Home Health ଧାଡିରେ ଯାଉଛି ରୋଗୀଙ୍କ ସମୟ

ଧାଡିରେ ଯାଉଛି ରୋଗୀଙ୍କ ସମୟ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କୁ ଅତି କମ୍‍ରେ ୩ଥର ଓ ସର୍ବାଧିକ ୬ଥର ପର୍ଯ୍ୟନ୍ତ ଧାଡିରେ ଛିଡା ହେବାକୁ ପଡୁଛି । ଏଥିପାଇଁ ରୋଗୀ କିମ୍ବା ସେମାନଙ୍କର ସମ୍ପର୍କୀୟଙ୍କର ଅତି କମ୍‍ରେ ଗୋଟିଏ ଦିନର ସମୟ ନଷ୍ଟ ହେଉଛି ।

ଯଦି କୌଣସି ବ୍ୟକ୍ତି କ୍ୟାପିଟାଲ ହସ୍ପିଟାଲରେ ନିଜର ଚିକିତ୍ସା କରାଇବାକୁ ଆସନ୍ତି ତେବେ ପ୍ରଥମେ ତାଙ୍କୁ ଧାଡିରେ ଛିଡା ହୋଇ ଟିକଟ କାଟିବାକୁ ପଡିବ । ଏହି କାଉଣ୍ଟର ସକାଳ ୭.୩୦ରେ ଖୋଲୁଥିବାବେଳେ ରାତି ପାହିଲା ବେଳକୁ ଏଠାରେ ଲମ୍ବା ଧାଡି ଲାଗିଯାଉଛି । ସାମାନ୍ୟ ବିଳମ୍ବରେ ଆସିଲେ ଟିକଟଟିଏ ପାଇବାପାଇଁ ଘଣ୍ଟାଏ କିମ୍ବା ତାହାଠାରୁ ଅଧିକ ସମୟ ଲାଗିଯାଉଛି । ଟିକଟ ପାଇବାପାରେ ବିଭାଗୀୟ ଡାକ୍ତରଙ୍କ ନିକଟରେ ଧାଡି ଲଗାଇବାକୁ ପଡୁଛି । ସେଠାରେ ବି ଲମ୍ବା ଧାଡି । କରୋନା ସମୟରେ ଲୋକେ ଧାଡିରେ କିଭଳି ଠେଲାପେଲା ହେଉଛନ୍ତି ତାହା ନଦେଖିଲେ ବିଶ୍ୱାସ କରିହେବ ନାହିଁ ।

ଯଦି ଡାକ୍ତର ରୋଗୀଙ୍କୁ ଦେଖି କେବଳ ଔଷଧ ଲେଖିଦେଲେ ତେବେ ଔଷଧ ପାଇବାପାଇଁ ନିରାମୟ କାଉଣ୍ଟରରେ ଧାଡି ଲଗାଇବାକୁ ପଡିବ । ଡାକ୍ତରଖାନା ପରିସରରେ ଦୁଇଟି ନିରାମୟ କାଉଣ୍ଟର ହୋଇଥିବାବେଳେ ଏଠାରେ ବି ସର୍ବଦା ଲମ୍ବା ଧାଡି ଦେଖିବାକୁ ମିଳୁଛି । ଯଦି ଡାକ୍ତର ରୋଗ ନିରୂପଣ ପାଇଁ କୌଣସି ପରୀକ୍ଷା ପାଇଁ ଲେଖିଲେ ତେବେ ଆଉ ତିନି ଚାରି ସ୍ଥାନରେ ଧାଡି ଲଗାଇବାକୁ ପଡୁଛି ।

