Home Energy ଗୁଣାତ୍ମକ ବିଜୁଳି ପାଇଁ ୧୨୪୬କୋଟି ଖର୍ଚ୍ଚ

ଗୁଣାତ୍ମକ ବିଜୁଳି ପାଇଁ ୧୨୪୬କୋଟି ଖର୍ଚ୍ଚ

ଭୁବନେଶ୍ୱର : ରାଜଧାନୀବାସୀଙ୍କୁ ୨୪ ଘଣ୍ଟିଆ ଗୁଣାତ୍ମକ ବିଜୁଳି ଯୋଗାଇଦେବା ପାଇଁ ରାଜ୍ୟ କ୍ୟାପିଟାଲ ରିଜିୟନ୍ ଇମ୍ପ୍ରୁଭମେଣ୍ଟ ଇନ୍ ପାୱାର ସିଷ୍ଟମ୍ (ଏସସିଆରଆଇପିଏସ୍‌) ଅଧୀନରେ ରାଜ୍ୟ ସରକାର ୧୨୪୬ କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି ।

ବିଜୁଳି ଆଧୁନିକ ଜୀବନର ଏକ ଅତ୍ୟାବଶ୍ୟକ ଉପାଦାନ । ଜନସଂଖ୍ୟା ବୃଦ୍ଧି ଓ ଦ୍ରୁତ ଶିଳ୍ପାୟନ ଯୋଗୁଁ ରାଜଧାନୀ (ଭୁବନେଶ୍ୱର-କଟକ)ର ବିଦ୍ୟୁତ ଚାହିଦା ବଢ଼ିବାରେ ଲାଗିଛି ବୋଲି ଶକ୍ତି ବିଭାଗ ପକ୍ଷରୁ କୁହାଯାଇଛି । ବର୍ଦ୍ଧିତ ବିଦ୍ୟୁତ ଚାହିଦାକୁ ପୂରଣ କରିବା ସହିତ ବିଦ୍ୟୁତ ଯୋଗାଣର ଗୁଣବତ୍ତା ଏବଂ ବିଶ୍ୱସନୀୟତା ସୁନିଶ୍ଚିତ କରିବା ପାଇଁ ଶକ୍ତି ବିଭାଗ ୨୦୧୫-୧୬ ବର୍ଷରେ ଏସସିଆରଆଇପିଏସ୍ ଅଧୀନରେ ଅତ୍ୟାଧୁନିକ ବିତରଣ ଏବଂ ପରିବହନ ଭିତ୍ତିଭୂମି କାର୍ଯ୍ୟକାରୀ କରିବାକୁ ମଞ୍ଜୁରି ଦେଇଥିଲା, ଯାହାର ମୋଟ ପ୍ରକଳ୍ପ ମୂଲ୍ୟ ୧୪୯୨.୦୭ କୋଟି ଟଙ୍କା ଥିଲା ।

ଏହି ଯୋଜନାର ପରିସର ମଧ୍ୟରେ ଜିଆଇଏସ୍ ଗ୍ରିଡ୍‌/ ପ୍ରାଥମିକ ସବ୍‌-ଷ୍ଟେସନ୍ ସହ ସଂପୃକ୍ତ ଲାଇନ୍ ର୍ନିମାଣ, କଟକ-ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ଭୂତଳ କେବଲିଂ ଏବଂ ସ୍ମାର୍ଟ ଗ୍ରିଡ୍ ଭଳି ଆଧୁନିକ ଜ୍ଞାନକୌଶଳର କାର୍ଯ୍ୟକାରିତା ଅନ୍ତର୍ଭୁକ୍ତ । କଟକ ଓ ଭୁବନେଶ୍ୱରରେ କିଛି ଭୂତଳ ତାର ବିଛା ଶେଷ ହୋଇଥିବା ବେଳେ କିଛି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ରାଷ୍ଟ୍ରାୟତ୍ତ କମ୍ପାନି ଓପିଟିସିଏଲ୍ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଛି, ଯାହା ଏବେ ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ କାର୍ଯ୍ୟକ୍ରମ (ସିଏମପିଡିପି) ଅଧୀନରେ ଆସୁଛି ।

କେନ୍ଦ୍ର ସରକାର ୧୪୯୨.୦୭ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ସେଥିରୁ ୧୪୨୯.୫୨ କୋଟି ଟଙ୍କା ଓପିଟିସିଏଲକୁ ପ୍ରଦାନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୨୪୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୨୦୧୮-୧୯ରେ ସର୍ବାଧିକ ୩୦୫.୧୦ କୋଟି ଟଙ୍କା ବ୍ୟବହୃତ ହୋଇଥିବା ବେଳେ ୨୦୧୭-୧୮ରେ ୨୪୭.୯୬ କୋଟି ଟଙ୍କା, ୨୦୧୬-୧୭ରେ ୧୭୪.୩୬ କୋଟି ଟଙ୍କା, ୨୦୨୦-୨୧ରେ ୧୨୯.୪୩ କୋଟି ଟଙ୍କା, ୨୦୨୧-୨୨ରେ ୧୧୫.୫୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ଶକ୍ତି ବିଭାଗ ୨୦୧୫-୧୬ ରେ ୭୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ୨୦୧୯-୨୦ରେ ୯୯.୦୮ କୋଟି ଟଙ୍କା ଏବଂ ୨୦୨୨-୨୩ରେ ୭୭.୫୦ କୋଟି ଟଙ୍କା ଖର୍ଚ୍ଚ କରିଛି ।

ଏହି ଯୋଜନାର ପରିସର ପରିବର୍ତ୍ତନ ଯୋଗୁଁ ପ୍ରକଳ୍ପ ଖର୍ଚ୍ଚ ୪୬୯.୩୯ କୋଟି ଟଙ୍କା ବୃଦ୍ଧି ପାଇଛି, ଯାହା କି ପୂର୍ବରୁ ରାଜ୍ୟ ସରକାର ଅନୁମୋଦନ କରିଥିବା ରାଶିଠାରୁ ଅଧିକ । ତେଣୁ ଏହି ଯୋଜନା ଅଧୀନରେ ପ୍ରକଳ୍ପଗୁଡ଼ିକର ମୋଟ ଖର୍ଚ୍ଚ ଏବେ ୧୯୬୧.୪୬ କୋଟି ଟଙ୍କାରେ ପହଞ୍ଚିଛି । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃôବାଧୀନ ରାଜ୍ୟ କ୍ୟାବିନେଟ୍ ଏହି ଯୋଜନାରେ ପ୍ରକଳ୍ପର ମୂଲ୍ୟ ସମ୍ପ୍ରସାରଣକୁ ଅନୁମୋଦନ କରିଛନ୍ତି । ଆକଳନ ଅନୁଯାୟୀ ଚଳିତ ୨୦୨୩-୨୪ ରେ ଓପିଟିସିଏଲକୁ ୩୬୪.୯୮ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ୨୦୨୪-୨୫ରେ ୧୬୬.୯୬ କୋଟି ଟଙ୍କା ମଞ୍ଜୁର କରାଯିବ । (ତଥ୍ୟ)