Home Health ଜେନେରିକ ଔଷଧରେ କଟକ ଆଗରେ

ଜେନେରିକ ଔଷଧରେ କଟକ ଆଗରେ

ଭୁବନେଶ୍ୱର : କମ୍‍ ଦରରେ ମିଳୁଥିବା ଜେନେରିକ ଔଷଧ କାରବାର କ୍ଷେତ୍ରରେ କଟକ ଜିଲ୍ଲା ଆଗରେ ରହିଛି । ଏଭଳି ଔଷଧ ବିକ୍ରୟ ପାଇଁ ଓଡିଶାରେ ୩୯୯ଟି ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ଥିବାବେଳେ ଏଥିରୁ କଟକ ଜିଲ୍ଲାରେ ସର୍ବାଧିକ ୯୯ଟି ଥିବା ଜଣାଯାଇଛି ।

କେନ୍ଦ୍ର ସରକାର ରୋଗୀମାନଙ୍କୁ କମ୍‍ ଦରରେ ଔଷଧ ଯୋଗାଣ ପାଇଁ ଜେନେରିକ୍‍ ଔଷଧ ଉପରେ ଜୋର ଦେଉଛନ୍ତି । କାରଣ ବିଭିନ୍ନ କମ୍ପାନୀର ସାଧାରଣ ଔଷଧ କିଣି ଲୋକେ ବ୍ୟାପକ ଖର୍ଚ୍ଚାନ୍ତ ହେଉଛନ୍ତି । ଉଲ୍ଲେଖନୀୟ ଯେ ଆମ ଦେଶରେ ଏଭଳି ଔଷଧ କାରବାର ୨୦୨୧-୨୨ ବର୍ଷରେ ପ୍ରାୟ ୧.୭୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ତେଣୁ ଏଭଳି ସ୍ଥିତିରେ ଲୋକେ ଯେଭଳି ହାତ ପାଆନ୍ତାରେ ଯେଭଳି ଶସ୍ତା ଜେନେରିକ ଔଷଧ ପାଇପାରିବେ ତାହା ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି ।

ଏଥିପାଇଁ ପ୍ରଧାନ ମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର ଖୋଲିବା ଉପରେ ଗୁରୁତ୍ୱ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ ଓଡିଶାରେ ୩୯୯ଟି ଏହି ଧରଣର ଔଷଧ ଦୋକାନ ଖୋଲିଥିବାବେଳେ ଏଥି ମଧ୍ୟରେ କଟକରେ ସର୍ବାଧିକ ୯୯ଟି ଜନଔଷଧି ଦୋକାନ ରହିଛି । ଏହା ପଛକୁ ଖୋରଧାରେ ୪୨ଟି ଦୋକାନ ଥିବାବେଳେ ଗଞ୍ଜାମରେ ୩୯ଟି, ବାଲେଶ୍ୱରରେ ୩୦ଟି, ଯାଜପୁରରେ ୨୪, ଜଗତ୍‍ସିଂହପୁରରେ ୨୩, ଭଦ୍ରକରେ ୧୩ଟି, କେନ୍ଦ୍ରାପଡା, ପୁରୀ, ମୟୁରଭଞ୍ଜ ଓ କେନ୍ଦୁଝରରେ ୧୨ଟି କରି ଖୋଲିଥିବାବେଳେ ଅନ୍ୟ ଜିଲ୍ଲାଗୁଡିକରେ ଏହା ଏକ ଅଙ୍କରେ ସୀମିତ ରହିଛି । ତେବେ କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ଗଜପତି ଭଳି ଜିଲ୍ଲାରେ ମାତ୍ର ଗୋଟିଏ କରି ଜନଔଷଧି କେନ୍ଦ୍ର ରହିଛି ।

ତେବେ ସମଗ୍ର ଦେଶରେ ବର୍ତ୍ତମାନ ସୁଦ୍ଧା ୯୧୮୨ଟି ଜନଔଷଧି କେନ୍ଦ୍ର ଖୋଲିଥିବାବେଳେ ଏଥି ମଧ୍ୟରେ ଉତ୍ତରପ୍ରଦେଶରେ ସର୍ବାଧିକ ୧୩୨୪ଟି ରହିଛି । ଆମର ପଡୋଶୀ ଆନ୍ଧ୍ରପ୍ରଦେଶରେ ମାତ୍ର ୧୪୬ଟି ଜନଔଷଧି ବିକ୍ରୟ କେନ୍ଦ୍ର ଖୋଲିଥିବାବେଳେ ଛତିଶଗଡରେ ୨୦୦, ଝାଡଖଣ୍ଡରେ ୮୪ ଓ ପଶ୍ଚିମବଙ୍ଗରେ ୨୩୭ଟି ଖୋଲିଛି । କର୍ଣ୍ଣାଟକରେ ଏହା ୧୦୫୦ ଥିବାବେଳେ କେରଳରେ ଏହା ୯୭୭ ରହିଛି । ମହାରାଷ୍ଟ୍ରରେ ଏହି ସଂଖ୍ୟା ୬୪୦ ରହିଛି ।

ଜେନେରିକ ଔଷଧ ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ ଏବଂ ଲୋକଙ୍କ ଆଗ୍ରହକୁ ଦେଖି ଇତି ମଧ୍ୟରେ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସ୍ତରୀୟ ପାକ୍‍ସ ଜରିଆରେ ଆଉ ୨୦୦୦ ଜନଔଷଧି କେନ୍ଦ୍ର ଖୋଲିବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନ୍‍ଜିଓ ମାନଙ୍କୁ ଏଥିରେ ସାମିଲ କରିବା ସହିତ ଏଭଳି ଔଷଧ ଦୋକାନ ଖୋଲିବାର ବିଭିନ୍ନ ସର୍ତ୍ତକୁ କୋହଳ କରାଯାଇଛି ।

ତେବେ ରାଜ୍ୟରେ ଚିକିତ୍ସକମାନେ ଔଷଧର ଚିଠା ଲେଖିବା ସମୟରେ ବିଭିନ୍ନ କମ୍ପାନୀର ଔଷଧର ନାମ ପରିବର୍ତ୍ତେ ଔଷଧର ‘କମ୍ପୋଜିସନ’ ଲେଖିବାପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିବାବେଳେ ତାହାକୁ ବହୁ କ୍ଷେତ୍ରରେ ଅଣଦେଖା କରାଯାଉଛି । ବର୍ତ୍ତମାନ ସରକାରୀ ଡାକ୍ତରଖାନାଗୁଡିକରେ ପ୍ରାୟତଃ ଆବଶ୍ୟକ ଔଷଧ ମହଜୁଦ ଥିବାବେଳେ କିଛି ଔଷଧ ବାହାରୁ ଲେଖିବାକୁ ପଡୁଛି । ତେଣୁ ଚିକିତ୍ସକମାନେ ଡାକ୍ତରଖାନାର ଚିଠା ବଦଳରେ ନିଜ ନିକଟରେ ରଖିଥିବା ଛୋଟ ଧଳା କାଗଜରେ ବିଭିନ୍ନ କମ୍ପାନୀର ଔଷଧର ନାମ ସିଧାସଳଖ ଲେଖି ଧରାଇ ଦେଉଛନ୍ତି । ସେମାନେ ଯଦି ଔଷଧର ନାମ ବଦଳରେ କମ୍ପୋଜିସନ ଲେଖନ୍ତେ ତେବେ ରୋଗୀମାନେ ଜନଔଷଧି ଦୋକାନରୁ ଶସ୍ତାରେ ଜେନେରିକ ଔଷଧ କିଣିପାରନ୍ତେ । (ତଥ୍ୟ)