Home Administration ପଞ୍ଚାୟତିରାଜ ବିଭାଗରେ ଯନ୍ତ୍ରୀ ସଙ୍କଟ

ପଞ୍ଚାୟତିରାଜ ବିଭାଗରେ ଯନ୍ତ୍ରୀ ସଙ୍କଟ

ଭୁବନେଶ୍ୱର : ପାନୀୟଜଳ ଯୋଗାଣ ଠାରୁ ଆରମ୍ଭ କରି ଗ୍ରାମୀଣ ଗୃହ ର୍ନିମାଣ କାର୍ଯ୍ୟ ଧାର୍ଯ୍ୟ ସମୟରେ ସାରିବା ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗରେ କିନ୍ତୁ କ୍ଷେତ୍ର ସ୍ତରୀୟ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଯନ୍ତ୍ରୀଙ୍କର ଘୋର ଅଭାବ । ଶହ ଶହ ପଦବୀ ଖାଲି ପଡିଥିବାବେଳେ ଠିକା ଓ ଡେପୁଟେସନରେ କର୍ମଚାରୀ ଆଣି କାମ ଚଳାଯାଉଛି ।

ପଞ୍ଚାୟତ ସ୍ତରରେ ବିଭିନ୍ନ କାର୍ଯ୍ୟକୁ ରୂପାୟନ କରୁଥିବା ଗ୍ରାମ ପଞ୍ଚାୟତ ବୈଷୟିକ ସହାୟକ (ଜିପିଟିଏ) ପାଇଁ ୧୮୪୫ ମଧ୍ୟରୁ ମାତ୍ର ୫୨୧ଜଣ ଅଛନ୍ତି । ଏମାନେ ସମସ୍ତେ ଠିକାରେ ନିଯୁକ୍ତି ପାଇଛନ୍ତି । ଏମାନଙ୍କୁ ମାସିକ ୧୬,୮୮୦ ଟଙ୍କାର ପାରିଶ୍ରମିକ ମିଳୁଥିବାବେଳେ ଖାଲିପଡିଥିବା ୧୩ଶହରୁ ଅଧିକ ପଦବୀ ପୂରଣ ହୋଇପାରୁନାହିଁ । ଏହି କର୍ମଚାରୀମାନେ ହିଁ ଗାଁ ଗହଳରେ ଗୃହ ର୍ନିମାଣ ଠାରୁ ଆରମ୍ଭକରି ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରିତାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ।

ସେହିଭଳି ୧୭୬୧ ଟି କନିଷ୍ଠ ଯନ୍ତ୍ରୀ ପଦବୀରେ ୪୫୪ ଜଣ ଅଛନ୍ତି । ଅବଶିଷ୍ଟ ପଦବୀ ପୂରଣ ହୋଇପାରୁନାହିଁ । ତେବେ ସହକାରୀ ଯନ୍ତ୍ରୀ ପାଇଁ ଥିବା ୪୨୬ଟି ପଦବୀ ମଧ୍ୟରୁ ଅଛନ୍ତି ମାତ୍ର ୨୦୯ ଜଣ । ଏମାନେ ପ୍ରାୟତଃ ସମସ୍ତେ ଅନ୍ୟ ବିଭାଗରୁ ଡେପୁଟେସନରେ ଆସିଛନ୍ତି । ସହକାରୀ ନିର୍ବାହୀଯନ୍ତ୍ରୀ ପଦବୀରେ ମଧ୍ୟ ଅନୁରୂପ ଅବସ୍ଥା । ଏଠାରେ ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ଅଧାରୁ ଅଧିକ ଖାଲି ପଡିଛି । ମୋଟ୍‍ ୩୧୪ ପଦବୀ ମଧ୍ୟରେ ୧୨୮ରେ ଯନ୍ତ୍ରୀ ଉପଲବ୍ଧ ଅଛନ୍ତି । ଏମାନେ ମୁଖ୍ୟତଃ ଡେପୁଟେସନରେ ଆସିଛନ୍ତି ।

