Home Health ଡାଇରିଆ ରୋଗୀଙ୍କୁ ତୁରନ୍ତ ଡାକ୍ତରଖାନା ନିଅ

ଡାଇରିଆ ରୋଗୀଙ୍କୁ ତୁରନ୍ତ ଡାକ୍ତରଖାନା ନିଅ

ଭୁବନେଶ୍ୱର : ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସଂପ୍ରତି ୭ ଟି ଜିଲ୍ଲାର ନିର୍ଦ୍ଧିଷ୍ଟ କେତେକ ଅଂଚଳରେ ଦେଖାଦେଇଥିବା ଡ଼ାଇରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ସ୍ଥିତିର ସମୀକ୍ଷା କରିଥିଲେ । ରାଜ୍ୟ ଲୋକସେବା  ଭବନରେ ଅନୁଷ୍ଠିତ ଏହି  ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ  ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳ ସଂକ୍ରମଣ ନିୟନ୍ତ୍ରଣ ସମ୍ବନ୍ଧିତ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । 

ଜିଲ୍ଲାୱାରୀ ସ୍ଥିତିର ସମୀକ୍ଷା କରି ଗ୍ରାମ ଓ ୱାର୍ଡ ରୁ କମ୍ୟୁନିଟି ହେଲ୍ଥ୍ ସେଣ୍ଟର, ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ଏବଂ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ତ୍ୱରିତ ଡାଇରିଆ ସୂଚନା ପ୍ରସାରଣ ଓ ସଂକ୍ରମିତଙ୍କୁ ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତର ନିମନ୍ତେ ଏକ ସକ୍ରିୟ ଓ ନିର୍ଭରଯୋଗ୍ୟ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଶୃଙ୍ଖଳରେ ଆଶାକର୍ମୀ/ଅଙ୍ଗନାବାଡ଼ି କର୍ମୀ/ଓ୍ୱାର୍ଡ଼- ମେମ୍ବର/ସରପଂଚ/ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବିଦ୍ୟାଳୟମାନଙ୍କୁ ସାମିଲ କରିବା ନିମନ୍ତେ  ମଧ୍ୟ ଶ୍ରୀ ମହାପାତ୍ର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସବୁ ଗାଁରେ ସମସ୍ତ ପାନୀୟଜଳ ସ୍ରୋତକୁ ନିୟମିତ ବ୍ୟବଧାନରେ ବିଶୋଧନ କରିବା ସହ ଲୋକମାନେ ଯେପରି ଝରଣାପାଣି ନପିଅନ୍ତି ତାଉପରେ ସତର୍କ ଦୃଷ୍ଟି ରଖିବାକୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ  ଦେଇଥିଲେ । ସଚେତନତା କାର୍ଯ୍ୟକ୍ରମକୁ ଅଧିକ ସଘନ କରିବାକୁ ମଧ୍ୟ  ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ  ନିର୍ଦ୍ଦେଶ ଦିଆଯାଇଥିଲା ।

