଶିକ୍ଷକମାନେ ବେକାର ହୋଇଗଲେ । ଏ ନେଇ ରାଜ୍ୟରେ ଦୀର୍ଘଦିନ ଧରି ଆନ୍ଦୋଳନ ବି ଚାଲିଲା ।

ତେବେ ହାଇସ୍କୁଲ ସ୍ତରରେ ଛାତ୍ରଛାତ୍ରୀମାନେ କମ୍ପ୍ୟୁଟର ତାଲିମ ପାଉନଥିବାରୁ ସେମାନେ ଏବେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଶ୍ରେଣୀରେ କମ୍ପ୍ୟୁଟର ଜ୍ଞାନ ଆହରଣ ପାଇଁ ବିଭିନ୍ନ ଘରୋଇ କମ୍ପ୍ୟୁଟର ତାଲିମ ସଂସ୍ଥାରେ ନାମ ଲେଖାଇ ଖର୍ଚ୍ଚାନ୍ତ ହେଉଛନ୍ତି । ଏଣେ କିନ୍ତୁ ହଜାର ହଜାର କମ୍ପ୍ୟୁଟର ଖତ ଖାଇବା ସହିତ ବିଭିନ୍ନ ବିଦ୍ୟାଳୟରେ ଗୋଟିଏ କରି କୋଠରୀ ଏଥିପାଇଁ ବନ୍ଦହୋଇ ରହିଛି ।

ଏଭଳି ସ୍ଥିତିରେ ଅଚଳ ହୋଇ ପଡିଥିବା ବିଦ୍ୟାଳୟର କମ୍ପ୍ୟୁଟର ଲାବ୍‍କୁ ପୁଣି ଥରେ ସଚଳ ପାଇଁ ଅଭିଭାବକମାନେ ମତ ଦେଉଛନ୍ତି । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ସ୍ତରରୁ ଡିଜିଟାଲ ସଶକ୍ତ ହେବା ସହିତ କଲେଜ ସ୍ତରରେ ଆଉ କମ୍ପ୍ୟୁଟର ଶିକ୍ଷାପାଇଁ ଖର୍ଚ୍ଚାନ୍ତ ହେବେ ନାହିଁ । (ତଥ୍ୟ)