Home Administration ଚାରି ରାଜ୍ୟ ସହ ସୀମା ବିବାଦ

ଚାରି ରାଜ୍ୟ ସହ ସୀମା ବିବାଦ

ଚାରିଟି ରାଜ୍ୟ ସହିତ ଓଡିଶାର ଦୀର୍ଘବର୍ଷରୁ ସୀମା ବିବାଦ ରହିଥିବାବେଳେ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ବାରମ୍ବାର ଓଡିଶା ସୀମା ଭିତରେ ପଶି ଦାଦାଗିରି ଦେଖାଇ ସ୍ଥାନୀୟ ଲୋକଙ୍କୁ ହଇରାଣ ହରକତ କରିବା ଏକ ପ୍ରଥାରେ ପଡିଗଲାଣି । ଓଡିଶା ସରକାର ବାରମ୍ବାର ଏ ସଂକ୍ରାନ୍ତରେ ପ୍ରତିବାଦ କରୁଥିଲେ ମଧ୍ୟ ସୀମା ବିବାଦ ଆଳରେ ଏହି ପଡୋଶୀ ରାଜ୍ୟମାନେ ସାଧାରଣ ଲୋକଙ୍କ ଉପରେ ଜୁଲମ କରିବା କିନ୍ତୁ ଛାଡୁ ନାହାନ୍ତି ।

ନିକଟରେ ଭୋଗରାଇ ଅଞ୍ଚଳର ଓଡିଶା ସୀମାନ୍ତବର୍ତ୍ତୀ ଗାଁରେ ପଶ୍ଚିମବଙ୍ଗ ପ୍ରଶାସନ ଜେସିବି ଲଗାଇ ଲୋକଙ୍କ ଚାଷବାସ ନଷ୍ଟ କରିବା ସହ ଜଙ୍ଗଲ ମଧ୍ୟ ଉଜାଡିଛି । ଏ ସଂକ୍ରାନ୍ତରେ ଖବର ପାଇ ସ୍ଥାନୀୟ ପୁଲିସ୍‍ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ଆତଙ୍କବାଦୀଙ୍କ ଭଳି ଭଙ୍ଗାରୁଜା ଚୁର୍‍ମାର କରି ସେମାନେ ପଳାଇଛନ୍ତି । ଗତବର୍ଷ ଭୋଗରାଇ ଅଞ୍ଚଳର ଓଡିଶା ଇଲାକାରେ ପଶି ହଜାର ହଜାର ଡମ୍ପର ବାଲି ପଶ୍ଚିମବଙ୍ଗର ମାଫିଆମାନେ ତାଡି ନେଇଥିଲେ । ଏଥିଯୋଗୁଁ ନଦୀ ଶଯ୍ୟା ପରିବର୍ତ୍ତନ ହେଉଥିବାରୁ ନିକଟବର୍ତ୍ତୀ ଗାଁ ଗୁଡିକର ସ୍ଥିତି ଉପରେ ବିପତ୍ତି ସୃଷ୍ଟି ହୋଇଛି । ଏ ସଂକ୍ରାନ୍ତରେ ସ୍ଥାନୀୟ ଲୋକେ ବାଧା ଦେବାରୁ ମାଫିଆମାନେ ଓଡିଶା ସୀମାନ୍ତରେ ପଶି କିଛି ଲୋକଙ୍କୁ ଅପହରଣ କରି ପଳାଇଥିଲେ । ପରେ ଅବଶ୍ୟ ଅପହୃତ ଲୋକଙ୍କୁ ଉଦ୍ଧାର କରାଯାଇଥିଲା ।