ଏହାଛଡା ସଂକ୍ରମିତ ଅଂଚଳରେ ଜଳ ବିଶୋଧନ ପାଇଁ ‘ରିଭର୍ସ ଅସମୋସିସ୍ ଯନ୍ତ୍ର’ ଲାଗିଥିବା ଗାଡ଼ି ମୁତୟନ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ  ଦେଇଥିଲେ । ସଂକ୍ରମିତ ଏବଂ  ସଂକ୍ରମଣ ସମ୍ଭାବନାଥିବା ଅଂଚଳମାନଙ୍କରେ ରୋଗ ନିରୀକ୍ଷଣ ଓ ଅନୁଧ୍ୟାନ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରାଯିବ । ରାଜ୍ୟରେ ବର୍ଷାଋତୁ ଶେଷ ପର୍ଯ୍ୟନ୍ତ ଡାଇରିଆ ନିରାକରଣ ବ୍ୟବସ୍ଥାକୁ ପୂର୍ଣ୍ଣ ସକ୍ରିୟ ରଖିବା ସହ ସଂପୂର୍ଣ୍ଣ ସଜାଗ ଓ ସତର୍କ ରହିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳ ଏବଂ କ୍ଷେତ୍ରସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ  ଦେଇଥିଲେ ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବର୍ତ୍ତମାନ ସୁଦ୍ଧା ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ସୋନପୁର, ନୂଆପଡ଼ା, ଗଜପତି, ଝାରସୁଗୁଡ଼ା ଆଦି ୭ ଟି ଜିଲ୍ଲାରେ ସମୁଦାୟ ୬୮୦ ଲୋକ ସଂକ୍ରମିତ ହୋଇଥିବା ବେଳେ ୬୧୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ୫୩ ଜଣ ହସ୍ପିଟାଲ୍ରେ ଚିକିତ୍ସାଧିନ ଅଛନ୍ତି ଏବଂ ୧୭ ଜଣ ହସ୍ପିଟାଲ୍ ଆସିବାରେ ବହୁ ବିଳମ୍ବ କରି ମୃତ୍ୟୁ ବରଣ କରିଛନ୍ତି । ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ନବରଙ୍ଗପୁର, ସୋନପୁର, ନୂଆପଡା, ଗଜପତି ଓ ଝାରସୁଗୁଡା ଆଦି  ୫ ଟି ଜିଲ୍ଲାରେ ଗତ ତିନିଦିନ  ଧରି ଲଗାତର ଭାବେ   ସଂକ୍ରମଣ ୦ ରେ ପହଞ୍ଚିଛି । ସେହିପରି ରାୟଗଡା ଓ କୋରାପୁଟ ଜିଲ୍ଲାରେ ମଧ୍ୟ ସଂକ୍ରମଣ ଲଗାତର ୨ ଦିନ ଧରି ୦ ରହିଛି । ସମୁଦାୟ  ସ୍ଥିତି ପୂର୍ଣ୍ଣ ନିୟନ୍ତ୍ରଣାଧିନ ଅଛି ବୋଲି  ଜିଳ୍ଲାପାଳମାନେ  ଜଣାଇଥିଲେ ।  ଇତି ମଧ୍ୟରେ  ସମସ୍ତ ପାନୀୟଜଳ ସ୍ରୋତକୁ  ବିଶୋଧନ କରାଯାଇଛି ।  ସଂକ୍ରମଣ ସ୍ଥାନରେ  ତୁରନ୍ତ ପହଞ୍ଚିବା ପାଇଁ  ଦୃତ କାର୍ଯ୍ୟାନୁଷ୍ଠାନ  ଟିମ୍ ( ଆର୍.ଆର୍.ଟି.) ମାନ ଗଠନ  କରାଯାଇଛି । ସମସ୍ତ  ସବ୍ସେଣ୍ଟର, ଅଙ୍ଗନବାଡି, ଆଶାକର୍ମୀ ଏବଂ ଏ.ଏନ୍.ଏମ୍.ମାନଙ୍କ ନିକଟରେ ଆବଶ୍ୟକୀୟ ଓ.ଆର୍.ଏସ୍ ପ୍ୟାକେଟ୍ ଓ ପ୍ରାଥମିକ ଓ୍ୟୖଷଧ ମହଜୁଦ ରଖାଯାଇଛି ।

ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳ, ଜାତୀୟ  ସ୍ୱାସ୍ଥ୍ୟ  ମିଶନ ନିର୍ଦ୍ଦେଶକ ଶ୍ରୀମତୀ ଶାଳିନୀ ପଣ୍ଡିତ୍, ଆଂଚଳିକ ଭେଷଜ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ  ଶ୍ରୀମତୀ ସଂଘମିତ୍ରା ପତି, ପବ୍ଲିକ୍ ହେଲ୍ଥ୍ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଂପୃକ୍ତ ଜିଲ୍ଲାପାଳମାନେ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ କ୍ଷେତ୍ରସ୍ତରୀୟ ସ୍ଥିତି ଓ ଡାଇରିଆ ନିରାକରଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ବିଷୟରେ ଜଣାଇଥିଲେ ।