ଡାକ୍ତର ଲେଖିଦେଲା ପରେ ପରୀକ୍ଷା ପାଇଁ ଗୋଟିଏ କାଉଣ୍ଟରରେ ଲାଇନ୍‍ରେ ଛିଡାହୋଇ ରସିଦ କାଟିବାକୁ ପଡିବ । ଏହି କାଉଣ୍ଟରଟି ସକାଳ ୮ଟାରେ ଖୋଲୁଥିବାବେଳେ ଏଠାରେ ବି ରାତି ପାହିଲା ବେଳକୁ ଧାଡି ଲାଗିଯାଉଛି । ସେଠାରୁ ରସିଦ କାଟିଲା ପରେ ରକ୍ତ କିମ୍ବା ଅନ୍ୟାନ୍ୟ ପରୀକ୍ଷା ପାଇଁ ପୁଣି ଧାଡିରେ ଛିଡା ହେବାକୁ ପଡିବ । ପରୀକ୍ଷା ରିପୋର୍ଟ ପାଇଁ ଅପରାହ୍ନରେ ଆଉ ଥରେ ଆସି ଧାଡି ଲଗାଇବାକୁ ପଡୁଛି । ଏହି ରିପୋର୍ଟ ପ୍ରଦାନ କାଉଣ୍ଟର ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଖୋଲା ରହୁଛି । ଯଦି ଏହି ସମୟ ମଧ୍ୟରେ କେହି ନଆସି ପାରିବ ତେବେ ପରଦିନ ସକାଳ ୯ଟାରୁ ଏହା ସଂଗ୍ରହ କରିପାରିବ ।

ତେବେ କ୍ୟାପିଟାଲ ହସ୍ପିଟାଲରେ ଟିକଟ କଟା ଠାରୁ ଆରମ୍ଭ କରି ପରୀକ୍ଷା ଟିକଟ ପର୍ଯ୍ୟନ୍ତ ସବୁକିଛି କମ୍ପ୍ୟୁଟର ମାଧ୍ୟମରେ ହେଉଥିବାବେଳେ ରୋଗୀଙ୍କ ପରୀକ୍ଷା ରିପୋର୍ଟ କିନ୍ତୁ ଅନ୍‍ଲାଇନ୍‍ରେ ଜାରି ହେଉନାହିଁ । ଯଦି କ୍ୟାପିଟାଲ ହସ୍ପିଟାଲ ତାହାର ୱେବସାଇଟ୍‍ରେ ପ୍ରତ୍ୟେକ ରୋଗୀଙ୍କ ପରୀକ୍ଷା ରିପୋର୍ଟ ଜାରି କରନ୍ତେ ତେବେ ଏଥିପାଇଁ ଅପରାହ୍ନରେ ଆସି ଲୋକେ ଆଉ ଡାକ୍ତରଖାନାରେ ଗହଳି କରନ୍ତେ ନାହିଁ ।

ଡାକ୍ତରଖାନାରେ ଟିକଟ କାଟିବା, ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବା ଆଦି ସବୁକିଛି ଘରୋଇ ସଂସ୍ଥା ମାଧ୍ୟମରେ ହେଉଥିବାବେଳେ ଜଣେ ରୋଗୀ କିଭଳି ବାରମ୍ବାର ଧାଡିରେ ଛିଡା ନହେବ ସେ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଡାକ୍ତର ଚିଠା ଲେଖିଲା ପରେ ବି ରୋଗୀଙ୍କୁ ଆଉଥରେ ଘରୋଇ ସଂସ୍ଥା ନିକଟରେ ରସିଦ କାଟିବାକୁ ପଡୁଛି ।

ଫଳରେ ଯଦି ଜଣେ ରୋଗୀ ସାମାନ୍ୟ ଜ୍ୱର କିମ୍ବା ସେହିଭଳି ରୋଗର ଚିକିତ୍ସା ପାଇଁ ଆସୁଛି ତେବେ ତାହାର ଗୋଟିଏ ଦିନ ଏଠାରେ ବରବାଦ ହେଉଛି । କରୋନା ସମୟରେ ଡାକ୍ତରମାନେ ୫/୬ ଫୁଟ ଦୂରରୁ ରୋଗୀଙ୍କୁ ମାତ୍ର ମିନ୍‍ଟିଏ କିମ୍ବା ଅଧା ମିନିଟ୍‍ ପାଇଁ ଦେଖୁଥିବାବେଳେ ଅଧିକାଂଶ ସମୟ କିନ୍ତୁ ଧାଡିରେ ଛିଡା ହେବାରେ ବିତୁଛି । ତେଣୁ ରୋଗୀମାନେ କିଭଳି ଥରୁଟିଏ ଧାଡିରେ ଛିଡା ହୋଇ ସମସ୍ତ ଚିକିତ୍ସା ସୁବିଧା ପାଇବେ ଓ ସେମାନଙ୍କ ପରୀକ୍ଷା ରିପୋର୍ଟ ଅନ୍‍ଲାଇନ୍‍ରେ ଉପଲବ୍ଧ ହେବ ସେ ଦିଗରେ ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି । (ତଥ୍ୟ)