ଉପନିର୍ବାହୀ ଯନ୍ତ୍ରୀ ପଦବୀରେ ସ୍ଥିତି ସଙ୍ଗୀନ । ମୋଟ୍‍ ୪୦ଟି ଉପନିର୍ବାହୀ ଯନ୍ତ୍ରୀ ପଦବୀ ମଧ୍ୟରୁ ଅଛନ୍ତି ମାତ୍ର ୬ଜଣ । ଏମାନେ ବି ଆସିଛନ୍ତି ଡେପୁଟେସନରେ । କର୍ମାନ୍ତର ନିଯୁକ୍ତି ପାଇଥିବା ଏହି ଯନ୍ତ୍ରୀଙ୍କ ଦରମା ଓ ଭତ୍ତା ୫୬,୧୦୦ ରୁ ୧,୭୭,୫୦୦ ଟଙ୍କା ରହିଛି । ସେହିଭଳି ସ୍ଥାୟୀ ନିର୍ବାହୀଯନ୍ତ୍ରୀ ପାଇଁ ଥିବା ୩୦ଟି ପଦବୀ ମଧ୍ୟରୁ ୧୯ଟି ପୂରଣ ହୋଇପାରିଛି ।

ତେବେ ବିଭାଗରେ କାର୍ଯ୍ୟରତ ଗ୍ରାମ ପଞ୍ଚାୟତ ବୈଷୟିକ ସହାୟକ (ଜିପିଟିଏ)ମାନଙ୍କୁ ବିଭାଗରେ କନିଷ୍ଠଯନ୍ତ୍ରୀ ଭାବେ ସ୍ଥାୟୀ ନିଯୁକ୍ତି ଦେବାପାଇଁ ୨୦୧୮ ମସିହାରେ ସଙ୍କଳ୍ପ ପାରିତ ହୋଇଛି । ଏହି ପ୍ରକ୍ରିୟାରେ ୩୦୭ଟି ପଦବୀ ପୂରଣ ପାଇଁ ଲକ୍ଷ୍ୟ ଥିବାବେଳେ ଏହା ଏବେ ବି ସରକାରଙ୍କ ବିଚାରାଧିନ ରହିଛି । ବିଭାଗରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀମାନଙ୍କୁ ପଦୋନ୍ନତି ଦିଆଯାଇ ଖାଲିଥିବା ସହକାରୀ ଯନ୍ତ୍ରୀ ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି । ୨୧୦ଟି ସହକାରୀ ଯନ୍ତ୍ରୀ ପଦବୀ ପୂରଣ ପାଇଁ ୨୦୧୯ ଫେବୃୟାରୀମାସରୁ ଲୋକସେବା ଆୟୋଗଙ୍କ ଅନୁରୋଧ କରାଯାଇଥିଲେ ବି ଏପର୍ଯ୍ୟନ୍ତ ତାହା ପୂରଣ ହୋଇନାହିଁ । ତେବେ ୧୦୪ଟି ପଦବୀକୁ ସହକାରୀ ଯନ୍ତ୍ରୀଙ୍କୁ ପଦୋନ୍ନତି ଭିତ୍ତିରେ ପୂରଣ ପାଇଁ ସ୍ଥିର ହୋଇଛି ।

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ କ୍ୟାଡରରେ କୌଣସି ସହକାରୀ ଯନ୍ତ୍ରୀ ନଥିବାରୁ ପଦୋନ୍ନତି ଭିତ୍ତିରେ ଉପନିର୍ବାହୀ ଯନ୍ତ୍ରୀ ପଦବୀ ପୂରଣ ହୋଇପାରୁ ନାହିଁ । ଏହି ପଦବୀ ପୂରଣ ଲାଗି ଯନ୍ତ୍ରୀ ଦେବାପାଇଁ ଜଳସମ୍ପଦ ଓ ପୂର୍ତ୍ତ ବିଭାଗକୁ ଅନୁରୋଧ କରାଯାଇଛି । ନିର୍ବାହୀ ଯନ୍ତ୍ରୀ ପଦବୀ ପୂରଣ ପାଇଁ ବି ଅନୁରୂପ ସମସ୍ୟା ଥିବାରୁ ଯନ୍ତ୍ରୀ ଯୋଗାଇଦେବାକୁ ଉପରୋକ୍ତ ଦୁଇ ବିଭାଗକୁ ଅନୁରୋଧ କରାଯାଇଛି । (ତଥ୍ୟ)