ବାଲେଶ୍ୱର ଜିଲ୍ଲାର ୫ଟି ଓ ମୟୁରଭଞ୍ଜ ଜିଲ୍ଲାର ୮ଟି ଗ୍ରାମ ଉପରେ ପଶ୍ଚିମବଙ୍ଗ ମାଲିକାନା ଜାହିର କରୁଛି । ତେବେ ଓଡିଶା ସରକାର ଏହାର ପ୍ରତିବାଦ କରିଆସୁଛନ୍ତି । ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ମଧ୍ୟ ଏ ସଂକ୍ରାନ୍ତରେ ପଶ୍ଚିମବଙ୍ଗର ପଡୋଶୀ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ସ୍ଥିତି ସୁଧାରିବାକୁ ଉଦ୍ୟମ କରିଆସୁଛନ୍ତି ।
ସେହିପରି ଅବିଭକ୍ତ କୋରାପୁଟ ଜିଲ୍ଲାର କୋଟିଆ ଓ ବୋରମୁଥା ଅଞ୍ଚଳର ଅନ୍ୟୁନ ୩୪ଟି ଗାଁକୁ ଘେନି ଆନ୍ଧ୍ର ବିବାଦ ଲଗାଇଛି । ଏ ସଂକ୍ରାନ୍ତରେ ଓଡିଶା ସୁପ୍ରିମ୍‍କୋର୍ଟରେ ମଧ୍ୟ ପ୍ରାୟ ୫୦ବର୍ଷ ତଳୁ ମାମଲା ରୁଜୁ କରିଛି । କୋଟିଆ ଅଞ୍ଚଳର କେତେକ ଗ୍ରାମରେ ଆନ୍ଧ୍ର ସରକାର ଉନ୍ନୟନମୂଳକ କାମ କରିବା ସହ ରାସନକାର୍ଡ ଓ ଭୋଟର ପରିଚୟପତ୍ର ମଧ୍ୟ ବଣ୍ଟନ କରିଛନ୍ତି । ଏମିତିକି ଜମି ପଟା ବି ବାଣ୍ଟୁଛନ୍ତି । ନିକଟରେ ନାରାୟଣପାଟଣାର କେତେକ ଗାଁରେ ବି ଆନ୍ଧ୍ର ପ୍ରଶାସନ ଅନୁରୂପ କାଣ୍ଡ ଘଟାଇଛି ।

ଆନ୍ଧ୍ର ସହିତ ଗଞ୍ଜାମର ୨୧ଟି, ଗଜପତିର ୧୬ଟି ଓ ରାୟଗଡାର ୫ଟି ଗ୍ରାମକୁ ନେଇ ବିବାଦ ରହିଛି । ସେହିଭଳି ଝାଡଖଣ୍ଡ ସହିତ ମୟୁରଭଞ୍ଜର ୨ଟି, କେନ୍ଦୁଝରର ୫ଟି ଓ ସୁନ୍ଦରଗଡର ୬ଟି ଗ୍ରାମକୁ ନେଇ ବିବାଦ ଥିବାବେଳେ ଛତିଶଗଡ ସହିତ ନବରଙ୍ଗପୁରର ୪ଟି ଓ ଝାରସୁଗୁଡାର ଗୋଟିଏ ଗ୍ରାମକୁ ନେଇ ସୀମା ବିବାଦ ରହିଛି । ମୋଟାମୋଟି ଭାବେ ଓଡିଶାର ୧୦ଟି ଜିଲ୍ଲାର ୯୬ଟି ସୀମାନ୍ତ ଗ୍ରାମକୁ ନେଇ ପଡୋଶୀ ରାଜ୍ୟମାନଙ୍କ ସହ ବିବାଦ ଲାଗି ରହିଛି ।

ଏଥିରେ ଆପାତତଃ ୧୩ହଜାର ଏକରରୁ ଅଧିକ ଜମି ଓ ୧୫ହଜାର ଏକରରୁ ଅଧିକ ସଂରକ୍ଷିତ ଜଙ୍ଗଲ ଜମିର ମାଲିକାନା ଉପରେ ପଡୋଶୀ ରାଜ୍ୟମାନେ ଦାବି ଜାହିର କରି ଆସୁଛନ୍ତି । ଅବଶ୍ୟ ଏ ସମସ୍ୟାର ସମାଧାନପାଇଁ ରାଜ୍ୟ ଓ ଜିଲ୍ଲା ପ୍ରଶାସନଗୁଡିକ ବାରମ୍ବାର ଉଦ୍ୟମ ଚଳାଇଥିବାବେଳେ ପଡୋଶୀ ରାଜ୍ୟମାନେ କିନ୍ତୁ ବିଭିନ୍ନ ସମୟରେ ଠକର ଦେବାକୁ ପଛାଉ ନାହାନ୍ତି ।