Home Finance ବିକ୍ରମ ଆରୁଖ ନୂଆ ଅର୍ଥମନ୍ତ୍ରୀ

ବିକ୍ରମ ଆରୁଖ ନୂଆ ଅର୍ଥମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ମନ୍ତ୍ରୀମଣ୍ଡଳରେ ତିନି ନୂଆ ମନ୍ତ୍ରୀ ସାମିଲ ହେବାପରେ ଆଜି ସେମାନଙ୍କୁ ନୂଆ ବିଭାଗ ମିଳିଛି । ତଦନୁଯାୟୀ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ ମିଳିଥିବାବେଳେ ସାରଦା ନାୟକଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଏବଂ ସୁଦାମ ମାର୍ଣ୍ଡିଂଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରଦାନ କରାଯାଇଛି ।

ଅର୍ଥ ବିଭାଗ ପୂର୍ବରୁ ନିରଞ୍ଜନ ପୂଜାରୀଙ୍କ ହାତରେ ଥିଲା । ଏଥି ସହିତ ସଂସଦୀୟ ବ୍ୟାପାର ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଦାୟିତ୍ୱ ମଧ୍ୟ ସେ ସମ୍ଭାଳୁଥିଲେ । ଏବେ ଅର୍ଥ ବିଭାଗ ନିରଞ୍ଜନ ହାତରୁ କାଢି ନିଆଯାଇ ବିକ୍ରମଙ୍କୁ ପ୍ରଦାନ କରାଯାଇଛି ।

ତେବେ ସାରଦା ନାୟକଙ୍କୁ ମିଳିଥିବା ଶ୍ରମ ଓ ରାଜ୍ୟ ବୀମା ବିଭାଗର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବାପରେ ଏହି ବିଭାଗଟି ଅତିରିକ୍ତ ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ପ୍ରଦାନ କରାଯାଇଥିଲା । ଏବେ ପ୍ରମିଳାଙ୍କ ହାତରୁ ଉକ୍ତ ବିଭାଗଟି ସାରଦାଙ୍କ ପାଖୁ ଯାଇଛି ।

ସେହିଭଳି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଥିବା ସମୀର ରଞ୍ଜନ ଦାସ ଇସ୍ତଫା ଦେବାପରେ ଏହି ବିଭାଗଟି ମଧ୍ୟ ଅତିରିକ୍ତ ଭାବେ ପ୍ରମିଳା ମଲ୍ଲିକଙ୍କୁ ଦିଆଯାଇଥିଲା । ଏବେ ପ୍ରମିଳାଙ୍କ ହାତରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୁଦାମଙ୍କ ନିକଟକୁ ଯାଇଛି ।